ଆନ୍ଧ୍ର ସ୍କୁଲ ମୁହାଁ ଗଜପତି ସୀମାନ୍ତବର୍ତ୍ତୀ ଛାତ୍ରଛାତ୍ରୀ: ଅକର୍ଷଣୀୟ ଯୋଜନା କରି ଦେଖାଉଛନ୍ତି ଲୋଭ 

76

କନକ ବ୍ୟୁରୋ: ଓଡ଼ିଶା ସରକାର ଶିକ୍ଷା କ୍ଷେତ୍ରରେ ଅନେକ ପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟକ୍ରମ କରୁଥିବା ବେଳେ ଆନ୍ଧ୍ର ବିଦ୍ୟାଳୟରେ ପଢିବା ପାଇଁ ଗଜପତି ଜିଲ୍ଲାର ସୀମାନ୍ତବର୍ତୀ ଛାତ୍ରଛାତ୍ରୀ ଆଗ୍ରହ ପ୍ରକାଶ କରୁଛନ୍ତି । କାରଣ ଆନ୍ଧ୍ର ସରକାରଙ୍କ ଆରମ୍ଭ କରିଛନ୍ତି ଆମାୱଡ଼ି ଯୋଜନା । ଯାହାକୁ ଓଡିଆରେ ମାଆ କୋଳ ବୋଲି କୁହାଯାଏ । ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୧୫ ହଜାର ଟଙ୍କା ସହ ସ୍କୁଲ ପୋଷାକ, ସ୍କୁଲ ବ୍ୟାଗ୍, ଜୋତା ଓ ପାଠ୍ୟ ପୁସ୍ତକ ମାଗଣାରେ ମିଳୁଛି । ଏମିତି ଯୋଜନା କରି ଗଜପତି ଓ ଆନ୍ଧ୍ର ସୀମାନ୍ତରେ ରହୁଥିବା ପରିବାରକୁ ପ୍ରଲୋଭିତ କରୁଛନ୍ତି ଆନ୍ଧ୍ରପ୍ରଦେଶ ସରକାର ।

ଏପଟେ ସୀମନ୍ତରେ ଥିବା ଓଡିଆ ସ୍କୁଲରେ ତେଲୁଗୁ ଭାଷାରେ ପାଠ ପଢିବା ପାଇଁ କୌଣସି ସୁବିଧା ନାହିଁ ।  ତେଣୁ ଛାତ୍ରଛାତ୍ରୀ ଆନ୍ଧ୍ର ଶିକ୍ଷା ବ୍ୟବସ୍ଥା ପ୍ରତି ଆକର୍ଷିତ ହେଉଛନ୍ତି । ପାରଳାଖେମୁଣ୍ଡିର କିଛି ପିଲା ଆନ୍ଧ୍ରର ପୁରୁଣାପାଟଣା ଏବଂ ଚାପରାରେ ପାଠ ପଢୁଛନ୍ତି । ଆନ୍ଧ୍ର ସରକାରଙ୍କ ଶିକ୍ଷା ଯୋଜନାକୁ ପ୍ରତିଯୋଗୀତା କରିବା ପରି ଓଡ଼ିଶା ଶିକ୍ଷା ନୀତିରେ ପରିବର୍ତନର ଆବଶ୍ୟକତା ରହିଛି । ଆନ୍ଧ୍ର ଶିକ୍ଷା ନୀତିରେ ଶିକ୍ଷକମାନଙ୍କ ଉପସ୍ଥାନ ବାୟୋମେଟ୍ରିକ ମାଧ୍ୟମରେ ନିୟନ୍ତ୍ରଣ କରାଯାଉଛି । ବିନା ଅନୁମତିରେ ଶିକ୍ଷକ ବିଦ୍ୟାଳୟ ସମୟରେ ବାହାରେ ରହିପାରିବେ ନାହିଁ । କିନ୍ତୁ ଗଜପତି ଜିଲ୍ଲାର ଗ୍ରାମାଂଚଳରେ ଓଡିଶା ଶିକ୍ଷକମାନଙ୍କ ଉପସ୍ଥାନ ଅତ୍ୟନ୍ତ ଦୁର୍ବଳ ଏବଂ ଶିକ୍ଷା ବିଭାଗ ଏଥିପ୍ରତି ଗୁରୁତ୍ୱ ଦେଉନଥିବା ଅଭିଯୋଗ ହୋଇଛି ।

ପୂର୍ବରୁ କେବଳ ସୀମାନ୍ତ ଓ ଦୁର୍ଗମ ଅଂଚଳରେ ପ୍ରଲୋଭନ ଦେଖାଇ ଆନ୍ଧ୍ର ଓଡ଼ିଶା ଲୋକଙ୍କୁ ନିଜର କରୁଥିବା ବେଳେ ଏବେ ସହର ଉପକଣ୍ଠର ଶହ ଶହ ଛାତ୍ରଛାତ୍ରୀ ଆନ୍ଧ୍ର ବିଦ୍ୟାଳୟରେ ନାମ ଲେଖାଇ ସାରିଲେଣି । କିନ୍ତୁ ଏ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗି ନାହିଁ, ଯାହା ପରିତାପର ବିଷୟ ।