ଭ୍ରମଣ ଋତୁରେ ପର୍ଯ୍ୟଟକଙ୍କୁ ହାତ ଠାରି ଡାକିଲାଣି ପ୍ରକୃତିର ଭୂସ୍ୱର୍ଗ ଗଜପତି … 

156

ଧରାପୃଷ୍ଠକୁ ଶୀତଋତୁର ଆଗମତ ହୋଇସାରିଲାଣି । ଆଉ ଶୀତଋତୁର ଅନ୍ୟଅର୍ଥ ହେଉଛି ବୁଲାବୁଲି କରିବା । ବର୍ଷତମାମ ଘର , ଅଫିସର ଚକ୍କର କାଟୁଥିବା ଲୋକଙ୍କ ପାଇଁ ଫ୍ରି ଟାଇମ୍ କହିଲେ ତ ଏହି ଶୀତଦିନ । ବର୍ତ୍ତମାନ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର୍ର ପର୍ଯ୍ୟଟକଙ୍କୁ ହାତ ଠାରି ଡ଼ାକିଲାଣି । କାଶ୍ମୀର, ସିମଲା,ମନାଲି ଭଳି ସ୍ଥାନକୁ ପର୍ଯ୍ୟଟକଙ୍କ ତ ସୁଅ ଛୁଟିଲାଣି । ଯଦି ଆପଣ ପ୍ରକୃତିପ୍ରେମୀ ଏବଂ ଜଙ୍ଗଲ , ଝରଣା ,ଭଗ୍ନସ୍ତୁପ , ପାହାଡ଼କୁ ପସନ୍ଦ କରନ୍ତି ତେବେ ଓଡ଼ିଶାର ଗଜପତି ଜିଲ୍ଲା ଆପଣଙ୍କୁ କେଉଁ ସ୍ୱର୍ଗ ଠାରୁ କମ୍ ଲାଗିବନାହିଁ । ଆସନ୍ତୁ ଗଜପତିର ଏଭଳି କିଛି ସ୍ଥାନ ବିଷୟରେ ଆଜି ଜାଣିବା ।

୧ . ତପ୍ତପାଣି :

ଗଜପତି ଜିଲ୍ଲାର ତପ୍ତପାଣି ସ୍ଥାନଟି ଉଭୟ ବଣଭୋଜି ଏବଂ ବୁଲାବୁଲି କରିବା ପାଇଁ ପ୍ରକୃଷ୍ଟ ସ୍ଥାନ ଅଟେ । ଶୀତଦିନେ ଏଠାରେ ଉତ୍ତପ୍ତ ପାଣିରେ ଗାଧୋଇବାର ମଜା ହିଁ ନିଆରା । ଆଦିବାସୀ ଅଧିଷ୍ଠିତ ଏହି ଅଞ୍ଚଳରେ ଶୈବପୀଠ ଏବଂ ମୃଗବିହାର ଦେଖିବାକୁ ମିଳିବ । ସହରର ଶୋରଶବ୍ଦରୁ ବାହାରି ପ୍ରକୃତିର ବାତ୍ସା ପାଇବାକୁ ହେଲେ ତପ୍ତପାଣି ଯାଇପାରନ୍ତି । ବ୍ରହ୍ମପୁରଠାରୁ ୫୦ କି.ମି. ଦୂରତାରେ ଅବସ୍ଥିତ ତପ୍ତପାଣି ।

୨ . ଜିରାଙ୍ଗ ଏବଂ ଖସଡା :

ଓଡିଶାରେ ନେପାଳର ମଜା ପାଇବାକୁ ଚାହୁଁଥିଲେ ଜିରାଙ୍ଗ ସ୍ଥାନଟି ଆପଣଙ୍କ ପାଇଁ ସର୍ବୋକୃଷ୍ଟ ହେବ । ଗଜପତି ଜିଲ୍ଲାରେ ଥିବା ଏହି ଦୁଇଟି ସ୍ଥାନ ନବବର୍ଷ ପାଇଁ ଖୁବ୍ ଗହଳି ରହିଥାଏ । ଏଠାରେ ବୁଲିବା ପାଇଁ ଏବଂ ମନକୁ ଶାନ୍ତି ଦେଲା ଭଳି ପରିବେଶ ଆପଣଙ୍କୁ ବାରମ୍ବାର ଏଠାକୁ ଟାଣିଆଣିବ ।

