ଗେମଚେଞ୍ଜର ମୋଦି-ଶାହା ଯୋଡି: କେବଳ ‘ମହା’ ଷ୍ଟ୍ରୋକ ନୁହେଁ, ଅନେକ ନିଷ୍ପତ୍ତିକୁ ରାତାରାତି ବଦଳାଇ ଦେଇଛନ୍ତି, ସାରା ଦେଶକୁ ଚକିତ କରିଛନ୍ତି ଦୁଇ ଓସ୍ତାଦ

3,383

କନକ ବ୍ୟୁରୋ: ରାତାରାତି ବାଜି ପଲଟାଇବାରେ ମାହିର ବିଜେପି ଚାଣକ୍ୟଙ୍କ ମହାରାଷ୍ଟ୍ର ମାଷ୍ଟରଷ୍ଟ୍ରୋକ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ ପ୍ରତିଦିନ ନୂଆ ନୂଆ ଟ୍ୱିଷ୍ଟ ଦେଖିବାକୁ ମିଳୁଥିଲା । ପ୍ରଥମେ ବିଜେପି-ଶିବସେନା ମେଣ୍ଟରେ ଫାଟ, ପରେ ମେଣ୍ଟରୁ ଓହରି ଏନସିପି-କଂଗ୍ରେସ ସହ ମିଶି ସରକାର ଗଢିବାକୁ ଶିବସେନାର ପ୍ରୟାସ । ଆଉ ଏହା ମଝିରେ ଏନସିପି ପ୍ରମୁଖ ଶରଦ ପାୱାର-ପ୍ରଧାନମନ୍ତ୍ରୀଙ୍କ ଭେଟଘାଟ ପ୍ରତିଦିନ ନୂଆ ନୂଆ ସମୀକରଣକୁ ଜନ୍ମ ଦେଉଥିଲା । କିନ୍ତୁ ୨୨ ତାରିଖରେ କଂଗ୍ରେସ-ଏନସିପି-ଶିବସେନା ମଧ୍ୟରେ ସରକାର ଗଠନ ନେଇ ସହମତି ହୋଇଥିଲା । ଏବଂ ଖୁବଶୀଘ୍ର ମହାରାଷ୍ଟ୍ର ମହାନାଟକରେ ଯବନିକା ପଡିବ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଥିଲା । ଏହି ମେଣ୍ଟ ସରକାରରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଉଦ୍ଧବ ଠାକରେଙ୍କ ନାଁରେ ମୋହର ମରାହୋଇଥିଲା । କେବଳ ଆନୁଷ୍ଠାନିକ ଭାବେ ରାଜ୍ୟପାଳଙ୍କୁ ଭେଟି ଶପଥ ନେଇଥିଲେ ମହାରାଷ୍ଟ୍ରକୁ ମିଳିଥାନ୍ତି ନୂଆ ମୁଖ୍ୟମନ୍ତ୍ରୀ । କିନ୍ତୁ ଗୋଟିଏ ରାତି ଭିତରେ ଶିବସେନା ପ୍ରମୁଖଙ୍କ ସ୍ୱପ୍ନ ଭାଙ୍ଗି ଚୁରମାର କରିଦେଇଥିଲା ବିଜେପି । ନିଦରୁ ଉଠିବା ପୂର୍ବରୁ ଏନସିପି ନେତା ଅଜିତ ପାୱାରଙ୍କ ୫୪ ଜଣିଆ ସମର୍ଥନପତ୍ର ସାହାଯ୍ୟରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ବିଜେପିର ଦେବେନ୍ଦ୍ର ଫଡନବୀଶ । ଏବଂ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ଅଜିତ ପାୱାର । ଆଉ ଏହାକୁ ବିଜେପି ଏବଂ ଅମିତ ଶାହାଙ୍କ ମାଷ୍ଟରଷ୍ଟ୍ରୋକ ବୋଲି କୁହାଗଲା । ଯେଉଁ ମାଷ୍ଟରଷ୍ଟ୍ରୋକରେ ମାତ୍ ଖାଇଗଲା କଂଗ୍ରେସ-ଏନସିପି-ଶିବସେନା ମେଣ୍ଟ ।
ତେବେ ରାତି ଅଧରେ ପୂରା ସ୍ଥିତିକୁ ପଲଟାଇ ଦେବାର କ୍ଷମତା ବିଜେପି କିମ୍ବା ମୋଦି ସରକାର ପାଇଁ କିଛି ନୂଆ କଥା ନୁହେଁ । କାରଣ ବିଜେପି ରାଜନୀତିର ଚାଣକ୍ୟ କୁହାଯାଉଥିବା ଅମିତ ଶାହାଙ୍କ ଷ୍ଟ୍ରାଟେଜି ଆଗରେ ବେଶି ସମୟ ତିଷ୍ଠି ରହିବା କ୍ୱଚିତ ଲୋକ ପକ୍ଷରେ ସମ୍ଭବପର ହୋଇଥାଏ । ବିଜେପିର ଗେମଚେଞ୍ଜର କୁହାଯାଉଥିବା ଏହି ଦୁଇ ନେତାଙ୍କ ଏମିତି ଅନେକ ରାତି ଅଧିଆ ନିଷ୍ପତି ଯାହା ଗୋଟିଏ କ୍ଷଣରେ ବାଜି ଓଲଟ ପାଲଟ କରିଦେଇଥାଏ ।

