କନକ ବ୍ୟୁରୋ : ଗଜପତି – ଏ କିଙ୍ଗ ୱିଦାଉଟ୍ କିଙ୍ଗଡମ୍, ଅର୍ଥାତ ରାଜ୍ୟ ବିହୀନ ରାଜା । ଏହି ପୁସ୍ତକକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କରିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବହିର ଲେଖକ ଅଶୋକ ବଳ କହିଛନ୍ତି, ଗଜପତି କେବେ ନିଜକୁ ରାଜା କହିନଥାନ୍ତି । ଜଗନ୍ନାଥଙ୍କୁ ହିଁ ରାଷ୍ଟ୍ରଦେବତା ଓ ରାଷ୍ଟ୍ରର ମୁଖ୍ୟ ବୋଲି କହିଥାନ୍ତି । ଜଗନ୍ନାଥଙ୍କ ରାଉତ ଭାବେ ଶାସନ କରିଥାନ୍ତି । ଓଡ଼ିଶା ପରାଧୀନ ହେବା ପରେ ଗଜପତି କେବଳ ଜଣେ ରାଜା ହୋଇ ରହିଥିଲେ, ଯାହାଙ୍କର କୌଣସି ରାଜ୍ୟ ନଥିଲା ବୋଲି କହିଛନ୍ତି ଲେଖକ ଅଶୋକ ବଳ ।

Advertisment

ଗଜପତି – ଏ କିଙ୍ଗ ୱିଦାଉଟ୍ କିଙ୍ଗଡମ୍ । ଏହି ପୁସ୍ତକରେ ଗଜପତି ପରମ୍ପରା ଓ ସେମାନଙ୍କ ସମ୍ବନ୍ଧରେ ଅନେକ ଭିତିରି କଥା ଲେଖିଛନ୍ତି ଅଶୋକ ବଳ । ଚୋଡ଼ଗଙ୍ଗ ଦେବଙ୍କ ଠାରୁ ଗଙ୍ଗ ବଂଶର ରାଜାମାନେ ଜଗନ୍ନାଥଙ୍କୁ ରାଷ୍ଟ୍ରଦେବତା ଓ ରାଷ୍ଟ୍ରର ମୁଖ୍ୟ ଭାବେ ଗ୍ରହଣ କରି ଶାସନ କରୁଥିଲେ । ଗଙ୍ଗବଂଶ ପରେ ସୂର୍ଯ୍ୟବଂଶର ରାଜାମାନେ ମଧ୍ୟ ଜଗନ୍ନାଥଙ୍କ ସେବକ ଭାବେ ନିଜକୁ ଦେଖୁଥିଲେ । ରାଜା କପିଳେନ୍ଦ୍ର ଦେବ ସବୁଠୁ ପରାକ୍ରମୀ ଥିଲେ, ତାଙ୍କରି ସମୟରେ ଗଙ୍ଗାଠାରୁ କାବେରୀ ପର୍ଯ୍ୟନ୍ତ ଓଡ଼ିଶାର ସୀମା ବ୍ୟାପିଥିଲା ।

କପିଳେନ୍ଦ୍ର ଦେବଙ୍କ ପରେ ଆଫଗାନ, ମରାଠା ଓ ଇଂରେଜ୍ ହାତକୁ ଚାଲି ଯାଇଥିଲା ଓଡ଼ିଶା । ଗଜପତିଙ୍କ ସାମ୍ରାଜ୍ୟ, ସେମାନଙ୍କ ଶାସନ ଶୈଳୀ ଏବଂ ଓଡ଼ିଶାର ତକ୍ରାଳୀନ ସଂସ୍କୃତି ଓ ପରମ୍ପରାକୁ ତାଙ୍କ ପୁସ୍ତକରେ ବିସ୍ତୃତ ଭାବେ ବର୍ଣ୍ଣନା କରିଛନ୍ତି ଲେଖକ ଅଶୋକ ବଳ ।

ଇଂରେଜମାନେ ଆସିବା ପରେ ଗଜପତିଙ୍କ କ୍ଷମତା ସଂକୁଚିତ ହୋଇଥିଲା । ରାଜ୍ୟ ଚାଲି ଯାଇଥିଲା, କ୍ଷମତା ଛଡ଼ାଇ ନିଆଯାଇଥିଲା । ପୁରୀ ଓ ଶ୍ରୀମନ୍ଦିର ମଧ୍ୟରେ ସୀମିତ ହୋଇ ଯାଇଥିଲା ଗଜପତିଙ୍କ ପରସର । ରାଜ୍ୟବିହୀନ ରାଜା ହୋଇ ଯାଇଥିଲେ ଗଜପତି ।

ଗଜପତି ପରମ୍ପରା, କେବଳ ଗୋଟିଏ ପଦବୀରେ ସୀମିତ ନୁହେଁ, ଏହା ଏକ ଅନୁଷ୍ଠାନ ବୋଲି କହିଛନ୍ତି ଅଶୋକ ବଳ । ସେତେବେଳର ଓଡ଼ିଶା ଏବଂ ବିଭିନ୍ନ ସମୟରେ ଗଜପତିଙ୍କ ଉତଥାନ-ପତନର ଅନେକ ଗୁମର କଥା, ଗଜପତି ପୁସ୍ତକରେ ଆଲୋକପାତ କରାଯାଇଛି ।