ବୁଲାବୁଲି ପାଇଁ ବେଷ୍ଟ୍ ଥିବା ଏହି ସ୍ଥାନରେ ବଣଭୋଜି କରିବା ପାଇଁ ପାଖରେ ଥିବା ଖସଡା ଖୁବ୍ ଭଲ । ଝରଣାରୁ ବୋହି ଆସୁଥିବା ପାଣି ଏବଂ ଶାନ୍ତ ପରିବେଶର ଯୁଗଳବନ୍ଦୀ ପର୍ଯ୍ୟଟକଙ୍କୁ ଏଠାକୁ ଟାଣିଆଣେ ।

୩ . ଗଣ୍ଡାହାତୀ ଜଳପ୍ରପାତ :

ଭୁବନେଶ୍ୱର ଠାରୁ ୨୬୬ କି.ମି. ଦୂରତାରେ ଥିବା ଗଣ୍ଡାହାତୀ ଜଳପ୍ରପାତ ପ୍ରକୃତିର ସୁନ୍ଦରତା କାରଣରୁ ଶୀତଦିନେ ଖାସ୍ କରି ନବବର୍ଷ ସମୟରେ ହଜାର ହଜାର ପର୍ଯ୍ୟଟକଙ୍କୁ ଏଠାକୁ ଡାକିଆଣେ । ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିଠାରୁ ୩୦ କି.ମି. ଦୂରତାରେ ଥିବା ଗଣ୍ଡାହାତୀ ଜଳପ୍ରପାତ ପିକନିକ୍ ପାଇଁ ମଧ୍ୟ ଏକ ବେଷ୍ଟ ସ୍ଥାନ । ତେଣୁ ନବବର୍ଷରେ ଏଠାକୁ ଆସି ବୁଲିବା ଏବଂ ପିକନିକରେ ମଜା ନିଅନ୍ତୁ ।

୪ . ମହେନ୍ଦ୍ରଗିିରି : 

ସୌଖିନ ସହରର କବଳରୁ ଯଦି ସରଳ ପ୍ରକୃତି କେବେ ଦେଖିବାକୁ ଇଚ୍ଛା କରନ୍ତି ତେବେ ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ଆପଣଙ୍କ ଇଚ୍ଛାକୁ ପୂରଣ କରିପାରିବ । ଭୁବନେଶ୍ୱରଠାରୁ ମହେନ୍ଦ୍ରଗିରିର ଦୂରତା ୨୪୪ କି.ମି । ହେଲେ ବଡ଼ କଥା ହେଉଛି ଏହି ପାହାଡ଼ି ରାସ୍ତାକୁ ଯିବାକୁ ହେଲେ ଭଲ ରାସ୍ତା , ବଡ଼ ବଡ଼ ହୋଟେଲର ସୌଖିନକୁ ଆପଣଙ୍କୁ ତ୍ୟାଗ କରିବାକୁ ପଡ଼ିବ । ପ୍ରକୃତିର ସୁନ୍ଦରତା , ପୁରାତନ ଭଗ୍ନସ୍ତୁପ, ପାହାଡ଼ି ଝରଣାକୁ ଅତି ପାଖରୁ ଦେଖିପାରିବେ କିନ୍ତୁ ସୁବିଧା ନାମକ ଶବ୍ଦକୁ ଏଠାରେ ଆପଣଙ୍କୁ ଭୁଲିବାକୁ ହେବ ।

୫ . ମାଙ୍କଡ଼ଡ଼ିଆଁ ଜଳପ୍ରପାତ : 

ଗଜପତି ଜିଲ୍ଲାର ଆଉ ଏକ ଆକର୍ଷଣ ହେଉଛି ମାଙ୍କଡ଼ଡ଼ିଆଁ ଜଳପ୍ରପାତ । ବ୍ରହ୍ମପୁରଠାରୁ ୭୦ କି.ମି ଦୂରରେ ଅବସ୍ଥିତ ଏହି ଜଳପ୍ରପାତ ପ୍ରକୃତିପ୍ରେମୀଙ୍କୁ ଖୁବ୍ ପସନ୍ଦ ଆସିବ । ତେବେ ପର୍ଯ୍ୟଟନ ଋତୁରେ ଆଉ ବିଳମ୍ବ ନକରି ଥରେ ବୁଲିଆସନ୍ତୁ ଗଜପତି ।