ୟାସ’ ପ୍ରଭାବରେ ଝାରଖଣ୍ଡରେ ପ୍ରବଳ ବର୍ଷା : ଗାଲିଡ଼ିହ ବ୍ୟାରେଜରୁ ଜଳ ନିଷ୍କାସନ ପରେ ସୁବର୍ଣ୍ଣରେଖାରେ ବଢିଲା ଜଳସ୍ତର; ଟୁଇଟ କରି ସୁଚନା ଦେଲେ ଏସଆରସି

135

କନକ ବ୍ୟୁରୋ : ସୁବର୍ଣ୍ଣରେଖା ନଦୀରେ ବଢୁଛି ଜଳସ୍ତର । ବର୍ତମାନ ଏହା ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଏଠାରେ ୪୯ ଦଶମିକ ୧୬ ମିଟର ବିପଦ ସଂକେତ ରହିଥିବାବେଳେ, ଜଳସ୍ତର ରହିଛି ୫୦ ଦଶମିକ ୮୮ ମିଟର । ଆଜି ସକାଳ ୭ଟା ସୁଦ୍ଧା ଏହି ସ୍ଥିତି ରହିଥିବା ଟ୍ୱିଟ କରି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ବାତ୍ୟା ୟାସ ପ୍ରଭାବରେ ଝାଡଖଣ୍ଡରେ ପ୍ରବଳ ବର୍ଷା ପରେ ଗାଲିଡିହ ବ୍ୟାରେଜରୁ ଜଳ ନିଷ୍କାସନ ହେବାରୁ ସୁବର୍ଣ୍ଣରେଖାରେ ଜଳସ୍ତର ବଢିଥିବା ସେ ସୂଚନା ଦେଇଛନ୍ତି ।

ସେହିପରି ବୈତରଣୀ ନଦୀର ଉପର ମୁଣ୍ଡରେ ବର୍ଷା ଯୋଗୁଁ ଆଖୁଆପଦାରେ ବିପଦ ସଂକେତ ଉପରେ ରହିଛି ଜଳସ୍ତର । ଫଳରେ ଗତରାତିରେ ଯାଜପୁର ଜିଲ୍ଲା କୋରେଇ ବ୍ଲକର ରଣପୁର, ମୁକୁନ୍ଦପୁର, ବନ୍ଦାଳ, ଗୌରପୁର ଆଦି ୪ଟି ପଂଚାୟତର ୫ଟି ଗାଁରେ ବନ୍ୟାପାଣି ପ୍ରବେଶ କରିଛି ।  ସେହିପରି ଭଦ୍ରକ ଆଖୁଆପଦାରେ ବୈତରଣୀ ନୀଦର ବିପଦ ସଂକେତ ୧୭ ଦଶମିକ ୮୩ ମିଟର ରହିଥିବାବେଳେ ବର୍ତମାନ ଏଠାରେ ଜଳସ୍ତର ୧୮ ଦଶମିକ ୮୫ ମିଟର ରହିଛି ।

କିନ୍ତୁ ଗତକାଲି ଅପେକ୍ଷା ଜଳସ୍ତର କମୁଥିବା ଦେଖାଯାଇଛି । କେନ୍ଦୁଝରରେ ମଧ୍ୟ ସ୍ୱାଭାବିକ ହେଉଛି ବନ୍ୟା ସ୍ଥିତି । ଆନନ୍ଦପୁରରେ ବିପଦ ସଂକେତ ତଳେ ରହିଛି ଜଳସ୍ତର । ଏଠାରେ ବିପଦ ସଂକେତ ୩୮ ଦଶମିକ ୩୬ ମିଟର ରହିଥିବାବେଳେ ବର୍ତମାନ ଜଳସ୍ତର ରହିଛି ୩୬ ଦଶମିକ ୯୨ ମିଟର ।