କନକ ବ୍ୟୁରୋ : ଭିତର ରତ୍ନଭଣ୍ଡାରକୁ ଯାଇପାରନ୍ତି ଗଜପତି ମହାରାଜ । ରତ୍ନଭଣ୍ଡାରକୁ ଯିବା ପୂର୍ବରୁ ଯାଞ୍ଚ କମିଟି ପକ୍ଷରୁ ବସିଥିବା ବୈଠକରେ ଭିତର ରତ୍ନଭଣ୍ଡାରକୁ ଯିବା ପାଇଁ ଗଜପତି ମହାରାଜଙ୍କୁ ଅନୁରୋଧ କରାଯାଇଛି ବୋଲି କମିଟି ଅଧ୍ୟକ୍ଷ ଓ ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଏହାସହ ରଥରେ ମହାପ୍ରଭୁଙ୍କ ଆଶୀର୍ବାଦ ନେବା ସହ ଭିତର ରତ୍ନଭଣ୍ଡାର ଖୋଲିବାକୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି ତଦାରଖ କମିଟିର ୧୧ ସଦସ୍ୟ ।

Advertisment

କମିଟି ସଦସ୍ୟ ଭିତରକୁ ଯିବା ପୂର୍ବରୁ ଓଡ୍ରାଫ୍ ଟିମ, ସ୍ନେକ ହେଲପଲାଇନ ଟିମ, ଅଗ୍ନିଶମ ବାହିନୀ ଭିତରକୁ ଯାଇଛନ୍ତି । କୌଣସି ବି ପରିସ୍ଥିତିର ମୁକାବିଲା ପାଇଁ ସମସ୍ତେ ସଜାଗ ରହିଛନ୍ତି । ସକାଳ ୯ଟା ୫୧ରୁ ୧୨ଟା ୧୫ ପର୍ଯ୍ୟନ୍ତ ଶୁଭ ମୂହୁର୍ତ୍ତ ରହିଛି। ଏହି ସମୟରେ ଭିତର ରତ୍ନଭଣ୍ଡାର ଖୋଲି ପ୍ରବେଶ କରିବ ଟିମ୍। ପ୍ରବେଶ କରିବା ପରେ ଜିନିଷ ପତ୍ରଗୁଡିକୁ ଆଖିରେ ଦେଖିବେ, ପରେ ଅଳଙ୍କାରଗୁଡିକୁ ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ। କମିଟିର ସଦସ୍ୟମାନେ କୌଣସି ଅଳଙ୍କାର ପିନ୍ଧି ଭିତରକୁ ଯାଇପାରିବେ ନାହିଁ । ପୂର୍ବ ଏସଓପିକୁ ପାଳନ କରାଯିବ । ଆଜି ସନ୍ଧ୍ୟା ସୁଦ୍ଧା ରତ୍ନ ଅଳଙ୍କାର ସବୁ ସୁରକ୍ଷିତ ଭାବେ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯିବ । ରତ୍ନ ଅଳଙ୍କାର ଅସ୍ଥାୟୀ ରତ୍ନଭଣ୍ଡାର ‘ଖଟଶେଜ ଘର’କୁ ସ୍ଥାନାନ୍ତର ହେବ।

ମାର୍ଗଦର୍ଶିକା ଅନୁସାରେ ଅସ୍ଥାୟୀ ଭଣ୍ଡାରରେ ସିସିଟିଭି ଓ ଲାଇଟ୍ ଲାଗିବ । ଅସ୍ଥାୟୀ ଭଣ୍ଡାରକୁ ଅଳଙ୍କାର ସ୍ଥାନାନ୍ତର ପରେ ମୂଳ ରତ୍ନଭଣ୍ଡାର ମରାମତି ହେବ। ଏଏସଆଇ ମରାମତି ସାରିବା ପରେ ଅଳଙ୍କାର ଗଣତି ଓ ମଣତି କରାଯିବ। ୧୯୭୮ରେ ଶେଷଥର ପାଇଁ ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି ହୋଇଥିଲା। ୭୪୭ ପ୍ରକାରର ପ୍ରାୟ ୧୨ ହଜାର ୮୩୮ ଭରି ସୁନା, ୨୨ ହଜାର ୧୫୩ ଭରି ରୁପା ଓ ଅନେକ ଦୁର୍ମୂଲ୍ୟ ରତ୍ନପଥର ରହିଥିବା ସୂଚନା ରହିଛି। ଏବେ ୪୬ ବର୍ଷ ପରେ ପୁଣି ମହାପ୍ରଭୁଙ୍କ ଅଳଙ୍କାରର ଗଣତି ସହ ସବୁ ରହସ୍ୟରୁ ପରଦା ହଟିବ ବୋଲି ଅନୁମାନ କରାଯାଉଛି। ଭିତର ରତ୍ନ ଭଣ୍ଡାରରେ କେତୋଟି ସିନ୍ଦୁକ ଓ ଆଲମିରା ରହିଛି ? ଏବଂ କାନ୍ଥ ପାର୍ଶ୍ବକୁ ଥିବା ସିନ୍ଦୁକ ଓ ଆଲିରା ପଛରେ ଆଉ କୋଠରୀ ଅଛି କି ନାହିଁ ଆଜି ହିଁ ସ୍ପଷ୍ଟ ହୋଇଯିବ । ଭିତର ରତ୍ନଭଣ୍ଡାର ଖୋଲୁଥିବାରୁ ସକାଳ ୮ଟାରୁ ଶ୍ରମନ୍ଦିର ଭିତରକୁ ଭକ୍ତଙ୍କୁ ପ୍ରବେଶ ନିଷେଧ କରାଯାଇଛି ।