ନୀତି ଆୟୋଗ ଡେଲଟା ରାଙ୍କିଙ୍ଗର ଶ୍ରେଷ୍ଠ ୫ଟି ଜିଲ୍ଲାରେ ଓଡି଼ଶାର ୨ଟି ଜିଲ୍ଲା । ତାଲିକାର ଶୀର୍ଷରେ ଗଜପତି ।

116

କନକ ବ୍ୟୁରୋ: ମୌଳିକ ଭିତ୍ତିଭୂମ ବିକାଶରେ ଦେଶରେ ଏକ ନମ୍ବର ସ୍ଥାନରେ ରହିଛି ଓଡିଶାର ଗଜପତି ଜିଲ୍ଲା । ସର୍ବନିମ୍ନ ମୌଳିକ ଭିତ୍ତିଭୂମିର ବିକାଶ ଦିଗରେ କେଉଁ ଜିଲ୍ଲା କେତେ କାମ କରିଛି ତାକୁ ନେଇ ସାରା ଦେଶରେ ନିତି ଆୟୋଗ ଦ୍ୱାରା ଡେଲଟା ର୍ୟାକିଂ କରାଯାଇଛି ଆଉ ଏହି ରାଙ୍କିଙ୍ଗରେ ସର୍ବଶ୍ରେଷ୍ଠ ୫ଟି ଜିଲ୍ଲା ମଧ୍ୟରେ ଓଡିଶାର ଦୁଇଟି ଜିଲ୍ଲା ରହିଛି । ତାଲିକାର ଶୀର୍ଷରେ ଗଜପତି ଜିଲ୍ଲା ଥିବା ବେଳେ ପଞ୍ଚମ ସ୍ଥାନରେ ରହିଛି କୋରାପୁଟ ।

ମୌଳିକ ଭିତ୍ତିଭୂମ ବିକାଶ ପାଇଁ ସରକାର କରିଥିବା ଯୋଜନା, ଦେଶର କେଉଁ ଜିଲ୍ଲା କେତେ ମାତ୍ରାରେ ଫଳପ୍ରଦ ହୋଇଛି ଏବଂ ବିକାଶ ମୂଳକ କାମକୁ କିଏ ଅଧିକ ପ୍ରାଧାନ୍ୟ ଦେଇଛି । ଏହାକୁ ନେଇ ୨୦୨୦ ଏପ୍ରିଲ ମାସରୁ ଡିସେମ୍ବର ମାସ ଯାଏଁ ସର୍ଭେ କରିଥିଲେ ନୀତି ଆୟୋଗ । ଆଉ ଏହି ଡେଲଟା ର୍ୟାଙ୍କିଙ୍ଗରେ ଗଜପତି ଜିଲ୍ଲାକୁ ପ୍ରଥମ ସ୍ଥାନରେ ରଖିଛି ନୀତି ଆୟୋଗ ।

୨୦୨୦ ଏପ୍ରିଲରୁ ଡିସେମ୍ବର ଭିତରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଜିଲ୍ଲାରେ ପ୍ରାୟ ୩୬ କିଲୋମିଟର ରାସ୍ତା ନିର୍ମାଣ ପାଇଁ ଲକ୍ଷ୍ୟ ରହିଥିଲା । ଗଜପତି ଜିଲ୍ଲାରେ ପ୍ରାୟ ୩୨ କିଲୋମିଟର ରାସ୍ତା କାମ ଶେଷ ହୋଇଛି, ଯାହା ୮୫ ପ୍ରତିଶତରୁ ଅଧିକ । ସେହିପରି ୧୪୯ଟି ସାର୍ବଜନୀନ ସେବା କେନ୍ଦ୍ର ପାଇଁ ଲକ୍ଷ୍ୟ ରଖିଥିଲେ ସରକାର, ୧୦୫ଟି ନିର୍ମାଣ ହୋଇଛି, ଯାହା ଧାର୍ଯ୍ୟ ଲକ୍ଷ୍ୟର ୭୦ ପ୍ରତିଶତ । ନୀତି ଆୟୋଗଙ୍କ ସର୍ଭେ ଭିତରେ ଗଜପତି ଜିଲ୍ଲାରେ ୧୫୯୫ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଇଛି । ଏହି ସବୁ ତଥ୍ୟକୁ ଆଧାର କରି ଡେଲଟା ରାଙ୍କିଙ୍ଗରେ ଗଜପତି ଜିଲ୍ଲାକୁ ତାଲିକାର ୧ ନମ୍ବରରେ ରଖିଛନ୍ତି ନିତି ଆୟୋଗ । ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ଉଦ୍ୟମ ଯୋଗୁଁ ସରକାରୀ ଯୋଜନାର ସଫଳ ରୂପାୟନ ହୋଇପାରିଛି । ଆଉ ଏହି ସଫଳତା ପାଇଁ ବିଶେଷ କରି ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ ଭୂମିକା ରହିଛି । ସର୍ବନିମ୍ନ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଏହି ପ୍ରକ୍ରିୟା ଆଗକୁ ମଧ୍ୟ ଜାରି ରହିବ ବୋଲି ଜିଲ୍ଲାପାଳ କହିଛନ୍ତି ।