ହାତରେ ଅଛି କଳା, ହେଲେ କାମ କରିବାକୁ ନାହିଁ ସମ୍ବଳ । କରୋନା ଉଜାଡି ଦେବା ବେପାର, ସଂକଟରେ ଗଜପତିର ବେତ କାରିଗର ।

109

କନକ ବ୍ୟୁରୋ : ସଙ୍କଟରେ ଗଜପତିର ବେତ କାରିଗର, କରୋନା ଉଜାଡି ଦେଇଛି ବ୍ୟବସାୟ । ହାତରେ ଅଛି କଳା ଚାତୁରୀ, କିନ୍ତୁ ପାଖରେ ନାହିଁ ସମ୍ବଳ । ତେଣୁ ମାନ୍ଦା ପଡ଼ିଥିବା ବ୍ୟବସାୟକୁ ଆଗକୁ ନେବାକୁ କିଛି ପାରୁନାହାନ୍ତି ବେତ କାରିଗର । ବାଧ୍ୟ ହୋଇ ଏହି ବୃତିରୁ ଦୂରେଇ ଗଲେଣି ଅନେକ ।

ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗ୍ରାମ ବିକାଶ ଆନୁକୁଲ୍ୟରେ ବେତ କାରିଗରି ଶିକ୍ଷା କରିଥିଲେ ରାୟଗଡା ବ୍ଲକ କଇଁପୁର ଅଂଚଳର ଅନେକ ଆଦିବାସୀ । ତାଲିମ ନେବା ପରେ ବେତର ବିଭିନ୍ନ ଘର କରଣା ସମାଗ୍ରୀ କରି ରୋଜଗାର କ୍ଷମ ହୋଇ ପାରିଥିଲେ ବହୁ ଆଦିବାସୀ ପରିବାର । ଭଳି କି ଭଳି ଘରର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ଚୌକି, ଟେବୁଲ, ସୋଫା, ଆଲମିରା ସହ ବିଭିନ୍ନ ଡିଜାଇନର ଫୁଲଦାନୀ ତିଆରି କରି ବେଶ ଦୁଇ-ପଇସା ଆୟ କରିଥାନ୍ତି ଏମାନେ ।

ହେଲେ କରୋନା କାହା ମେଲାଇବା ପରେ ମାନ୍ଦା ପଡ଼ିଯାଇଛି ଏମାନଙ୍କ ବ୍ୟବସାୟ । ଏପଟେ ନିକଟରେ ଥିବା ଜଙ୍ଗଲରେ ବେତ ମିଳୁନାହିଁ, ବାହାରୁ ବେତ ଆଣିଲେ ପରିବହନ ଖର୍ଚ୍ଚ ତୁଲାଇବା ମୁସ୍କିଲ ହୋଇ ପଡୁଛି । ଫଳରେ ଅନେକ କାରିଗର, ଏହି ବୃତିରୁ ମୁହଁ ଫେରାଇ ନେଉଛନ୍ତି ।

ତେବେ ଦୂର ଜଙ୍ଗଲରୁ ବେତ ସଂଗ୍ରହ କରି ନିଜ ପେଶାକୁ ବଂଚାଇ ରଖିବା ପାଇଁ ସଂଘର୍ଷ ଜାରି ରଖିଛନ୍ତି କିଛି ଆଦିବାସୀ ପରିବାର । କରୋନା ମାଡରେ ମାନ୍ଦା ପଡ଼ିଥିବା ବ୍ୟବସାୟକୁ ପୁଣି ଥରେ ଟ୍ରାକ୍କୁ ଫେରାଇ ଆଣିବା ପାଇଁ ସ୍ୱତନ୍ତ୍ର ସହାୟତା ଯୋଗାଇ ଦେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ବେତ କାରିଗର ।

ବେତ ତିଆରି ଆସବାବପତ୍ର ଯେମିତି ହାଲୁକା, ସେମିତି ସୁନ୍ଦର । ଏହାସହ ଦୀର୍ଘଦିନ ବ୍ୟବହାର ହୋଇ ପାରୁଥିବାରୁ ବଜାରରେ ଭଲ ଚାହିଦା ରହିଥାଏ । ଆଦିବାସୀଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ସ୍ୱତନ୍ତ୍ର କାରିଗରି ତାଲିମ ମଧ୍ୟ ଦିଆଯାଇଛି । ତେବେ କରୋନା ଯୋଗୁଁ ଏହି ହସ୍ତଶିଳ୍ପ ଏବେ ବିଶେଷ ଭାବେ ପ୍ରଭାବିତ ହୋଇଛି । ତେବେ ସରକାରଙ୍କ ଜୀବିକା ମିସନ ଜରିଆରେ ଆଗ୍ରହୀ ପରିବାରକୁ ସହାୟତା ଦିଆଯିବା ସହ ବେତ କାରିଗରିିର ଉନ୍ନତି ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲା ଆଦିବାସୀ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ।