କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠିର ଉତ୍ତର ଦେଲେ ଗଜପତି । କହିଲେ, ଲୋକଙ୍କ ପାଇଁ ପ୍ରେରଣାର ଉତ୍ସ ଜଗନ୍ନାଥ ମହାପ୍ରଭୁ । ଶ୍ରୀମନ୍ଦିରର ସର୍ବାଙ୍ଗୀନ ଉନ୍ନତି ପାଇଁ ସବୁ ପଦକ୍ଷେପ ନିଆଯିବ । ରାଜ୍ୟ ସରକାର ଶ୍ରୀମନ୍ଦିର ଉନ୍ନତି କାମ ହାତକୁ ନେଇଛନ୍ତି । ଶ୍ରୀମନ୍ଦିର ଉନ୍ନତି ନେଇ ଗଜପତିଙ୍କୁ ଚିଠି ଲେଖିଥିଲେ ଧର୍ମେନ୍ଦ୍ର ପ୍ରଧାନ ।

Advertisment

ଗଜପତି ମହାରାଜାଙ୍କୁ ଚିଠି ଲେଖି କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ସଂରକ୍ଷଣ କରିବା ତଥା ସେବାୟତଙ୍କ ସାମଗ୍ରିକ ବିକାଶ, ଶ୍ରଦ୍ଧାଳୁଙ୍କ କଲ୍ୟାଣ ପାଇଁ ମହାରାଜା ଦିବ୍ୟସିଂହ ଦେବ ନିରନ୍ତର ଉଦ୍ୟମ କରି ଆସୁଛନ୍ତି । ଅନାଦି ଅନନ୍ତ କାଳରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ତାଙ୍କର ପବିତ୍ରତା ସହିତ ସଂଶ୍ଲିଷ୍ଟ ସବୁକିଛି ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ପରିଚୟର ମୂଳବିନ୍ଦୁ । ମହାପ୍ରଭୁ ଶ୍ରୀଜଗନ୍ନାଥ ଲୋକଙ୍କ ଦେବତା । ପ୍ରତି ବ୍ୟକ୍ତିର ହୃଦୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବିରାଜମାନ । ତେଣୁ ସମଗ୍ର ହିନ୍ଦୁ ସମାଜ ଓ ସାଢେ ୪ କୋଟି ଓଡିଆଙ୍କ ମନରେ ମହାପ୍ରଭୁଙ୍କ କାମରେ ସହଯୋଗ କରିବା ନେଇ ଅଦମ୍ୟ ଉତ୍ସାହ ରହିଛି । ତେଣୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଏହି ବିଶାଳ ଧନ ସଂଗ୍ରହ ଅଭିଯାନର ସହଯୋଗର ପ୍ରକ୍ରିୟାକୁ ଜନଆନ୍ଦୋଳନ ଭାବରେ ପରିଣତ କରିବା ଏବଂ ଲୋକଙ୍କୁ ଏଥିରେ ଭାଗିଦାରୀ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ଅନୁରୋଧ କରିଛନ୍ତି ।