କୁମାର ପୂର୍ଣ୍ଣିମାରେ ତାସ ଖେଳ ପୂରୁଣା ପରମ୍ପରା । ପରମ୍ପରା ନାଁରେ ବେଧଡକ ଚାଲେ ଜୁଆ ଖେଳ ।

183

କନକ ବ୍ୟୁରୋ : ଆଇନ ଦୃଷ୍ଟିରେ ଜୁଆ ଅପରାଧ ଓ ସମାଜ ଦୃଷ୍ଟିରେ ଜୁଆ ଖେଳ ଓ ଜୁଆଡି ହେଉଛନ୍ତି ଖରାପ । କିନ୍ତୁ ବର୍ଷକରେ ଥରେ ସମସ୍ତଙ୍କୁ ବିନା ବାଧାରେ ଜୁଆ ଖେଳିବାକୁ ଅନୁମତି ଦିଏ ସମାଜ । କଥାଟି ଶୁଣିବାକୁ ଅଡୁଆ ଲାଗୁଥିଲେ ମଧ୍ୟ ସତ । ଦକ୍ଷିଣ ଓଡିଶାରେ କୁମାର ପୂର୍ଣ୍ଣିମା ଉତ୍ସବରେ ଜୁଆ ଖେଳ ଏକ ସର୍ବମାନ୍ୟ ପୁରୁଣା ପରମ୍ପରା । କୁମାର ପୂର୍ଣ୍ଣିମା ଦିନ ଘରର ସମସ୍ତ ସଦସ୍ୟ ତାସ ଖେଳି ମଉଜ କରିବା ପରମ୍ପରା ରହିଥିଲା । କାଳକ୍ରମେ ତାସ ଖେଳରେ ଟଙ୍କା ବାଜି ଲଗାଇ ଖେଳିବା ଆରମ୍ଭ ହେଲା ଓ ଏହା କୁମାର ପୂର୍ଣ୍ଣିମାର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ପରମ୍ପରାରେ ସ୍ଥାନ ପାଇଲା ।

ଜୁଆ ଖେଳ ଆଇନ ଦୃଷ୍ଟିରେ ଅପରାଧ । କିନ୍ତୁ ଓଡିଶାରେ ଏମିତି ଏକ ପର୍ବ ପାଳିତ ହୁଏ, ଯେଉଁଥିରେ୍ ଜୁଆ ଖେଳିବାକୁ ସମସ୍ତଙ୍କୁ ଅନୁମତି ମିଳିଥାଏ । ଦକ୍ଷିଣ ଓଡିଶାର ପାଳିତ ହେଉଥିବା କୁମାର ପୂର୍ଣ୍ଣିମାରେ ଜୁଆ ଖେଳକୁ ପରିବାର ଲୋକ ମନା କରନ୍ତି ନାହିଁ, ବରଂ ଜୁଆ ଖେଳିବାକୁ ଟଙ୍କା ଦିଅନ୍ତି ।

କୁମାର ପୂର୍ଣ୍ଣିମାରେ ତାସ ଖେଳ ପୂରୁଣା ପରମ୍ପରା । ପରମ୍ପରା ନାଁରେ ବେଧଡକ ଚାଲେ ଜୁଆ ଖେଳ । କୁମାର ପୂର୍ଣ୍ଣିମା ଦିନ ସମସ୍ତଙ୍କ ସାମ୍ନାରେ ସମାଜର, ପରିବାରର ସ୍ୱୀକୃତିରେ ଚାଲେ ଜୁଆ ଖେଳ । ଘରେ ଘରେ ପିଠା ପଣା ସହ ପରିବାର ସଦସ୍ୟଙ୍କ ଭିତରେ ଜମିଥାଏ ତାସ ଖେଳର ଆସର । ଏପରିକି କୁମାର ପୂର୍ଣ୍ଣିମାରେ ଶାଶୂ ନିଜ ଜ୍ୱାଇଁଙ୍କୁ ତାସ ଖେଳିବା ପାଇଁ ଟଙ୍କା ଦେଇଥାନ୍ତି । ବଡ଼ମାନେ ଛୋଟ ପିଲାଙ୍କୁ ତାସ ଖେଳିବାକୁ ଟଙ୍କା ଦେଇଥାନ୍ତି ।

କୁମାର ପୂର୍ଣ୍ଣିମା ପରମ୍ପରାର ଦ୍ୱାହି ଦେଇ କିଛି ଯୁବପୀଢି ଜୁଆ ଖେଳରେ ମାତୁଛନ୍ତି । ଏପରିକି ଦଶହରା ପରଠୁ ଲକ୍ଷ ଲକ୍ଷ ଟଙ୍କା ଜୁଆରେ ହାରି ନିଜର ସର୍ବନାଶ କରୁଛନ୍ତି । ତେଣୁ ଜୁଆଡିଙ୍କୁ ଧରିବା ପାଇଁ ପୋଲିସ ସ୍ୱତନ୍ତ୍ର ଟିମ୍ ଗଠନ କରିଛି । ଏହାରି ଭିତରେ ବ୍ରହ୍ମପୁର ପୁଲିସ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି ପୁଲିସ ଶହେରୁ ଅଧିକ ଜୁଆଡିଙ୍କୁ ଗିରଫ କରିବା ସହ ୫ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି । ସେହିଭଳି ଗଞ୍ଜାମ ପୋଲିସ ଜିଲ୍ଲାରେ ବିଭିନ୍ନ ଜୁଆ ଆଡ୍ଡାରୁ ୮ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି ଓ ୩୧୫ ଜୁଆଡି ଗିରଫ ହୋଇଛନ୍ତି । ତେବେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଜୁଆ ଖେଳ କମ୍ ହୋଇଥିବା ସୂଚନା ଦେଇଛନ୍ତି ପୋଲିସ ଅଧିକାରୀ ।