ରଥଯାତ୍ରା ସଂପର୍କରେ ତୁରନ୍ତ ନିଷ୍ପତ୍ତି ନିଅ । ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲେ ଗଜପତି ମହାରାଜ । କହିଲେ ଚନ୍ଦନ ଯାତ୍ରା ଓ ସ୍ନାନ ଯାତ୍ରା ପାଇଁ ନିଷ୍ପତ୍ତି କରନ୍ତୁ ସରକାର

353

କନକ ବ୍ୟୁରୋ: ଜୁନ ୨୩ରେ ରଥଯାତ୍ରା । କରୋନା ମୁକାବିଲା ପାଇଁ ସାମାଜିକ ଦୂରତା ଏକମାତ୍ର ଅସ୍ତ୍ର ହୋଇଥିବା ବେଳେ ରଥଯାତ୍ରା କିପରି ହେବ, ଏହାକୁ ନେଇ ଆଶଙ୍କା ବୃଦ୍ଧି ପାଉଛି । ତୁରନ୍ତ ରଥଯାତ୍ରା ସଂପର୍କରେ ନିଷ୍ପତ୍ତି ନେବାକୁ ସରକାରଙ୍କୁ ଚିଠି ଲେଖିଛନ୍ତି ଗଜପତି ମହାରାଜ । ଚନ୍ଦନଯାତ୍ରା, ସ୍ନାନଯାତ୍ରା ଓ ରଥଯାତ୍ରା ସହ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବାକୁ ଥିବା ଅନ୍ୟାନ୍ୟ ପର୍ବପର୍ବାଣୀ କିଭଳି ହେବ ସେ ବାବଦରେ ଶୀଘ୍ର ନିଷ୍ପତ୍ତି କରିବାକୁ ଅନୁରୋଧ କରିଛନ୍ତି ଦିବ୍ୟସିଂହ ଦେବ ।

ରଥଯାତ୍ରା ସଂପର୍କରେ ତୁରନ୍ତ ନିଷ୍ପତ୍ତି ନିଅ । ସରକାରଙ୍କୁ ଚିଠି ଲେଖିଲେ ଗଜପତି ମହାରାଜ । ଏପ୍ରିଲ ୨୬ ତାରିଖରେ ଅକ୍ଷୟ ତୃତୀୟା, ଯେଉଁ ଦିନ ଠାରୁ ଆରମ୍ଭ ହୋଇଥାଏ ରଥ ନିର୍ମାଣ କାମ । ତେଣୁ ସେହି କଥାକୁ ମନେ ପକାଇ ଦେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି ଗଜପତି ମହାରାଜ । ଚନ୍ଦନଯାତ୍ରା, ସ୍ନାନଯାତ୍ରା ଓ ରଥଯାତ୍ରା ସହ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବାକୁ ଥିବା ଅନ୍ୟାନ୍ୟ ପର୍ବ ପର୍ବାଣୀ କିଭଳି ହେବ ସେ ବାବଦରେ ତୁରନ୍ତ ନିଷ୍ପତି କରିବାକୁ ଅନରୋଧ କରିଛନ୍ତି ଗଜପତି ଦିବ୍ୟ ସିଂହ ଦେବ । ଏ ସଂପର୍କରେ ତାଙ୍କ ମତାମତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପୁରୀ ଜିଲ୍ଲାପାଳଙ୍କୁ ଜଣାଇ ସାରିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ।

ବଡକଥା ହେଉଛି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପୁରୀ ଜିଲ୍ଲାପାଳଙ୍କୁ ଏପ୍ରିଲ ୬ ତାରିଖରେ ଚିଠି ଲେଖିଥିଲେ ଗଜପତି ମହାରାଜ । ଏହାପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭୋଇ ସର୍ଦ୍ଦାରଙ୍କୁ ଚିଠି ଲେଖି ଅକ୍ଷୟ ତୃତୀୟାରୁ ରଥ କାମ ଓ ଚନ୍ଦନଯାତ୍ରା କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଥିଲା । ନରେନ୍ଦ୍ର ପୁଷ୍କରଣୀରୁ ଚାପ ନାହା କାଢ଼ିବାକୁ ଚିଠିରେ କୁହାଯାଇଥିଲା ।

