କନକ ବ୍ୟୁରୋ : ଗାନ୍ଧୀ ନେତାଜୀଙ୍କୁ ନିୟନ୍ତ୍ରଣ କରିପାରି ନ ଥିବା କଥା ଉପଲବ୍ଧି କରିଥିବାରୁ ଦୁହିଁଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ନ ଥିଲା। କିନ୍ତୁ, ମୋ ବାପା ଗାନ୍ଧୀଙ୍କର ଜଣେ ବଡ଼ ପ୍ରଶଂସକ ଥିଲେ ବୋଲି ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ କନ୍ୟା ଅନୀତା ବୋଷ୍ ଫାଫ୍ କହିଛନ୍ତି।ନେତାଜୀଙ୍କୁ ବିଟ୍ରିସକୁ ସମର୍ପି ଦେବା ପାଇଁ ମହାତ୍ମା ଗାନ୍ଧୀ ଓ ଜବାହରଲାଲ୍ ନେହେରୁ ପ୍ରସ୍ତୁତ ଥିଲେ ବୋଲି ଅଭିନେତ୍ରୀ କଙ୍ଗନା ରଣାୱତ୍ ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଅନୀତା ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି।
ଅନୀତା କହିଛନ୍ତି, ଦୁହେଁ ଥିଲେ ଭାରତର ସ୍ୱାଧୀନତା ପାଇଁ ସଂଗ୍ରାମ କରିଥିବା ମହାନ୍ ବୀର। ଜଣେ ଅନ୍ୟଜଣକ ବିନା ଦେଶ ସ୍ୱାଧୀନ କରି ପାରି ନ ଥାନ୍ତେ। ତାହା ଥିଲା ସମିଶ୍ରଣ। ଭାରତର ସ୍ୱାଧୀନତା କେବଳ ଅହିଂସା ନୀତିଦ୍ବାରା ସମ୍ଭବ ବୋଲି ଦୀର୍ଘଦିନ ଧରି କେତେକ କଂଗ୍ରେସ ନେତା କରୁଥିବା ଦାବି ଠିକ୍ ନୁହେଁ। ନେତାଜୀ ଓ ‘ଇଣ୍ଡିଆନ୍ ନ୍ୟାସ୍ନାଲ୍ ଆର୍ମି’ ଭାରତର ସ୍ୱାଧୀନତା ପାଇଁ ଦେଇଥିବା ଅବଦାନ ବିଷୟରେ ଆମେ ସଭିଏଁ ଜାଣନ୍ତି।
କେବଳ ନେତାଜୀ ଏବଂ ‘ଆଇଏନଏ’ ଭାରତକୁ ସ୍ୱାଧୀନ କରିଛନ୍ତି କହିବା ଅଯୌକ୍ତିକ। ନେତାଜୀଙ୍କ ସମେତ ଅନେକଙ୍କୁ ଗାନ୍ଧୀ ପ୍ରେରିତ କରିଥିଲେ। ଭାରତର ସ୍ୱାଧୀନତା ପାଇଁ କୋଟି କୋଟି ଜନତାଙ୍କ ଅବଦାନ ଅଛି ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, କୋତେଗୁଡ଼ିଏ ‘ଇନ୍ଷ୍ଟାଗ୍ରାମ୍ ଷ୍ଟୋରି’ରେ ମଙ୍ଗଳବାର ଦିନ କଙ୍ଗନା ରଣାୱତ୍ ଦାବି କରିଥିଲେ ଯେ, ସୁଭାଷ ଚନ୍ଦ୍ର ବୋଷ ଏବଂ ଭଗତ ସିଂହ ମହାତ୍ମା ଗାନ୍ଧୀଙ୍କ ସମର୍ଥନ ପାଇ ନ ଥିଲେ। ଗାନ୍ଧୀଜୀଙ୍କ ଅହିଂସାକୁ ବିଦ୍ରୂପ କରି ରଣାୱତ୍ କହିଥିଲେ, ଆର ଗାଲ ଦେଖାଇବା ଦ୍ବାରା ସ୍ୱାଧୀନତା ନୁହେଁ ‘ଭିକ’ ମିଳେ। ଏପରିକି ୨୦୧୪ ପରେ ପ୍ରକୃତ ସ୍ୱାଧୀନତା ମିଳିଛି ବୋଲି କଙ୍ଗନା ରଣାୱତ କହିଥିଲେ ।