ନିର୍ଦ୍ଧାରିତ ତିଥିରେ ରଥଯାତ୍ରା ହେବାକୁ ଆହ୍ୱାନ ଦେଲେ ଗଜପତି ମହାରାଜା ! ପ୍ରେସ୍ ରିଲିଜ୍ ଜରିଆରେ ଦେଲେ ପ୍ରତିକ୍ର୍ରିୟା

286

ନିର୍ଦ୍ଧାରିତ ତିଥିରେ ରଥଯାତ୍ରା ପାଇଁ ଗଜପତିଙ୍କ ଆହ୍ୱାନ । ପ୍ରେସ୍ ରିଲିଜ୍ ଜରିଆରେ ପ୍ରତିକ୍ର୍ରିୟା ଦେଲେ ଗଜପତି ମହାରାଜା । ପବିତ୍ର ଗୁଣ୍ଡିଚା ଯାତ୍ରା ସନାତନ ଶାସ୍ତ୍ର ଆଧାରିତ । ପ୍ରତିବର୍ଷ ଆଷାଢ ଶୁକ୍ଳ ପକ୍ଷ ତିଥିରେ ଅନୁଷ୍ଠିତ ହୁଏ ରଥଯାତ୍ରା । ରଥଯାତ୍ରା ପରେ ରତ୍ନସିଂହାସନରେ ବିରାଜମାନ ହୁଅନ୍ତି ଶ୍ରୀ ବିଗ୍ରହ । ଶ୍ରୀ ବିଗ୍ରହ ତ୍ରୟୋଦଶୀ / ଚତୁର୍ଦ୍ଦଶୀ ତିଥିରେ ବିରାଜମାନ ହୁଅନ୍ତି । ତେଣୁ ଶ୍ରୀମନ୍ଦିରର ମହାନ୍ ପରମ୍ପରା ଓ ଶାସ୍ତ୍ରୀୟ ଘୋଷଣା ଉଲ୍ଲଙ୍ଘନ କରି ମହାପ୍ରଭୁଙ୍କର ପବିତ୍ର ଯାତ୍ରା ଅନୁଷ୍ଠିତ କରିବେ ନାହିଁ ବୋଲି ଗଜପତି ମହାରାଜା କହିଛନ୍ତି ।

 

ତେବେ ଚାପ ଆଗରେ ନଇଁଲା ଇସ୍କନ । ଆସନ୍ତା ନଭେମ୍ବର ମାସରେ ପଂଜାବର ଲୁଧିଆନାରେ ହେବାକୁ ଥିବା ଅଦିନିଆ ରଥଯାତ୍ରାର ନିଷ୍ପତିରୁ ଓହରିଛି ଇସ୍କନ । ଏନେଇ ଏକ ପ୍ରେସ ବିଜ୍ଞପ୍ତି ସହ ସାମ୍ବାଦିକ ସମ୍ମିଳନୀ ଜରିଆରେ ଜଣାଇଛି ଇସ୍କନ । ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ପ୍ରତି ଇସ୍କନର ଗଭୀର ସମ୍ମାନ ରହିଛି । ଏହାକୁ ଅବମାନନା କରିବା କେବେ ବି ଏହି ସଂଗଠନ ଚାହିଁ ନାହିଁ ବୋଲି କୁହାଯାଇଛି ବରଂ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସାରା ବିଶ୍ୱରେ ମନ୍ଦିର ସ୍ଥାପନ ସହ ବହୁ ଆଧ୍ୟାତ୍ମିକ କାର୍ୟ୍ୟକ୍ରମମାନ କରାଯାଉଥିବା ଇସ୍କନ କହିଛି । ତେଣୁ ଲୁଧିଆନା ଇସ୍କନ ପକ୍ଷରୁ ଆସନ୍ତା ନଭେମ୍ବର ୧୭ ତାରିଖରେ କରାଯିବାକୁ ଥିବା ରଥଯାତ୍ରାକୁ ବନ୍ଦ କରାଯାଇଛି ।

ବରଂ ପାରମ୍ପରିକ ଭାବେ ୨୦୨୦ ମସିହା ଆଷାଢ ମାସରେ ନିର୍ଧାରିତ ତିଥିରେ ରଥଯାତ୍ରା ଆୟୋଜିତ ହେବ ବୋଲି କହିଛନ୍ତି ଇସ୍କନ କର୍ତୃପକ୍ଷ । ପୂର୍ବରୁ ଏହି ଅଦିନିଆ ରଥଯାତ୍ରା ପ୍ରସଙ୍ଗକୁ ବିଧାନସଭାରେ ଉଠାଇଥିଲେ ଖଣ୍ଡପଡା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ । ଅନ୍ୟପଟେ ଏହାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଏତଲାମାନ ଦିଆଯାଇଥିଲା । ତେବେ ଏହି ସମସ୍ୟା ଭାବାବେଗ ସହ ଯୋଡା ହୋଇଥିବାରୁ ବୁଝାମଣା ମାଧ୍ୟମରେ ସମଧାନ କରିବାକୁ ଅପିଲ କରିଥିଲେ ସୌମ୍ୟରଂଜନ । ଏପରିକି ପଂଜାବ ମୁଖ୍ୟମନ୍ତ୍ରୀ ଓ ଓଡିଶା ମୁଖ୍ୟମନ୍ତ୍ରୀ ମଧ୍ୟ ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଥିଲେ । ଶେଷରେ ଆଜି ସାମ୍ବାଦିକ ସମ୍ମିଳନୀ କରି ଏହି କାର୍ୟ୍ୟକ୍ରମ ବାତିଲ କରିବା ନେଇ ସୂଚନା ଦେଇଛନ୍ତି ଇସ୍କନର ପଦାଧିକାରୀ ।