ଏସିଆ କପ୍ ଚାମ୍ପିୟନ ହେଲା ଶ୍ରୀଲଙ୍କା, ପଡିଆ ମଝିରେ ପତାକା ଉଡାଇଲେ ପୂର୍ବତନ ଭାରତୀୟ କ୍ରିକେଟର । ଗମ୍ଭୀର କହିଲେ, ସୁପରଷ୍ଟାର ଟିମ୍ ।
କନକ ବ୍ୟୁରୋ : ଏସିଆ କପର ଫାଇନାଲ ମ୍ୟାଚରେ ପାକିସ୍ତାନକୁ ୨୩ ରନରେ ମାତ୍ ଦେଇ ଚାମ୍ପିୟନ ହୋଇଛି ଶ୍ରୀଲଙ୍କା । ଏହାସହ ୬ଥର ଏସିଆ କପ ନିଜ ନାଁରେ କରିଛି ଶ୍ରୀଲଙ୍କା । ଏସିଆ କପର ଚାମ୍ପିୟନ ହେବା ପରେ ଟିମର ଖେଳାଳୀ ସେଲିବ୍ରେସନ କରିଛନ୍ତି ।ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଶ୍ରୀଲଙ୍କା ବିଜୟରେ କେବଳ ଶ୍ରୀଲଙ୍କାବାସୀ ନୁହଁନ୍ତି ବରଂ ଅନ୍ୟ ଦେଶରେ ମଧ୍ୟ ସେଲିବ୍ରେସନ ଦେଖିବାକୁ ମିଳିଛି । ଏପରିକି ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ମଧ୍ୟ ଏହି ସେଲିବ୍ରେସନରେ ନିଜକୁ ସାମିଲ କରିଛନ୍ତି । ଦୁବାଇ ଗ୍ରାଉଣ୍ଡରେ ଗମ୍ଭୀର ଏମିତି କିଛି କରିଛନ୍ତି ଯାହା ବେଶ ଭାଇରାଲ ହେବାରେ ଲାଗିଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଫାଇନାଲ ମ୍ୟାଚ୍ ପରେ ଗମ୍ଭୀର ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଭିଡ଼ିଓ ପୋଷ୍ଟ କରିଥିଲେ, ଯେଉଁଥିରେ ଶ୍ରୀଲଙ୍କା ଚାମ୍ପିୟନ ହେବା ପରେ ଗମ୍ଭୀର ଶ୍ରୀଲଙ୍କାର ପତାକା ଧରିଥିବାର ଦେଖିବାକୁ ମିଳିଥିଲା । ଆଉ ଏହି ଭିଡ଼ିଓ ପୋଷ୍ଟ କରିବା ସହ ଗମ୍ଭୀର ଲେଖିଥିଲେ ସୁପରଷ୍ଟାର ଟିମ୍, ସତରେ ଏଥିପାଇଁ ତୁମେ ହକଦାର । ଆଉ ଗମ୍ଭୀରଙ୍କ ଏହି ଭିଡ଼ିଓକୁ କ୍ରିକେଟପ୍ରେମୀ ଖାସକରି ଶ୍ରୀଲଙ୍କାବାସୀ ବେଶ ପସନ୍ଦ କରିଛନ୍ତି । ଶ୍ରୀଲଙ୍କାର ବିଜୟରେ ଜଣେ ପୂର୍ବତନ କ୍ରିକେଟର ଭାବେ ଗମ୍ଭୀର ଯେଉଁ ସମ୍ମାନ ଦେଖାଇଛନ୍ତି ତାହା ଶ୍ରୀଲଙ୍କାବାସୀଙ୍କ ମନ ଜିଣିନେଇଛି ।
Superstar team…Truly deserving!! #CongratsSriLanka pic.twitter.com/mVshOmhzhe
— Gautam Gambhir (@GautamGambhir) September 11, 2022
ଏସିଆ କପର ଫାଇନାଲ ମୁକାବିଲାରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ପ୍ରଥମରୁ ନିୟମିତ ବ୍ୟବଧାନରେ ୱିକେଟ ହରାଇ ସଙ୍କଟଜନକ ସ୍ଥିତିରେ ପଡିଥିଲା । ତେବେ ହସରଙ୍ଗା ଓ ରାଜପକ୍ଷେ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ପାକିସ୍ତାନ ସାମ୍ନାରେ ୧୭୧ ରନର ବିଜୟଲକ୍ଷ୍ୟ ରଖିଥିଲେ । ଜବାବରେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତେ୍ୱ ମଧ୍ୟ ଲଢେଇ କରିଥିଲା ପାକିସ୍ତାନ । ତେବେ ରିଜୱାନ ଓ ଇଫତିକାରଙ୍କ ୱିକେଟ ପତନ ପରେ ପାକିସ୍ତାନ ବିଜୟ ପାଇଁ ସଂଘର୍ଷ କରିଥିଲା । ୨୦ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୧୪୭ ରନ କରିବାକୁ ସକ୍ଷମ ହୋଇଥିଲା ପାକିସ୍ତାନ । ଏହାସହ ୨୩ ରନରେ ଦଳ ପରାଜିତ ହୋଇଥିଲା ।