ଗଲୱାନ ଘାଟିରେ ଲଢେଇର ୩ ଦିନ ପରେ ୧୦ ଭାରତୀୟ ଯବାନଙ୍କୁ ଛାଡିଲା ଚୀନ: ରାତି ଅଧିଆ ନଦୀ ଭିତରେ ଆକ୍ରମଣ ପରେ ବନ୍ଧକ ରଖିଥିଲା ଡ୍ରାଗନ ସେନା

୨ ଦେଶର ପ୍ରତିରକ୍ଷା ଅଧିକାରୀ ସ୍ତରୀର ଆଲୋଚନା ପରେ ମୁକୁଳିଲେ ଯବାନ

4,496

କନକ ବ୍ୟୁରୋ: ଭାରତ ଓ ଚୀନର କୂଟନୈତିକ ଏବଂ ପ୍ରତିରକ୍ଷା ସ୍ତରୀୟ ୩ଟି ପର୍ଯ୍ୟାୟର କଥାବାର୍ତା ପରେ ଭାରତର ବନ୍ଧକ ଥିବା ୧୦ ସେନା ଜବାନଙ୍କୁ ମୁକ୍ତ କରିଛି ଚୀନ । ଗତ ୧୫ ତାରିଖ ରାତିରେ ଗଲୱନ ଘାଟିର ପାଟ୍ରେଲିଂ ପଏଂଟ ୧୪ରେ ଭାରତୀୟ ସେନା ଉପରେ ଆକ୍ରମଣ ଘଟଣାରେ ଏହି ୧୦ ଜବାନଙ୍କୁ ଚୀନ୍ ସେନା ବନ୍ଧକ ରଖିଥିଲା । ଦୀର୍ଘ ୩ ଦିନର ଆଲୋଚନା ପରେ ଭାରତର ୨ ଜଣ ମେଜର ଜେନେରାଲଙ୍କ ସମେତ ୧୦ ଜଣ ଜବାନଙ୍କୁ ମୁକ୍ତ କରିଛି ଚୀନ । ବନ୍ଧକ ଭାରତୀୟ ଜବାନଙ୍କ ସୁରକ୍ଷାକୁ ନଜରରେ ରଖି ପ୍ରଥମେ ଏହି ଘଟଣାକୁ ସତର୍କତାର ସହ ଗ୍ରହଣ କରାଯାଇଥିବା ନେଇ ସୂଚନା ମିଳିଛି ।

ଚୀନ୍ ଭାରତର ୧୦ ଜବାନଙ୍କୁ ମୁକ୍ତ କରିଥିବା ସମ୍ପର୍କିତ ଖବର ଜାତୀୟ ସଂବାଦ ସରବରାହ ସଂସ୍ଥା ପିଟିଆଇ ସୂତ୍ରରୁ ଜାରି ହୋଇଛି । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି । ଗତ ୧୫ ତାରିଖ ରାତିରେ ଗଲୱନ ଘାଟିରେ ଚୀନର ବର୍ବରତା ପରେ ସେନା ପ୍ରଥମେ କୌଣସି ଭାରତୀୟ ସୈନ୍ୟ ନିଖୋଜ ନଥିବା ସ୍ପଷ୍ଟ କରିଥିଲା । ଏହାର ୩ ଦିନ ପରେ ଚୀନ୍ ବନ୍ଧକ ରଖିଥିବା ଭାରତୀୟ ସୈନ୍ୟଙ୍କୁ ମୁକ୍ତ କରିଥିବା ସୂଚନା ଆସିଛି । ଶେଷ ଥର ପାଇଁ ୧୯୬୨ ମସିହା ଯୁଦ୍ଧ ବେଳେ ଦେଖିବାକୁ ମିଳିଥିଲା ଏପରି ଘଟଣା । ସେତେବେଳେ ଚୀନ୍ ଭାରତର ୨୦ ଜଣ ଜବାନଙ୍କୁ ବନ୍ଧକ ବନେଇଥିଲା ।

ଯାହାଙ୍କୁ ପରେ ମୁକ୍ତ କରାଯାଇଥିଲା । ସୀମାନ୍ତ ଗଲୱନ ଘାଟିରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଏବଂ ଚୀନ୍ ସେନାର ଭାରତୀୟ ଜବାନଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ଗତ ୩ ଦିନ ଧରି ଭାରତର ମେଜର ଜେନେରାଲ ଅଭିଜିତ୍ ବାପଟ୍ , କାରୁ ବେସ୍ ହେଡକ୍ୱାର୍ଟରର ଇନଫ୍ରାଂଟରୀ ୩ର କମାଣ୍ଡର ଏବଂ ତାଙ୍କର ଚୀନ ପ୍ରତିପକ୍ଷ୍ଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି । ଗତ ମେ ୧୫ ତାରିଖ ରାତିର ହିଂସାକାଣ୍ଡ ଘଟଣାରେ ୪୭ ଚୀନ୍ ସୈନ୍ୟ ମୃତାହତ ହୋଇଥିବା ନେଇ ସୂଚନା ରହିଛି ।