ଗଜପତି ଗୁମ୍ମାରେ ଧସିଲା ମାଟି ଅତଡ଼ା : ନାମନଗଡରୁ ଅଜୟଗଡ ରାସ୍ତାରେ ଅତଡା ଖସି ଅବରୋଧ

ପ୍ରବଳ ବର୍ଷା ଲାଗି ରହିଥିବାରୁ ସ୍ଥିତି ଉପରେ ନଜର

145

କନକ ବ୍ୟୁରୋ : ବାତ୍ୟା ଗୁଲାବ ପ୍ରଭାବରେ ଗଜପତି ଜିଲ୍ଲାରେ ବର୍ଷା ଲାଗି ରହିଛି । ଗୁଲାବର ପ୍ରଭାବ ଗଜପତି ଜିଲ୍ଲାରେ ଅଧିକ ରହିବାର ସମ୍ଭାବନା ରହିଛି । ଏହା ପୂର୍ବରୁ ଗୁମ୍ମା ବ୍ଲକ ନାମନଗଡ଼ ଠାରୁ ଅଜୟଗଡ଼ ରାସ୍ତାରେ ମାଟି ଅତଡ଼ା ଧସି ରାସ୍ତା ଅବରୋଧ ହୋଇଛି । ଯାତାୟତ ବାଧାପ୍ରାପ୍ତ ହୋଇଛି । ପ୍ରବଳ ବର୍ଷା ଲାଗି ରହିଥିବାରୁ ଆଗକୁ ସ୍ଥିତି ଉପରେ ନଜର ରହିଛି । ଗଜପତି ଗୁମ୍ମାର ପାହାଡ଼ିଆ ଅଂଚଳରେ ଏଭଳି ସ୍ଥିତି ଦେଖାଦେଇଛି ।

ବାତ୍ୟା ଗୁଲାବର ପ୍ରଭାବରେ ସକାଳୁ ସକାଳୁ ବର୍ଷା ଆରମ୍ଭ ହୋଇଯାଇଛି । ଗଜପତି ଜିଲ୍ଲାର ସମସ୍ତ ଅଂଚଳରେ ବର୍ଷା ଜାରି ରହିଛି । ସହର ଅପେକ୍ଷା ପାହାଡିଆ ଅଂଚଳରେ ବର୍ଷାର ପରିମାଣ ଅଧିକ ରହିଥିବା ସୂଚନା ରହିଛି । ତଳିଆ ଅଂଚଳ ଲୋକଙ୍କୁ ସ୍ଥାନାନ୍ତର କରିବା କାମ ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ୧୫ଟି ଗାଁରୁ ୫୮୬ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳକୁ ନିଆଯାଇଛି । ଗୋଷାଣୀ, ଗୁମା. କାଶୀନଗର, ମୋହନା, ନୂଆଗଡ, ରାୟଗଡ ବ୍ଲକର ତଳିଆ ଅଂଚଳରୁ ଥିବା ଗାଁଗୁଡି ଖାଲି କରାଯାଉଛି ।

୧୫ଟି ଆଶ୍ରୟସ୍ଥଳରେ ସୁରକ୍ଷିତ ଭାବେ ରଖିବାକୁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି । ଉଦ୍ଧାର ପ୍ରକ୍ରିୟା ପାଇଁ ଓଡ୍ରାଫ ଏବଂ ଏନଡିଆରଏଫ ଟିମ୍ ମଧ୍ୟ ପହଂଚିଛନ୍ତି । କଳିଙ୍ଗପାଟନମରେ ବାତ୍ୟା ଗୁଲାବ ଲ୍ୟାଣ୍ଡଫଲ କଲେ ଗଜପତି ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହେବ ବୋଲି ଜିଲ୍ଲାପାଳ କହିଛନ୍ତି ।