ପଡିଆ ମଧ୍ୟରେ ଶ୍ରୀସନ୍ଥ ଓ ଗମ୍ଭୀରଙ୍କ ମଧ୍ୟରେ ତୁ ତୁ ମେଁ ମେଁ । ଶ୍ରୀସନ୍ଥ କହିଲେ, ମୋତେ ନିଚ୍ଚା ଦେଖାଇଲେ, ସିନିୟର ଖେଳାଳୀ ଭାବେ ଏଭଳି କହିବା ଠିକ୍ ନୁହେଁ ।

930

କନକ ବ୍ୟୁରୋ : ଲିଜଣ୍ଡେସ କ୍ରିକେଟ ଲିଗ୍ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଖେଳାଳୀଙ୍କୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ହେଉଛି । ଭାରତର ବିଭିନ୍ନ ସହରରେ ଏହି ଲିଗର ମ୍ୟାଚ୍ ଖେଳାଯାଉଛି । ପୁରୁଣା ଷ୍ଟାରଙ୍କ ଖେଳ ପୁଣିଥରେ ଦେଖିବାକୁ ଷ୍ଟାଡିୟମରେ ମଧ୍ୟ ଦର୍ଶକଙ୍କର ଭିଡ ହେଉଛି । ଏହି ମ୍ୟାଚରେ କ୍ରିକେଟରଙ୍କ ମଧ୍ୟରେ ଜୋରସୋରରେ କଥା କଟାକଟି ଦେଖିବାକୁ ମିଳୁଛି ।ଇଣ୍ଡିଆ କ୍ୟାପିଟାଲ୍ସ ଓ ଗୁଜୁରାଟ ଜାଏଣ୍ଟସ ମଧ୍ୟରେ ହୋଇଥିବା ମୁକାବିଲାରେ ମଧ୍ୟ ଏଭଳି ଦେଖିବାକୁ ମିଳିଛି । ପୂର୍ବତନ ଭାରତୀୟ କ୍ରିକେଟର ଏସ୍ ଶ୍ରୀସନ୍ଥ ଓ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆରେ କଥା କଟାକଟି ହୋଇଥିବାର ଦେଖିବାକୁ ମିଳିଛି । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏପରିକି ନିଜେ ଶ୍ରୀସନ୍ଥ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରି କହିଛନ୍ତି ଯେ, ସିନିୟର ଖେଳାଳୀ ଭାବେ ଗୌତମ ଗମ୍ଭୀର ପଡିଆ ମଝିରେ ଯାହା କହିଲେ ତାହା ଉଚିତ୍ ନଥିଲା ।

ମ୍ୟାଚ୍ ପରେ ଶ୍ରୀସନ୍ଥ ଏକ ପୋଷ୍ଟ ସେୟାର କରି କହିଥିଲେ, ମିଷ୍ଟର ଫାଇଟର ଓ ମୋ ମଧ୍ୟରେ ଯାହା ହେଲା ତାହାକୁ ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି । ଗମ୍ଭୀର ସବୁବେଳେ ନିଜର ସାଥୀ ଖେଳାଳୀଙ୍କ ସହ ଝଗଡା କରୁଛନ୍ତି ଏବଂ ତାହା ବି ପୁଣି ବିନା କାରଣରେ । ବୀରେନ୍ଦ୍ର ସେହୱାଗ ଓ ଅନ୍ୟ ଖେଳାଳୀଙ୍କ ସହ ମଧ୍ୟ ଏଭଳି ବ୍ୟବହାର କରନ୍ତି । ସିନିୟର ଖେଳାଳୀଙ୍କୁ ସମ୍ମାନ କରନ୍ତିନି । ଆଜି ମଧ୍ୟ ସେଭଳି କିଛି ହେଲା, ବାରମ୍ବାର ପଡିଆରେ ସେ ଉସକାଉଥିଲେ । ପଡିଆ ଭିତରେ ଯାହା ବି ସେ କହୁଥିଲେ ତାହା ବେଶ ଅଭଦ୍ରାମୀ ଥିଲା । ମୋର କୌଣସି ଭୁଲ ନଥିଲା । ଗୌତମ ଗମ୍ଭୀର ପଡିଆ ମଧ୍ୟରେ କଣ କରୁଥିଲେ ତାହା ଖୁବଶୀଘ୍ର ସମସ୍ତେ ଜାଣିଯିବେ । ପଡିଆ ଭିତରେ ଲାଇଭ ମ୍ୟାଚରେ ଏଭଳି ଶବ୍ଦ ଆଦୌ ଗ୍ରହଣୀୟ ନୁହେଁ । ମୋ ପରିବାର, ମୋ ରାଜ୍ୟ ଏପରିକି ମୋତେ ଭଲ ପାଉଥିବା ପ୍ରତିଟି ବ୍ୟକ୍ତି ବହୁତ ସହିଲେଣି । କିନ୍ତୁ ଏବେ ବିନା କାରଣରେ କେହି ମୋତେ ନିଚ୍ଚା ଦେଖାଇବ ଏବଂ ଅପମାନିତ କରିବ ତାହା ଉଚିତ୍ ନୁହେଁ । ଗୌତମ ଗମ୍ଭୀର ଏଭଳି କଥା ଆଦୌ କହିବାର ନଥିଲା ।

ଏହାପୂର୍ବରୁ ଗତ ଆଇପିଏଲରେ ଗୌତମ ଗମ୍ଭୀର ଓ ବିରାଟ କୋହଲିଙ୍କ ମଧ୍ୟରେ ପଡିଆରେ ତୁ ତୁ ମେଁ ମେଁ ଦେଖିବାକୁ ମିଳିଥିଲା । ଯାହାକୁ ନିଜ ଭିଡ଼ିଓରେ ମଧ୍ୟ ପ୍ରକାଶ କରିଥିଲେ ଶ୍ରୀସନ୍ଥ । ୨୦୦୭ ଟି-୨୦ ବିଶ୍ୱକପ ଓ ୨୦୧୧ ବିଶ୍ୱକପ ଦଳର ସଦସ୍ୟ ରହି ସାରିଛନ୍ତି ଗୌତମ ଗମ୍ଭୀର । ଟି-୨୦ ବିଶ୍ୱକପର ଫାଇନାଲରେ ମିସବା ଉଲ୍ ହକଙ୍କ କ୍ୟାଚ୍ ଧରି ଭାରତକୁ ବିଶ୍ୱବିଜୟୀ କରାଇଥିଲେ ଶ୍ରୀସନ୍ଥ ।

 

View this post on Instagram

 

A post shared by SREE SANTH (@sreesanthnair36)