କନକ ବ୍ୟୁରୋ : ଆଇପିଏଲରେ ପ୍ରଥମ ଥର ଏଣ୍ଟ୍ରି ମାରିଥିବା ଲକ୍ଷ୍ନୌ ସୁପର ଜାଏଣ୍ଟସ ପ୍ଲେ-ଅଫରେ ମାତ୍ ଖାଇବା ସହ ଆଇପିଏଲ ଅଭିଯାନ ଶେଷ କରିଛି । ଲକ୍ଷ୍ନୌ ଏଲିମିନେଟର ଠାରୁ ଆଗକୁ ବଢି ପାରିନାହିଁ । ଏଲିମିନେଟର ମ୍ୟାଚରେ ବାଙ୍ଗାଲୋର ଠାରୁ ୧୪ ରନରେ ପରାଜିତ ହେବା ସହ ଲକ୍ଷ୍ନୌ ଫାଇନାଲ ରେସରୁ ବାଦ୍ ପଡିଛି । ଆଉ ଏହି ପରାଜୟ ପରେ ଲକ୍ଷ୍ନୌ ସୁପର ଜାଏଣ୍ଟସର ଅଧିନାୟକ ଓ ଟିମର ମେଣ୍ଟର ଗୌତମ ଗମ୍ଭୀରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।
ଲକ୍ଷ୍ନୌର ମେଣ୍ଟର ଗୌତମ ଗମ୍ଭୀର ଏକ ଫଟୋ ସେୟାର କରିବା ସହ ଲେଖିଛନ୍ତି, ଆଜି ଭାଗ୍ୟ ଭଲ ନଥିଲା । କିନ୍ତୁ ଆମ ଟିମ୍ ପାଇଁ ଏହା ଏକ ଭଲ ଟୁର୍ଣ୍ଣାମେଣ୍ଟ ଥିଲା । ଆମେ ଆହୁରି ଶକ୍ତିଶାଳୀ ହୋଇ ଫେରିବୁ ।
ସେହିଭଳି ଲକ୍ଷ୍ନୌର ଅଧିନାୟକ କେଏଲ ରାହୁଲ ଇନଷ୍ଟାଗ୍ରାମରେ ଫଟୋ ସେୟାର କରିବା ସହ ପ୍ରଂଶସକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ରାହୁଲ କହିଛନ୍ତି, ମୁଁ ଅନେକ ପ୍ରେରଣା ପାଇଛି । ପ୍ରଥମ ସ୍ପେଶାଲ ସିଜିନ ଶେଷ ହୋଇଛି । ଯେଉଁଭଳି ଆମେ ଚାହୁଁଥିଲୁ, ସେଭଳି ହେଲା ନାହିଁ । କିନ୍ତୁ ଶେଷ ପର୍ଯ୍ୟନ୍ତ ଆମେ ଲଢେଇ କରିଥିଲୁ । ଲକ୍ଷ୍ନୌ ସୁପର ଜାଏଣ୍ଟସର ପରିବାରକୁ ଧନ୍ୟବାଦ । ସର୍ପୋଟ ଷ୍ଟାଫ, ଟିମ୍ ମ୍ୟାନେଜମେଣ୍ଟ ଓ ଡ. ସଞ୍ଜୀବ ଗୋଏନକାଙ୍କୁ ମଧ୍ୟ ଧନ୍ୟବାଦ । ଆମର ପ୍ରଂଶସକଙ୍କୁ ଧନ୍ୟବାଦ ଯେଉଁମାନେ ପ୍ରଥମ ସିଜିନରୁ ହିଁ ଆମ ଟିମକୁ ଏତେ ଭଲପାଇବା ଦେଇଛନ୍ତି ।
ଲିଗ୍ ପର୍ଯ୍ୟାୟରେ ଲକ୍ଷ୍ନୌ ୧୪ ମ୍ୟାଚରୁ ୯ଟିରେ ବିଜୟୀ ହେବା ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଥିଲା । ଅଧିନାୟକ କେଏଲ ରାହୁଲ, ମୋହସିନ ଖାନ୍, ଆୟୁଷ ବଦାନିଙ୍କ ଭଳି ଖେଳାଳୀ ଦମଦାର ପ୍ରଦର୍ଶନ କରିଥିଲେ ।