ଗୋଆରେ ବିଜେପିର ରାତି ଅଧିଆ ବିଜୟ :

ଗୋଆ ନିର୍ବାଚନ ଫଳାଫଳ ଆସିବା ପରେ ସରକାର ଗଠନ ନେଇ ପଲିଟିକାଲ ଡ୍ରାମା ଆରମ୍ଭ ହୋଇଥିଲା । କାରଣ ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭା ନିର୍ବାଚନରେ ୧୭ ସିଟରେ ବିଜୟ ସହ ବଡ ଦଳ ଭାବେ ଉଭା ହୋଇଥିଲା କଂଗ୍ରେସ । ତେବେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବରରୁ ମାତ୍ର ୪ ହାତ ପଛରେ ଥିଲା କଂଗ୍ରେସ । ଏପରିକି କଂଗ୍ରେସ ସରକାର ଗଠନ କରିବ ବୋଲି ସମସ୍ତଙ୍କର ଅନୁମାନ ଥିଲା । କିନ୍ତୁ ଅଚାନକ ଗୋଟିଏ ରାତି ମଧ୍ୟରେ ସବୁ କିଛି ବଦଳିଗଲା । ବିଜେପିର କ୍ରାଇସିସ ମ୍ୟାନେଜର କୁହାଯାଉଥିବା ନୀତିନ ଗଡକରୀଙ୍କୁ ଗୋଆରେ ବିଜେପି ପାଇଁ ସମର୍ଥନ ଜୁଟାଇବାକୁ ବଡ ଦାୟିତ୍ୱ ଦେଇଥିଲା ଦଳ । ମାତ୍ର ୧୩ ଆସନରେ ଜିତିଥିଲେ ମଧ୍ୟ ଅନ୍ୟ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ଯୋଗାଡ କରିବା ସହ ମ୍ୟାଜିକ ନମ୍ବର ହାସଲ କରିଥିଲା ବିଜେପି । ଆଉ ଏହାସହ ଗୋଆରେ ସରକାର ଗଢିଥିଲା ବିଜେପି ଓ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ମନୋହର ପାରିକର । ଏପରିକି ପରବର୍ତ୍ତୀ ସମୟରେ କଂଗ୍ରେସର ୧୭ ବିଧାୟକଙ୍କ ମଧ୍ୟରୁ ୧୦ ବିଧାୟକଙ୍କୁ ନିଜ ଶିବିରକୁ ଆଣିବାକୁ ସକ୍ଷମ ହୋଇଥିଲା ବିଜେପି ।

ମଣିପୁରରେ ରାତାରାତି ମାତ୍ ଖାଇଗଲା କଂଗ୍ରେସ :

ଗୋଆ ଭଳି ମଣିପୁରରେ ମଧ୍ୟ ସମାନ ସ୍ଥିତି ଉପୁଜିଥିଲା । କିନ୍ତୁ ଶାହାଙ୍କ ମାଷ୍ଟରଷ୍ଟ୍ରୋକରେ ମାତ୍ ଖାଇଥିଲା କଂଗ୍ରେସ । ୬୦ ଆସନ ବିଶିଷ୍ଟ ମଣିପୁର ବିଧାନସଭା ନିର୍ବାଚନରେ ୨୮ଟି ଆସନ ଜିତି ବଡ ଦଳ ଭାବେ ଉଭା ହୋଇଥିଲା କଂଗ୍ରେସ । ବିଜେପିକୁ ମିଳିଥିଲା ୨୧ ଆସନ । କିନ୍ତୁ କଂଗ୍ରେସ ମଣିପୁର କମାଣ ଧରିବାକୁ ଚିନ୍ତା କରିବା ପୂର୍ବରୁ ବିଜେପି ଚାଣକ୍ୟ ଖେଳିଥିଲେ ବଡ ଚାଲ । ଗୋଟିଏ ରାତିରେ ବଦଳି ଯାଇଥିଲା ମଣିପୁର ରାଜନୀତିର ଚିତ୍ର । ଅନ୍ୟ ଛୋଟ ଦଳକୁ ସାଥୀ କରି ମଣିପୁରକୁ ନିଜ ଦଖଲକୁ ନେଇଥିଲା ବିଜେପି । ଆଉ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ଏନ ବୀରେନ ମିତ୍ର ।

ସର୍ଜିକାଲ ଷ୍ଟ୍ରାଇକ :

