ଗମ୍ଭୀରଙ୍କୁ ପୁଣି ମିଳିଲା ହତ୍ୟା ଧମକ ।  ପୋଲିସରେ ଆମ ଗୁପ୍ତଚର ଅଛନ୍ତି, ଆଇପିଏସ ଶ୍ୱେତା ବି କିଛି କରିପାରିବେନି । 

145

କନକ ବ୍ୟୁରୋ :  ବିଜେପି ସାଂସଦ ତଥା ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ । ଗୋଟିଏ ସପ୍ତାହରେ ଗମ୍ଭୀରଙ୍କ ନିକଟକୁ ଏଭଳି ୩ଥର ଧମକ ଆସିଲାଣି । ଆଇଏସଆଇଏସ  କାଶ୍ମୀର ନାଁରେ ଗୌତମ ଗମ୍ଭୀରଙ୍କ ନିକଟକୁ ଏଭଳି ଏକ ଧମକପୂର୍ଣ୍ଣ ମେଲ ଆସିଛି । ଯେଉଁଥିରେ କୁହାଯାଇଛି ଯେ, ତୁମ ସୁରକ୍ଷାରେ ଥିବା ପୋଲିସ ବି କିଛି କରିପାରିବେ ନାହିଁ ।

ସୋସିଆଲ ମିଡ଼ିଆରେ ଗୌତମ ଗମ୍ଭୀର ଏହି ଟ୍ୱିଟ୍ ସେୟାର କରିଥିବା ବେଳେ ଏଥିରେ ଲେଖାଯାଇଛି ଯେ, ତୁମ ଦିଲ୍ଲୀ ପୋଲିସ ଓ ଆଇପିଏସ ଶ୍ୱେତା ବି କିଛି କରିପାରିବେନି । କାରଣ ଦିଲ୍ଲୀ  ପୋଲିସରେ ଆମର ବି ଗୁପ୍ତଚର ଅଛନ୍ତି । ତୁମ ବାବଦରେ ଆମ ପାଖରେ ସବୁ ତଥ୍ୟ ରହିଛି । ଏହି ଇମେଲରେ ଆଇପିଏସ ଅଫିସର ଶ୍ୱେତାଙ୍କ କଥା ଉଲ୍ଲେଖ ଅଛି । ଯିଏ ଏବେ ଦିଲ୍ଲୀର ସେଣ୍ଟ୍ରାଲ ଅଞ୍ଚଳର ଡିସିପି ରହିଛନ୍ତି ।

ଗୌତମ ଗମ୍ଭୀରଙ୍କ ନିକଟକୁ ପ୍ରଥମଥର ପାଇଁ ଏଭଳି ଧମକପୂର୍ଣ୍ଣ ମେଲ ଆସିନାହିଁ । ବରଂ ଗୋଟିଏ ସପ୍ତାହ ମଧ୍ୟରେ ୩ ଥର ଏଭଳି ଧମକପୂର୍ଣ୍ଣ ଇମେଲ ଆସିଲାଣି । ଆଉ ପ୍ରତିଥର ଆଇଏସଆଇଏସ କାଶ୍ମୀର ନାଁରେ ଏଭଳି ମେଲ ଆସୁଛି । ଯାହା ଦିଲ୍ଲୀ ପୋଲିସର ଚିନ୍ତା ବଢାଇଛି । ଖାସକରି ଯେତେବେଳେ ଦିଲ୍ଲୀ ପୋଲିସରେ ମଧ୍ୟ ଗୁପ୍ତଚର ଥିବା କଥା ଆଇଏସଆଇଏସ କାଶ୍ମୀର ଉଲ୍ଲେଖ କରିଛି ସେତେବେଳେ ଏହି ଧମକକୁ ଆହୁରି ଗୁରୁତର ସହ ନେଇଛି ଦିଲ୍ଲୀ ପୋଲିସ ।

ଏହାପୂର୍ବରୁ ଗତ ମଙ୍ଗଳବାର ଓ ବୁଧବାର ଦିନ ଗୌତମ ଗମ୍ଭୀରଙ୍କୁ ଜୀବନରୁ ମାରିବାକୁ ଧମକପୂର୍ଣ୍ଣ ମେଲ୍ ଆସିଥିଲା । ମଙ୍ଗଳବାର ଏହି ମେଲ ଆସିବା ପରେ ଏବାବଦରେ ପୋଲିସରେ ଅଭିଯୋଗ କରିଥିଲେ । ଆଉ ଅଭିଯୋଗ ମିଳିବା ମାତ୍ରେ ପୋଲିସ ମଧ୍ୟ ଏହି ମେଲ କେଉଁଠି ଆସିଛି ଓ କିଏ ପଠାଇଛି ତାହାର ଯାଞ୍ଚ କରିଥିଲା । ସେହିଭଳି ବୁଧବାର ଦିନ ମଧ୍ୟ ଗମ୍ଭୀରଙ୍କ ନିକଟକୁ ଉକ୍ତ ଆଇଏସଆଇଏସ କାଶ୍କୀର ନାଁରେ ଆଉ ଏକ ଧମକପୂର୍ଣ୍ଣ ମେଲ ଆସିଥିଲା । ଯେଉଁଥିରେ ସିଧାସଳଖ ଧମକ ଦିଆଯାଇଥିଲା ଯେ, ମଙ୍ଗଳବାର ତୁମକୁ ମାରିବାକୁ ଚାହୁଁଥିଲୁ, କିନ୍ତୁ ତୁମେ ବଞ୍ଚିଗଲା । ଏବେ କାଶ୍ମୀର ଠାରୁ ଦୂରେଇ ରୁହ । ଏହି ମେଲରେ ଗମ୍ଭୀରଙ୍କ ଘରର ବାହାର ଭିଡ଼ିଓ ମଧ୍ୟ ରହିଥିଲା । ଆଉ ଏହାପରେ ସଜାଗ ହୋଇ ଉଠିଥିଲା ପୋଲିସ । ଗମ୍ଭୀରଙ୍କ ଘରର ବାହାରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଥିଲା ।

ପୋଲିସ ଯାଞ୍ଚ କରିବା ପରେ ଏହି ମେଲ ପାକିସ୍ତାନରୁ ଆସିଥିବା ଜାଣିବାକୁ ମିଳିଥିଲା । କାରଣ ଯେଉଁ କମ୍ପ୍ୟୁଟରରୁ ଏହି ମେଲ ପଠାଯାଇଥିଲା ତାହାର ଆଇପି ଆଡ୍ରେସ ପାକିସ୍ତାନରେ ଥିବା ଜାଣିବାକୁ ମିଳିଥିଲା । ଗୁଗୁଲ ପକ୍ଷରୁ ଏହି ସୂଚନା ଦିଲ୍ଲୀ ପୋଲିସକୁ ମିଳିଥିଲା । ଏପରିକି ମେଲ ପଠାଇଥିବା ବ୍ୟକ୍ତିଙ୍କ ବାବଦରେ ମଧ୍ୟ ସୂଚନା ହାସଲ କରିଥିଲା ଦିଲ୍ଲୀ ପୋଲିସ । ପାକିସ୍ତାନରେ ବସି ଶାହିଦ ହାମିଦଙ୍କ ଆକାଉଣ୍ଟରୁ ଏହି ମେଲ ଆସିଥିବା ଜାଣିବାକୁ ମିଳିଥିଲା ।