ଗୋଟିଏ ପଟେ ଶ୍ରୀମନ୍ଦିରର ବର୍ଷ ବର୍ଷର ପରମ୍ପରା, ଅନ୍ୟପଟେ କରୋନା ସଂକ୍ରମଣର ମୁକାବିଲା ପାଇଁ ଲକଡାଉନ କଟକଣା ଓ ସାମାଜିକ ଦୂରତା, ଏହାରି ଭିତରେ କିପରି ରଥଯାତ୍ରା ପାଳନ ହେବ, ତାକୁ ନେଇ ଦ୍ୱନ୍ଦ୍ୱ ଲାଗିରହିଛି । ହେଲେ ଅକ୍ଷୟ ତୃତୀୟ ପାଖେଇ ଆସୁଥିବାରୁ ନିଷ୍ପତିରେ ବିଳମ୍ବ ନକରିବାକୁ ଗଜପତିଙ୍କ ପରାମର୍ଶ ବେଶ ଗୁରୁତ୍ୱ ରଖୁଛି । ଆଉ ଏହାରି ଭିତରେ ରଥଖଳା ତିଆରି କାମ ଆରମ୍ଭ ହୋଇସାରିଛି । ସାମାଜିକ ଦୂରତା ରକ୍ଷା କରିବାକୁ ଏବର୍ଷ ଛାମୁଣ୍ଡିଆକୁ ୧୨୦ ଫୁଟରୁ ଅଧିକ ଲମ୍ବରେ ପ୍ରସ୍ତୁତ କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନର ଅନୁମତି ପରେ ଅକ୍ଷୟ ତୃତୀୟାରୁ ରଥ ନିର୍ମାଣ ଆରମ୍ଭ ହେବ ।

ସେପଟେ କରୋନା ମୁକାବିଲା ପାଇଁ ପୁରୀ ଶ୍ରୀମନ୍ଦିର ସମେତ ରାଜ୍ୟର ସମସ୍ତ ଦେବା ଦେବୀ ପୀଠ ଦର୍ଶନାର୍ଥୀଙ୍କ ଲାଗି ବନ୍ଦ କରାଯାଇଛି । ଘରେ ହାତବାନ୍ଧି ବସିଥିବା ପୁରୀ ସେବାୟତଙ୍କ ପାଇଁ ୫ ହଜାର ଟଙ୍କା ଲେଖାଏଁ ସହାୟତା ପ୍ୟାକେଜ ଘୋଷଣା କରିଛି ଶ୍ରୀମନ୍ଦିର ପ୍ରଶାସନ । କେବେଳ ସ୍ୱାସ୍ଥ୍ୟ ବୀମାଭୁକ୍ତ ସେବାୟତ ପରିବାରଙ୍କୁ ଏହି ସହାୟତା ଯୋଗାଇ ଦିଆଯିବ । ଶ୍ରୀମନ୍ଦିର ସେବା ପୂଜାରେ ନିୟୋଜିତ ୨ ହଜାର ୧୩୦ ପରିବାରକୁ ଏହି ଟଙ୍କା ମିଳିବ । ଏ ବାବଦରେ ୧ କୋଟି ୬ ଲକ୍ଷ ୫୦ ହଜାର ଟଙ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି । ତେବେ ପୁରୀ ରଥ ଯାତ୍ରାରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହୋଇଥାଏ । ତେଣୁ ସାମାଜିକ ଦୂରତା ବଜାୟ ରଖି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା କିପରି ହେବ ଏବଂ ଶ୍ରୀଜୀଉଙ୍କ ଚନ୍ଦନ ଯାତ୍ରା ଓ ସ୍ନାନ ଯାତ୍ରା ଆଦି ଉତ୍ସବକୁ କିଭଳି ପାଳନ କରାଯିବ, ତାହା ଶ୍ରୀମନ୍ଦିର ପ୍ରଶାସନ ଓ ସରକାରଙ୍କ ପାଇଁ ବଡ ଆହ୍ୱାନ ହୋଇଛି ।