ଗୋଟିଏ ପଟେ ରାଜନୀତିରେ ବିଜେପି ଚାଣକ୍ୟଙ୍କ କୂଟନୀତି ସଫଳ ହେଉଥିବା ବେଳେ ଅନ୍ୟପଟେ ମୋଦିଙ୍କ ନେତୃତ୍ୱାଧୀନ ବିଜେପି ସରକାର ଶତ୍ରୁଙ୍କୁ ରାତି ଅଧିଆ ସାବାଡ କରି ଚର୍ଚ୍ଚାକୁ ଆସିଥିଲା । ୨୦୧୬ ସେପ୍ଟେମ୍ବର ୨୮-୨୯ରେ ପାକିସ୍ତାନ ମାଟିରେ ଭାରତୀୟ ସେନା ଆତଙ୍କବାଦୀଙ୍କ ଉପରେ ରାତି ଅଧିଆ କରିଥିଲେ ସର୍ଜିକାଲ ଷ୍ଟ୍ରାଇକ । ଯାହା ପାକିସ୍ତାନର ଅସଲ ମୁଖାକୁ ପଦାରେ ପକାଇଥିଲା । ଆଉ ମୋଦି ସରକାରଙ୍କ ଏଭଳି ସାହସିକ ପଦକ୍ଷେପକୁ ସେତେବେଳେ ପୂରା ଦେଶବାସୀ ପ୍ରଂଶସା କରିଥିଲେ । କିନ୍ତୁ ମୋଦି ସରକାରଙ୍କ ରାତିଅଧିଆ ଏଭଳି ଅପରେସନ ଆତଙ୍କବାଦୀଙ୍କ ଆଖିରୁ ନିଦ ହଜାଇ ଦେଇଥିଲା ।

ରାତି ଅଧରେ ଏୟାରଷ୍ଟ୍ରାଇକ :

ସର୍ଜିକାଲ ଷ୍ଟ୍ରାଇକ ପରେ ମଧ୍ୟ ସୁଧୁରିନଥିଲେ ସୀମା ସେପାରିରେ ରହୁଥିବା ଆତଙ୍କବାଦୀ । ପୁଣିଥରେ ପୁଲୱାମାରେ ସେନା ଗାଡି ଉପରେ ବଡ ଧରଣର ଆକ୍ରମଣ କରିଥିଲେ ଆତଙ୍କବାଦୀ । ଯେଉଁଥିରେ ୪୦ରୁ ଉଦ୍ଧ୍ୱର୍ ଯବାନ ସହିଦ ହୋଇଥିଲେ । ଆଉ ଏହାର ପ୍ରତିଶୋଧ ନେବାକୁ ପଛଘୁଞ୍ଚା ଦେଇନଥିଲେ ମୋଦି ସରକାର । ୨୬ ଫେବ୍ରୁଆରୀ ୨୦୧୯ ମଧ୍ୟରାତ୍ରି ପାକିସ୍ତାନ ବାଲାକୋଟ ଆତଙ୍କବାଦୀ ଶିବିର ଉପରେ ଏୟାରଷ୍ଟ୍ରାଇକ କଲେ ଭାରତୀୟ ଯବାନ । କିଛି କ୍ଷଣ ମଧ୍ୟରେ ଧ୍ୱଂସ ପାଇଯାଇଥିଲା ଆତଙ୍କବାଦୀଙ୍କ ଆଡ୍ଡା । ରାତି ପାହିବା ପୂର୍ବରୁ ସବୁ କିଛି ଶେଷ କରି ଫେରି ଆସିଥିଲେ ଭାରତୀୟ ଏୟାରଫୋର୍ସର ବୀର ଯବାନ । ଆଉ ଏହାର ଟିକିଏ ବି ସୁରାକ ପାଇନଥିଲେ ଶତ୍ରୁପକ୍ଷ ।

ବିମୁଦ୍ରାକରଣ :

୮ ନଭେମ୍ବର ୨୦୧୬ । ରାତି ୮ଟା । ହଠାତ୍ ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିବେ ବୋଲି ଖବର ଆସିଲା । ଆଉ ମୋଦି ଯେଉଁ ଘୋଷଣା କଲେ ତାହା ପୂରା ଦେଶବାସୀଙ୍କୁ ଚକିତ କରିଦେଲା । ୮ ତାରିଖ ରାତି ୮ଟାରେ ବିମୁଦ୍ରାକରଣ ନେଇ ବଡ ଘୋଷଣା କରିଲେ ମୋଦି । ଯାହା କେହି କେବେ ସ୍ୱପ୍ନରେ ଭାବିନଥିଲେ ତାହାକୁ ଗୋଟିଏ ଚୁଟକିରେ କରି ଦେଖାଇଲେ ମୋଦି ସରକାର । ୮ ତାରିଖ ମଧ୍ୟରାତ୍ରୀରୁ ୫୦୦ ଓ ୧୦୦୦ ଟଙ୍କିଆ ନୋଟକୁ ଅଚଳ ଘୋଷଣା କରିଲେ ମୋଦି । ଆଉ ପ୍ରଧାନମନ୍ତ୍ରୀଙ୍କ ଏହି ନିଷ୍ପତି କଳାଟଙ୍କା ବିରୋଧରେ ବଡ ଲଢେଇ ବୋଲି କୁହାଗଲା । ମୋଦି ସରକାରଙ୍କ ଏଭଳି ମାଷ୍ଟରଷ୍ଟ୍ରୋକକୁ ସେତେବେଳେ ଦେଶବାସୀ ବେଶ ପସନ୍ଦ କରିଥିଲେ ।