ନେତା ବାଛିବାକୁ ଧାଡିରେ ଛିଡା ହେଲେ ରାଜା, ପୁରୀରେ ଭୋଟ ଦେଲେ ଗଜପତି ମହାରାଜା । ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାକୁ ଦେଲେ ଆହ୍ୱାନ

263

କନକ ବ୍ୟୁରୋ : ଗଣତନ୍ତ୍ର ମହାପର୍ବରେ କେବଳ ସାଧାରଣ ଜନତା ନୁହେଁ ବରଂ ରାଜା ମଧ୍ୟ ନେତା ବାଛିବାକୁ ପଛାଇ ନାହାନ୍ତି । ସେଥିପାଇଁ ତ ଭାରତର ଗଣତନ୍ତ୍ରକୁ ମହାନ ବୋଲି କୁହାଯାଇଥାଏ । ଏହାର ଝଲକ ଆଜି ଜଗନ୍ନାଥ ଧାମ ପୁରୀରେ ଦେଖିବାକୁ ମିଳିଛି । ଯେଉଁଠି ଜଣେ ରାଜା ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଛନ୍ତି ଆଉ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି । ସରକାର ବାଛିବା ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ଜଗନ୍ନାଥଙ୍କ ପ୍ରଥମ ସେବକ । ତୃତୀୟ ପର୍ଯ୍ୟାୟରେ ପୁରୀରେ ନିର୍ବାଚନ ହେଉଥିବା ବେଳେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଭୋଟ ଦେଇଛନ୍ତି । ପୁରୀର ୧୫ ନମ୍ବର ୱାର୍ଡର ଦୋଳମଣ୍ଡପ ସାହି ଉ.ପ୍ରା ବିଦ୍ୟାଳୟର ୧୧୨ ନମ୍ବର ବୁଥରେ ଭୋଟ ଦେଇଛନ୍ତି ଗଜପତି ମହାରାଜା । ନିଜ ସହଧର୍ମିଣିଙ୍କ ସହ ଧାଡିରେ ଛିଡା ହୋଇ ଭୋଟ ଦେଇଛନ୍ତି ଗଜପତି ମହାରାଜା ।

ଦଳ ଅପେକ୍ଷା ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱ ଦେଖି ଗଜପତି ନିଜର ଭୋଟ ଦେଇଥିବା କହିଛନ୍ତି । ଏପରିକି ଗଣତନ୍ତ୍ରର ଏହି ମହାପର୍ବରେ ସମସ୍ତଙ୍କୁ ସାମିଲ ହେବାକୁ ଗଜପତି ମହାରାଜ ସମସ୍ତଙ୍କୁ ନିବେଦନ କରିଛନ୍ତି । କାରଣ ଏହାଦ୍ୱାରା ହିଁ ଦେଶ ଓ ରାଜ୍ୟର ଭବିଷ୍ୟତ ନିର୍ଦ୍ଧାରଣ ହେବ ବୋଲି କହିଛନ୍ତି ଗଜପତି ।

ଭାରତରେ ରାଜତନ୍ତ୍ର ଲୋପ ପାଇ ସାରିଥିବା ବେଳେ ଏବେ ମଧ୍ୟ କିଛି ସ୍ଥାନରେ ରାଜତନ୍ତ୍ରର ପରମ୍ପରା ରହିଛି । ଯାହା ମଧ୍ୟରେ ପୁରୀ ଅନ୍ୟତମ । ଗଣତନ୍ତ୍ର ଅନୁଯାୟୀ ଏଠାରେ ଶାସନ ଚାଲୁଥିଲେ ମଧ୍ୟ ରାଜାଙ୍କର ଗୁରୁତ୍ୱ ମଧ୍ୟ ଅନେକାଂଶରେ ରହିଛି । ଖାସକରି ଓଡିଆ ଜାତିର ଆରାଧ୍ୟ ଦେବତା ଜଗନ୍ନାଥଙ୍କ ପ୍ରଥମ ସେବକ ଭାବେ ଗଜପତି ମହାରାଜଙ୍କୁ ଯଥାଚିତ ସମ୍ମାନ ଦେଇଥାନ୍ତି ଓଡିଶାବାସୀ ।