କଂଗ୍ରେସକୁ ଫେରିଲେ ଗମାଙ୍ଗ ପରିବାର: ଏଆଇସିସି କାର୍ଯ୍ୟାଳୟରେ ଧରିଲେ ହାତ

106

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ପୂର୍ବରୁ ଗମାଙ୍ଗ ପରିବାରର ଘର ବାହୁଡା । କଂଗ୍ରେସକୁ ଫେରିଲେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପୂର୍ବତନ କୋରାପୁଟ ସାଂସଦ ହେମା ଗମାଙ୍ଗ, ପୁଅ ଶିଶିର ଗମାଙ୍ଗ ଏବଂ ପୂର୍ବତନ ବରଗଡ ସାଂସଦ ସଂଜୟ ଭୋଇ । ଦିଲ୍ଲୀରେ ଏଆଇସିସି କୋଷାଧ୍ୟକ୍ଷ ଅଜୟ ମାକେନ୍ ଓ ଓଡିଶା ପ୍ରଭାରୀ ଅଜୟ କୁମାରଙ୍କ ଉପସ୍ଥିତିରେ ହାତ ଧରିଛନ୍ତି । କଂଗ୍ରେସରେ ଯୋଗଦେବା ପରେ ଗିରିଧର ଗମାଙ୍ଗ କହିଛନ୍ତି, ମୋ ଘରକୁ ଫେରିଛି ।

କଂଗ୍ରେସକୁ ଫେରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପତ୍ନୀ ତଥା ପୂର୍ବତନ ବିଧାୟିକା ହେମା ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ । ଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ଦଳରେ ମିଶିଛନ୍ତି ଗମାଙ୍ଗ ପରିବାର । ସେହିପରି ପୂର୍ବତନ ସାଂସଦ ସଂଜୟ ଭୋଇ ମଧ୍ୟ କଂଗ୍ରେସକୁ ଫେରିଛନ୍ତି । ମିଶ୍ରଣ ସମାରୋହରେ ଓଡ଼ିଶା ପ୍ରଭାରୀ ଅଜୟ କୁମାର, ଏଆଇସିସି କୋଷାଧ୍ୟକ୍ଷ ଅଜୟ ମାକେନ୍ ପ୍ରମୁଖ ଉପସ୍ଥିତ ଥିଲେ । ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଧନ୍ୟବାଦ ଜଣାଇବା ସହ ଗିରିଧର ଗମାଙ୍ଗ କହିଛନ୍ତି,
କଂଗ୍ରେସ ଦେଶର ଏକମାତ୍ର ସିଦ୍ଧାନ୍ତବାଦୀ ରାଜନୈତିକ ଦଳ
ତାଙ୍କୁ ୧୧ ଥର ଟିକେଟ ଦେଇଛି କଂଗ୍ରେସ
ଅନ୍ୟ ଦଳକୁ ଯାଇଥିଲେ ବି କଂଗ୍ରେସରେ ତାଙ୍କୁ ସମ୍ମାନ ମିଳିଛି
ଏବେ ବି ଦଳରେ ତାଙ୍କର ଗ୍ରହଣୀୟତା ରହିଛି

୫ ଦଶନ୍ଧୀ ଧରି ରାଜ୍ୟ ରାଜନୀତିରେ ସକ୍ରୀୟ ରହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ । ୧୯୭୨ ମସିହାରେ କୋରାପୁଟରୁ ପ୍ରଥମେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ତାଙ୍କ ରାଜନୈତିକ କ୍ୟାରିୟର ଆଗକୁ ବଢ଼ିଥିଲା ।

ଗମାଙ୍ଗଙ୍କ ରାଜନୈତିକ କ୍ୟାରିୟର
୯ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ଗିରିଧର
୧୭ ଫେବ୍ରୁଆରୀ ୧୯୯୯ରୁ ୬ ଡିସେମ୍ବର ୧୯୯୯ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ଥିବା ବେଳେ ବିଜେପି ସରକାର ବିରୋଧରେ ଅନାସ୍ଥା ଭୋଟ ଦେଇ ବିବାଦୀୟ ହୋଇଥିଲେ
୨୦୦୯ରେ ପ୍ରଥମ ଥର ପାଇଁ କେରାପୁଟ ଲୋକସଭାରୁ ନିର୍ବାଚନ ହାରିଥିଲେ
୨୦୨୩ରେ ବିଜେପି ଛାଡ଼ି ବିଆର୍ଏସ୍ରେ ଯୋଗ ଦେଇଥିଲେ ଗିରିଧର

ସପରିବାର ଗିରିଧର ଗମାଙ୍ଗ କଂଗ୍ରେସକୁ ଫେରିବା ପରେ କୋରାପୁଟରେ ଦଳର ଶକ୍ତି ବୃଦ୍ଧି ପାଇବ ବୋଲି ଆଶା ରଖିଛି ରାଜ୍ୟ କଂଗ୍ରେସ । ପୂର୍ବତନ ବରଗଡ଼ ସାଂସଦ ସଂଜୟ ଭୋଇ ମଧ୍ୟ ଦଳକୁ ଫେରିଛନ୍ତି । ନିର୍ବାଚନ ପୂର୍ବରୁ ଦଳ ଛାଡିଥିବା ଅନେକ ନେତା ପ୍ରତ୍ୟାବର୍ତନ କରିବେ ବୋଲି କହିଛି ରାଜ୍ୟ କଂଗ୍ରେସ ।

ପ୍ରଭାରୀ ଭାବେ ଡକ୍ଟର ଅଜୟ କୁମାର ଦାୟିତ୍ୱ ନେବା ପରେ କଂଗ୍ରେସ ଶିବିର ଚଳଚଂଚଳ ହୋଇଉଠିଛି । ଖୁବଶୀଘ୍ର ବିଧାୟକ ମହମ୍ମଦ ମୋକିମ୍, ପୂର୍ବତନ ବିଧାୟକ ଚିରଂଜୀବ ବିଶ୍ୱାଳ ଭଳି ବରିଷ୍ଠ ନେତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ହେବ ବୋଲି ସୂଚନା ମିଳିଛି ।