କନକ ବ୍ୟୁରୋ : ସୋମବାର ପୁଅ ଦିଲ୍ଲୀରୁ ଫେରିଥିଲେ । ରାତି ୧୨ଟା ବେଳେ ଝାରସୁଗୁଡା ବିମାନ ବନ୍ଦରରେ ପହଞ୍ଚିଥିଲେ ପୁଅ । ବିମାନବନ୍ଦରରୁ ଗାଡି ସିଧା ବାହାରିଥିଲା ଗାଁ ଅଭିମୁଖେ । କିନ୍ତୁ ଘରେ ପାଦ ପକାଇବା ପୂର୍ବରୁ ପୁଅକୁ କ୍ୱାରେଣ୍ଟାଇନ ସେଣ୍ଟରକୁ ନେଇଯିବାକୁ ପରାମର୍ଶ ଦେଇଥିଲେ ମା’ । ଯେଉଁଠି ବାହାରୁ ଆସିଥିବା ଅନ୍ୟ ଲୋକଙ୍କ ସହ ପୁଅକୁ ରହିବାକୁ କହିଥିଲେ ମା’ । ଏପରିକି ପୁଅ ମଧ୍ୟ କିଛି ମନମାନି ନକରି କ୍ୱାରେଣ୍ଟାଇନ ସେଣ୍ଟରକୁ ହସି ହସି ଚାଲି ଯାଇଥିଲେ । କାରଣ ପୁଅ ଜାଣିଛନ୍ତି, ଏହି ମହାମାରୀରେ ତାଙ୍କ ମା’ ବି ଜଣେ କରୋନା ଯୋଦ୍ଧା ଭାବେ କାର୍ଯ୍ୟ କରୁଛନ୍ତି । ଆଉ ଦିଲ୍ଲୀରୁ ଆସିଥିବା ନିଜ ପୁଅକୁ କ୍ୱାରେଣ୍ଟାଇନ ସେଣ୍ଟରରେ ରଖି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ସରପଞ୍ଚ ମା’ । କରୋନା ମହାମାରୀ ସମୟରେ କଳାହାଣ୍ଡି ଜିଲ୍ଲା କୋକସରାର ଗମ୍ଭାରୀଗୁଡା ପଞ୍ଚାୟତରୁ ଆସିଛି ଜଣେ ସରପଞ୍ଚ ମା’ଙ୍କ କର୍ତ୍ତବ୍ୟ ପରାୟଣତାର କାହାଣୀ ।
ମମତା ପଛ, କର୍ତ୍ତବ୍ୟ ଆଗ । କିଛି ଏଭଳି ଢଙ୍ଗରେ କରୋନା ଯୁଦ୍ଧ ଲଢୁଛନ୍ତି କୋକସରା ଗମ୍ଭାରୀଗୁଡା ସରପଞ୍ଚ ନନ୍ଦିତା ସାହୁ । ସମସ୍ତଙ୍କ ପାଇଁ ଯେଉଁ ନିୟମ, ପୁଅ ପାଇଁ ମଧ୍ୟ ସେହି ସମାନ ନିୟମ । ଦିଲ୍ଲୀର ଏକ ସଫ୍ଟୱେୟାର କମ୍ପାନିରେ ଚାକିରି କରୁଥିବା ନନ୍ଦିତାଙ୍କ ପୁଅ ଲୋକେଶ ଗତ ସୋମବାର ଝାରସୁଗୁଡା ବିମାନ ବନ୍ଦରରେ ପହଞ୍ଚିଥିଲେ । ବିମାନବନ୍ଦରରୁ ସିଧା ଗାଁ ଅଭିମୁଖେ ଯାଇଥିଲେ ଲୋକେଶ । ଦୀର୍ଘ ଦିନ ପରେ ପୁଅ ଆସିଥିଲେ ମଧ୍ୟ ଟିକିଏ ବି ଭାବପ୍ରବଣ ହୋଇନଥିଲେ ସରପଞ୍ଚ ମା’ । ରାଜ୍ୟ ସରକାର ଦେଇଥିବା ଦାୟିତ୍ୱ ଓ କର୍ତ୍ତବ୍ୟକୁ ପାଳନ କରିବା ସହ ସରକାରୀ ନିୟମ ଅନୁଯାୟୀ, ଅନ୍ୟ ପ୍ରବାସୀଙ୍କ ଭଳି ନିଜ ପୁଅ ଲୋକେଶଙ୍କୁ ମଧ୍ୟ ଓଲମା ଗାଁରେ ଥିବା କ୍ୱାରେଣ୍ଟାଇନ ସେଣ୍ଟରେ ରଖିବାକୁ ପରାମର୍ଶ ଦେଇଥିଲେ ନନ୍ଦିତା ।
ମା’ଙ୍କ କଥା ମାନି ପୁଅ ଲୋକେଶ ମଧ୍ୟ ଏବେ କ୍ୱାରେଣ୍ଟାଇନ ସେଣ୍ଟରରେ ରହୁଛନ୍ତି । ଏପରିକି ଜଣେ ସରପଞ୍ଚ ଭାବେ ମା’ ଯେଉଁ ପଦକ୍ଷେପ ନେଇଛନ୍ତି ସେଥିପାଇଁ ଗର୍ବିତ ବୋଲି କହିଛନ୍ତି ଲୋକେଶ । କରୋନା ମହାମାରୀ ସମୟରେ ଯେତେବେଳେ କିଛି ପ୍ରବାସୀ ଶ୍ରମିକ କ୍ୱାରେଣ୍ଟାଇନ ସେଣ୍ଟରରୁ ଫେରାର ହୋଇଯାଉଛନ୍ତି ଓ କିଛି କ୍ୱାରେଣ୍ଟାଇନ ସେଣ୍ଟରରେ ନିଜ ସର୍ମ୍ପକୀୟଙ୍କୁ ଦେଖା କରିବାକୁ ଲୋକେ ସାମାଜିକ ଦୂରତାକୁ ଫୁ କରି ଉଡାଇଦେଉଛନ୍ତି, ସେଭଳି ସ୍ଥଳେ ମମତାକୁ ପଛ କରି ଦାୟିତ୍ୱ ପାଳନ ସ୍ୱରୂପ ପୁଅକୁ କ୍ୱାରେଣ୍ଟାଇନରେ ରଖି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ନନ୍ଦିତା ।