ବିରାଟଙ୍କୁ ପ୍ରଶ୍ନ କଲେ ଗୌତମ ଗମ୍ଭୀର । ୮ ବର୍ଷ ହେଲା ବିନା ଟ୍ରଫିରେ କେମିତି ଅଛନ୍ତି ଅଧିନାୟକ ।

1,957

କନକ ବ୍ୟୁରୋ: ଆଇପିଏଲ୍ ୨୦୨୧ ସିଜିନ୍ ପାଇଁ ଏବେଠୁ ପ୍ରସ୍ତୁତ ହେଲେଣି ସବୁ ଦଳ । ବୁଧବାର ଖେଳାଳିମାନଙ୍କର ରିଲିଜ୍ ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି । ଏଥିରେ ସବୁ ଦଳ ସେମାନଙ୍କର କିଛି ଖେଳାଳିଙ୍କୁ ନିଲାମ ପ୍ରକ୍ରିୟାକୁ ଛାଡିଦେଇଥିବାବେଳେ ବାକି ଖେଳାଳିଙ୍କୁ ରିଟେନ୍ ରଖିଛନ୍ତି । ଏହାରି ଭିତରେ ପୂର୍ବତନ ଭାରତୀୟ ଖେଳାଳି ଗୌତମ ଗମ୍ଭୀର ଆରସିବିର ଅଧିନାୟକ ବିରାଟ କୋହଲିଙ୍କୁ ଟାର୍ଗେଟ କରିଛନ୍ତି ।

ଗମ୍ଭୀର ଜାତୀୟ ଗଣମାଧ୍ୟମର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି, ଗତ ଆଠ ବର୍ଷ ଧରି କୋହଲି ଗୋଟିଏ ବି ଟ୍ରଫି ଜିତିନାହାନ୍ତି । ଏହା ଏକ ଲମ୍ବା ସମୟ । କୌଣସି ଖେଳାଳି କିମ୍ବା କ୍ୟାପଟେନ୍ ବିନା କୌଣସି ଟ୍ରଫିରେ ୮ ବର୍ଷ ଖେଳିବା ସେ ଦେଖିନାହାନ୍ତି । ଏଥିସହ ଏହି କଥାକୁ କୋହଲି ମଧ୍ୟ ଗ୍ରହଣ କରିବା ଉଚିତ୍ ବୋଲି ଗମ୍ଭୀର କହିଛନ୍ତି ।

ଗମ୍ଭୀର, ବିରାଟ କୋହଲିଙ୍କୁ ଏହି ଆକ୍ଷେପ କରିବାର କାରଣ ହେଲା, ଆରସିବି ତା ଦଳର ପାଖାପାଖି ୧୦ ଜଣ ଖେଳାଳିଙ୍କୁ ନିଲାମ ପ୍ରକ୍ରିୟାକୁ ଛାଡିଦେଇଛି । ଏହା ଭିତରେ କ୍ରିସ୍ ମୋରିସ୍, ଆରୋନ୍ ଫିଞ୍ଚ, ମୋଇନ୍ ଅଲ୍ଲୀ, ଇସରୁ ଉଡାନା, ଡେଲ୍ ଷ୍ଟେନ୍, ଶିଭମ ଦୁବେ, ଉମେଶ ଯାଦବ, ପବନ ନେଗି, ଗୁରକିରତ ସିଂହ ଓ ପାର୍ଥିକ ପଟେଲଙ୍କ ଭଳି ଖେଳାଳି ସାମିଲ ଅଛନ୍ତି । ଏତେ ସଂଖ୍ୟକ ଖେଳାଳିଙ୍କୁ ଦଳରୁ ବାହାର କରାଯିବା ଦଳ ପାଇଁ ଠିକ୍ ନୁହେଁ । ଏହାଦ୍ୱାରା ଗୋଟିଏ ଟିମର ପ୍ରଦର୍ଶନ ପ୍ରଭାବିତ ହୋଇଥାଏ ବୋଲି ଗମ୍ଭୀର କହିଛନ୍ତି ।

ବିଶେଷକରି କ୍ରିସ୍ ମୋରିସ୍ ଓ ଉମେଶ ଯାଦବଙ୍କୁ ଆରସିବି ଦଳରୁ ନିଲାମ ପ୍ରକ୍ରିୟାକୁ ଛାଡିଦେବା ଗମ୍ଭୀର ଗ୍ରହଣ କରିପାରିନାହାନ୍ତି । ଏହି ଦୁଇ ଖେଳାଳି ଭଲ ପ୍ରଦର୍ଶନ କରିଥିଲେ ବି ଦଳ ତାଙ୍କୁ କାହିଁକି ନିଲାମ ପ୍ରକ୍ରିୟାକୁ ଛାଡିଲା ତାକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି ।