କନକ ବ୍ୟୁରୋ : ବିଜ୍ଞାନ ଯୁଗରେ କିଛି ଅସମ୍ଭବ ନୁହେଁ । କରିବାର ଉଦ୍ଦେଶ୍ୟ ଥିଲେ ଯେତେ କଷ୍ଟକର କାମ ହେଲେ ବି କରିହେବ । ଯାହା କରି ଦେଖାଇଛି ଗଜପତି ଜିଲ୍ଲା ପ୍ରଶାସନ । କମ୍ ଖର୍ଚ୍ଚରେ ପୋଖରୀରେ କ୍ଷୁଦ୍ର ଜଳ ବିଦ୍ୟୁତ ପ୍ରକଳ୍ପ କରି ସଫଳ ହୋଇଛି ଜିଲ୍ଲା ପ୍ରଶାସନ ।
ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଗଜପତି ଜିଲ୍ଲା । ଏହି ଜିଲ୍ଲାରେ ଅନେକ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ରହିଛି । ଏସବୁ ମଧ୍ୟରେ ଅନ୍ୟତମ ମୋହନା ବ୍ଲକ ଚନ୍ଦ୍ରଗିରି ନିକଟ ଜିରାଙ୍ଗ ବୌଦ୍ଧ ମନ୍ଦିର ସ୍ଥିତ ପଦ୍ମସମ୍ଭବ ମାନସରୋବର । ଏଠିକାର ମନୋରମ ଦୃଶ୍ୟ ଲୋକଙ୍କୁ ବେଶ ଆକର୍ଷିତ କରୁଛି । କାରଣ ପଦ୍ମସମ୍ଭବରୁ ବିଜୁଳି ଉତ୍ପାଦନ ହେଉଛି । ଜଳଭଣ୍ଡାରର ୧୪ ଫୁଟ ତଳେ ଏକ ଟରବାଇନ୍ ବସାଯାଇଛି । ତାକୁ ପାଇପ୍ ସଂଯୋଗ କରି ପ୍ରତି ସେକେଣ୍ଡରେ ୫୫ ଲିଟର ବା ୧ ଦଶମିକ ୯୪ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ଯେଉଁଥିରୁ ୧ କିଲୋ ୱାଟ୍ ବିଦ୍ୟୁତ୍ ଉତ୍ପାଦନ ହେଉଛି । ୩ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟରେ ଏହି କ୍ଷୁଦ୍ର ଜଳ ବିଦ୍ୟୁତ ପ୍ରକଳ୍ପ କରାଯାଇଛି ।
ଜିରାଙ୍ଗ ବୌଦ୍ଧ ମନ୍ଦିର ପାଶ୍ୱବର୍ତୀ ଅଂଚଳକୁ ଆଲୋକିତ କରୁଛି ପଦ୍ମସମ୍ଭବ ମାନସରୋବରରୁ ଉତ୍ପାଦିତ ବିଜୁଳି । ଜଳଭଣ୍ଡାର ଚାରିପଟେ ଏଲଇଡି ଲାଇଟ ଲଗାଇ ଆଲୋକୀକରଣ ବ୍ୟବସ୍ଥା କରିଛି ଗଜପତି ଜିଲ୍ଲା ପ୍ରଶାସନ । ଯାହାକୁ ଉପଭୋଗ କରିବା ପାଇଁ ସନ୍ଧ୍ୟା ହେଲେ ପର୍ଯ୍ୟଟକଙ୍କ ଭିଡ ଜମୁଛି । ବୌଦ୍ଧ କୀର୍ତିରାଜି ସାଙ୍ଗକୁ ଅତି ମନୋରମ ପରିବେଶ ପର୍ଯ୍ୟଟକଙ୍କୁ ବେଶ କିଛି ସମୟ ନିଜ ପାଖରେ ଅଟକେଇ ଦେଉଛି । ପୂର୍ବତନ ଜିଲ୍ଲାପାଳ ଅନୁପ ଶାହାଙ୍କ ନିର୍ଦ୍ଦେଶ କ୍ରମେ ଛେଳିଗଡ ଜଳସେଚନ ପ୍ରକଳ୍ପ ଅଧିକ୍ଷଣ ଯନ୍ତ୍ରୀ ନଗେନ୍ଦ୍ରନାଥ ମହାରଣାଙ୍କ ତତ୍ୱାବଧାନରେ ଏହି ସୁନ୍ଦର ପ୍ରକଳ୍ପଟି କରାଯାଇଛି । ଏହି କ୍ଷୁଦ୍ର ପ୍ରକଳ୍ପକୁ ଗତ ଜୁଲାଇ ୨୬ ତାରିଖରେ ପରୀକ୍ଷା ମୂଳକ ଭାବେ କାର୍ଯ୍ୟକାରୀ କରାଯାଇଥିଲା । ପ୍ରଶାସନ ଏଭଳି ପ୍ରଶଂସନୀୟ ପ୍ରକଳ୍ପକୁ ବେଶ ପ୍ରଶଂସା କରାଯାଉଛି ।