ପଡିଆରେ ଗମ୍ଭୀର-ଆଫ୍ରିଦି ମିଳାଇଲେ ହାତ । ସୋସିଆଲ ମିଡ଼ିଆରେ ୟୁଜର୍ସ କହିଲେ… ।

385

କନକ ବ୍ୟୁରୋ : ସୋସିଆଲ ମିଡ଼ିଆରୁ ଆରମ୍ଭ କରି ଗଣମାଧ୍ୟମ, ଆଫ୍ରିଦି ଓ ଗମ୍ଭୀରଙ୍କ ମଧ୍ୟରେ ଥିବା ସମ୍ପର୍କ କାହାକୁ ଅଛପା ନାହିଁ । କ୍ରିକେଟ ମ୍ୟାଚରୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ ପରସ୍ପରକୁ ଟାର୍ଗେଟ କରିଥାନ୍ତି ଉଭୟ ଖେଳାଳି । କିନ୍ତୁ କତରରେ ଉଭୟ ଖେଳାଳିଙ୍କୁ ନେଇ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା ।

ଶୁକ୍ରବାରରୁ କତରରେ ଲିଜେଣ୍ଡ ଲିଗ୍ କ୍ରିକେଟ ମାଷ୍ଟର୍ସ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚରେ ଏସିଆ ଲାୟନ୍ସ ବିପକ୍ଷରେ ମୈଦାନକୁ ଓହ୍ଲାଇଥିଲା ଇଣ୍ଡିଆ ମହାରାଜ । ଏସିଆ ଲାୟନ୍ସର ମଙ୍ଗ ସାହିଦ ଆଫ୍ରିଦି ଧରିଥିବା ବେଳେ ଇଣ୍ଡିଆ ମହାରାଜର ମଙ୍ଗ ଧରିଥିଲେ ଗୌତମ ଗମ୍ଭୀର । ଟସ୍ ସମୟରେ ଉଭୟ ଅଧିନାୟକଙ୍କ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଟସ୍ ସମୟରେ ଗୌତମ ଗମ୍ଭୀରଙ୍କ ସହ ହାତ ମିଳାଇଥିଲେ ଆଫ୍ରିଦି । ଆଉ ଏହି ମୁହୂର୍ତ୍ତକୁ କ୍ୟାମେରାରେ କଏଦ କରି ରଖାଯାଇଥିଲା । ଯେଉଁ ଫଟୋରେ ଆଫ୍ରିଦି ବେଶ ଖୁସି ଥିବାର ନଜର ଆସିଥିଲେ କିନ୍ତୁ ଗମ୍ଭୀରଙ୍କୁ ଅତି ଗମ୍ଭୀର ମୁଡରେ ଦେଖିବାକୁ ମିଳିଥିଲା । ଆଉ ଏହି ମୁହୂର୍ତ୍ତର ଫଟୋକୁ ସୋସିଆଲ ମିଡ଼ିଆରେ ଭାଇରାଲ କରିଥିଲେ ୟୁଜର୍ସ ।

 

ପୂର୍ବରୁ ଭାରତ-ପାକିସ୍ତାନ ମ୍ୟାଚ ସମୟରେ ଉଭୟଙ୍କୁ ପଡିଆରେ ଅନେକ ସମୟରେ ତୁତୁ ମେଁ ମେଁ ହେଉଥିବାର ଦେଖିବାକୁ ମିଳେ । ଏପରିକି ବେଳେ ବେଳେ ମୁହାଁମୁହିଁ ସ୍ଥିତିକୁ ମଧ୍ୟ ଉଭୟ ଖେଳାଳି ଆସିଯାଇଥାନ୍ତି । କିନ୍ତୁ ଅମ୍ପାୟାର ଓ ସାଥୀ ଖେଳାଳୀଙ୍କ ପାଇଁ କେବେ ପଡିଆ ମଝିରେ ମାରପିଟ୍ ହୋଇନାହାନ୍ତି ଉଭୟ ଖେଳାଳୀ । ତେଣୁ ଭାରତ-ପାକିସ୍ତାନ ମ୍ୟାଚକୁ ଦର୍ଶକ ଯେତିକି ଅପେକ୍ଷା କରିଥାନ୍ତି ତାହା ଠାରୁ ଅଧିକ ଅପେକ୍ଷା ଥାଏ ଗମ୍ଭୀର-ଆଫ୍ରିଦିଙ୍କୁ ଝଗଡାକୁ । କିନ୍ତୁ ଲିଜେଣ୍ଡ ଲିଗ କ୍ରିକେଟରେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା । ଗମ୍ଭୀର ବ୍ୟାଟିଂ କରୁଥିବା ବେଳେ ବଲ ତାଙ୍କ ହେଲମେଟରେ ବାଜିଥିଲା । ଆଉ ତୁରନ୍ତ ଆଫ୍ରିିଦି ଏ ବାବଦରେ ଗମ୍ଭୀରଙ୍କ ସହ ଆଲୋଚନା କରୁଥିବାର ଦେଖିବାକୁ ମିଳିଥିଲା ।