ଗଜପତିରେ ସଂଗରୋଧ ଅବଧି ବୃଦ୍ଧି କଲେ ଜିଲ୍ଲାପାଳ : ସଂଗରୋଧ କେନ୍ଦ୍ରରେ ୧୪ ଦିନ ପରିବର୍ତ୍ତେ ୨୧ ଦିନ ରହିବେ ; ସେପଟେ ସଂକ୍ରମଣକୁ ଦୃଷ୍ଟିରେ ରଖି ଘୋଷଣା ହୋଇଛି ସଟଡାଉନ  

162

କନକ ବ୍ୟୁରୋ : ଗଜପତି ଜିଲ୍ଲା ୩ ଦିନିଆ ସଟଡାଉନର ଆଜି ଦ୍ୱିତୀୟ ଦିନ । ସଟଡାଉନ୍ କଟକଣା ଲାଗୁ ହୋଇଥିବା ପାରଳାଖେମୁଣ୍ଡି ସହର ସମେତ ଗୋଷାଣି ଓ ଗୁମ୍ମା ବ୍ଲକର ବିଭିନ୍ନ ସ୍ଥାନରେ ଯାଂଚ କରିବା ସହ ଏବଂ କଟକଣାକୁ ମାନିବାକୁ ଲୋକମାନଙ୍କୁ ସତର୍କ କରୁଛି ପୋଲିସ୍ । କେବଳ କ୍ଷୀର ଓ ଔଷଧ ଦୋକାନକୁ ଛାଡି ଆଉ ସମସ୍ତ ଦୋକାନ ବନ୍ଦ ରହିଛି । ତେବେ ଲୋକମାନେ ସଟଡାଉନ କଟକଣାକୁ ମାନୁଥିବା ଦେଖିବାକୁ ମିଳିଛି । କ୍ଷୀର ନେବାକୁ କିଛି ଲୋକ ବାହାରକୁ ଆସିଥିବାବେଳେ , ପ୍ରାତଃ ଭ୍ରମଣରେ ମଧ୍ୟ କେହି ବାହାରିନଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଗଜପତି ଜିଲ୍ଲାରେ ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ କ୍ୱାରେଂଟିନ ଅବଧିକୁ ବୃଦ୍ଧି କରିଛନ୍ତି ଜିଲ୍ଲାପାଳ । ଫେରୁଥିବା ପ୍ରବାସୀମାନେ କ୍ୱାରେଂଟିନ ସେଂଟରରେ ୧୪ ଦିନ ପରିବର୍ତେ ୨୧ ଦିନ ରଖିବାକୁ ନିଷ୍ପତି ନେଇଛନ୍ତି । ସଂଗରୋଧ କେନ୍ଦ୍ରରୁ ଯିବା ପରେ ପ୍ରବାସୀ ଶ୍ରମିକମାନେ ହୋମ କ୍ୱାରେଂଟିନ ନିୟମ ମାନୁନଥିବାରୁ ଓ ପରେ ସେମାନେ କୋଭିଡ୍ ଚିହ୍ନଟ ହେଉଥିବାର ମାମଲା ସାମନାକୁ ଆସିବା ପରେ ଗୋଷ୍ଠି ସଂକ୍ରମଣ ରୋକିବା ଉଦେଶ୍ୟରେ ଜିଲ୍ଲା ପ୍ରଶାସନ ଏହି ନିଷ୍ପତି ନେଇଥିବା କୁହାଯାଉଛି ।

ବ୍ରହ୍ମପୁର ସହରରେ ଲାଗୁ ହୋଇଥିବା ସଟଡାଉନର ଆଜି ତୃତୀୟ ଦିନ । ସହରର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଯାଂଚକୁ କଡାକଡି କରାଯାଇଛି । ଏବଂ ଲୋକଙ୍କୁ ଘରଠାରୁ ଗୋଟିଏ କିଲୋମିଟରର ଅଧିକ ବାଟ ନଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଦୋକାନ ବଜାର ବନ୍ଦ ରହିଛି । ବାହାର ଜିଲ୍ଲାରୁ ଲୋକ ଆସିବା ଉପରେ କଟକଣା ଲଗାଯାଇଛି । ଜିଲ୍ଲାରେ ସଂକ୍ରମଣ ହାର ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ କଟକଣା କଡାକଡି କରାଯାଇଛି ।