କନକ ବ୍ୟୁରୋ : କରୋନା କଟକଣା ଭିତରେ ସଫଳତାର ସହ ରଥଯାତ୍ରା ସଂପନ୍ନ ହୋଇଛି । ଯାହାକୁ ନେଇ ଚର୍ଚ୍ଚାରେ ରହିଛନ୍ତି ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ । ୨୦୨୦ ମସିହା ଅନ୍ୟଏକ କାରଣ ପାଇଁ ଗଜପତି ମହାରାଜ ଓ ଓଡିଶା ଲାଗି ସ୍ମରଣୀୟ ହୋଇ ରହିବ । ଜୁଲାଇ ୭ ତାରିଖ ୨୦୨୦ରେ ଗଜପତି ମହାରାଜଙ୍କ ରାଜାଭିଷେକ ବା ସିଂହାସନ ଆରୋହଣକୁ ୫୦ ବର୍ଷ ପୂରଣ କରିଛି । ପାଖାପାଖି ୨ଶହରୁ ଅଧିକ ବର୍ଷ ପରେ କୌଣସି ଗଜପତି ମହାରାଜ ୫୦ ବର୍ଷ ଧରି ମହାପ୍ରଭୁଙ୍କ ସେବା ଓ ଶାସନରେ ରହିବାର ଏଭଳି ବିରଳ ଗୌରବ ଅର୍ଜନ କରିଛନ୍ତି ଦିବ୍ୟସିଂହ ଦେବ । ସ୍ୱାଧୀନତା ପରବର୍ତି ଓଡିଶାରେ ଶ୍ରୀମନ୍ଦିର ପରିଚାଳନା କମିଟିର କେବଳ ସ୍ଥାୟୀ ସଭାପତି ଅଛନ୍ତି ଗଜପତି ମହାରାଜ । ଶାସନ ବ୍ୟବସ୍ଥାରେ ସେଭଳି କୌଣସି ଭୂମିକା ନାହିଁ । ତେବେ ଗଜପତିଙ୍କର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବା ପୂର୍ବଭଳି ଅକ୍ଷତ ରହିଛି । ଏହା ସହ ଜଗନ୍ନାଥପ୍ରେମୀ ଗଜପତିଙ୍କୁ ମହାପ୍ରଭୁଙ୍କର ଆଦ୍ୟସେବକ ଓ କେହି କେହି ଚଳନ୍ତି ପ୍ରତିମା ବୋଲି କହିଥାନ୍ତି । ଗଜପତିଙ୍କ ପ୍ରତି ସମସ୍ତଙ୍କ ସ୍ୱତନ୍ତ୍ର ଭକ୍ତି ରହିଛି ଓ ସମସ୍ତଙ୍କ ସେ ସମ୍ମାନସ୍ପଦ ରହିଆସିଛନ୍ତି । ତାଙ୍କର ଗୋଟିଏ ମତ ବା ସିଦ୍ଧାନ୍ତ ଗଣତାନ୍ତ୍ରିକ ବ୍ୟବସ୍ଥାର ସର୍ବମାନ୍ୟ ନେତାଙ୍କଠାରୁ ବି ଲୋକଙ୍କ ପାଖରେ ଗୁରୁତ୍ୱ ରଖିଥାଏ ।
ତଥ୍ୟ ଅନୁସାରେ, ୧୯୭୦ ମସିହାରେ ଗଜପତି ବୀର କିଶୋର ଦେବ (ତୃତୀୟ)ଙ୍କ ଦେହାନ୍ତ ପରେ ଦିବ୍ୟସିଂହ ଦେବଙ୍କର ରାଜାଭିଷେକ ହୋଇଥିଲା । ଜୁଲାଇ ୭ ତାରିଖରେ ସେ ରାଜପଦରେ ଅଭିଷିକ୍ତ ହୋଇଥିଲେ । ତେବେ ସେହିବର୍ଷ ଗଜପତିଙ୍କ ବ୍ରତ ହୋଇନଥିବାରୁ ସେ ମହାପ୍ରଭୁଙ୍କ ଆଦ୍ୟସେବକ ହୋଇପାରିନଥିଲେ । ୧୯୭୦ ନଭେମ୍ବର ୨୯ ତାରିଖ ଦିନ ଗଜପତିଙ୍କର ବ୍ରତୋପନୟନ ହୋଇଥିଲା । ପରମ୍ପରା ଅନୁସାରେ, ରାଜଗୁରୁଙ୍କ ଦ୍ୱାରା ଶ୍ରୀମନ୍ଦିରରେ ଶାଢିବିନ୍ଧା ନୀତି ହୋଇଥିଲା । ଗଜପତି ଦିବ୍ୟସିଂହ ଦେବ ୧୯୫୩ ମସିହା ଫେବୃଆରୀ ୬ ତାରିଖରେ ଜନ୍ମ ନେଇଥିଲେ । ୧୭ ବର୍ଷ ବୟସରେ ତାଙ୍କର ରାଜାଭିଷେକ ହୋଇଥିଲା । ୧୫୬୮ ମସିହାରୁ ୧୯ ଜଣ ଗଜପତି ମହାପ୍ରଭୁଙ୍କ ସେବାକରି ଆସିଛନ୍ତି । ସୁନିଆ ପର୍ବର ଅଙ୍କ ଗଣନା ଅନୁସାରେ ଏବେ ଗଜପତିଙ୍କ ରାଜତ୍ୱର ୬୨ ଅଙ୍କ ଚାଲିଛି ।