ମହାରାଷ୍ଟ୍ର ବିଜେପିରେ ସଂକଟ । ଦଳରୁ ଇସ୍ତଫା ଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟସିଂରାଓ ଗାଇକୱାଡ । ଦଳ ଉପେକ୍ଷା କରୁଥିବା ଅଭିଯୋଗ

153

କନକ ବ୍ୟୁରୋ : ମହାରାଷ୍ଟ୍ର ବିଜେପିରେ ମହାମାରୀ । କ୍ଷମତାରୁ ଯିବା ପରେ ଏବେ ଜଣଙ୍କ ପରେ ଜଣେ ନେତା ଦଳ ଛାଡୁଛନ୍ତି । ଏହି କ୍ରମରେ ମଙ୍ଗଳବାର ଦଳରୁ ଇସ୍ତଫା ଦେଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟସିଂରାଓ ଗାଇକୱାଡ । ସେ ତାଙ୍କର ଇସ୍ତଫାପତ୍ର ମହାରାଷ୍ଟ୍ର ବିଜେପିର ସଭାପତି ଚନ୍ଦ୍ରକାନ୍ତ ପାଟିଲଙ୍କ ନିକଟକୁ ପଠାଇ ଦେଇଛନ୍ତି । ଚନ୍ଦ୍ରକାନ୍ତ ପାଟିଲଙ୍କୁ ଲେଖିଥିବା ଚିଠି ମୁତାବକ ସେ ରାଜ୍ୟ ବିଜେପି ୟୁନିଟ୍ ଓ ଦଳର ପ୍ରାଥମିକ ସଭ୍ୟପଦରୁ ଇସ୍ତଫା ଦେଇଥିବା ଜଣାପଡିଛି ।

ଏନେଇ ଗଣମାଧ୍ୟମ ପ୍ରଶ୍ନର ଉତର ଦେଇ ଗାଇକୱାଡ କହିଛନ୍ତି ‘ମୁଁ ଦଳପାଇଁ କାମ କରିବାକୁ ପ୍ରସ୍ତୁତ ଥିଲି ହେଲେ ଦଳ ମୋତେ ସୁଯୋଗ ଦେଲା ନାହିଁ । ତେଣୁ ଶେଷରେ ମୁଁ ଏଭଳି ନିସ୍ପତ୍ତି ନେଲି ’ ଗାଇକୱାଡ ଏହା ପୂର୍ବରୁ ମହାରାଷ୍ଟ୍ରର ମନ୍ତ୍ରୀ ଭାବେ ବି କାର୍ଯ୍ୟ କରିଛନ୍ତି । ସେ ବର୍ତମାନ ସଂସଦ କିମ୍ବା ବିଧାନସଭାର ସଦସ୍ୟ ହେବାକୁ ଚାହୁଁ ନଥିବା କଥା କହିଛନ୍ତି । ମୁଁ ଦଳକୁ ସାଂଗଠନିକ ସ୍ତରରେ ମଜଭୂତ କରିବାକୁ ଚାହୁଁଛି । ତେଣୁ ଏହି ଦାୟିତ୍ୱ ନେବାକୁ ନେବାକୁ ମୁଁ ଦଶବର୍ଷ ଧରି ଦଳ ପାଖରେ ଅନୁରୋଧ କରିଆସୁଛି । ହେଲେ ଦଳ ମୋତେ ଏଥିପାଇଁ ସୁଯୋଗ ଦେଲା ନାହିଁ । ଏଣୁ ମୁଁ ବାଧ୍ୟ ହୋଇ ଦଳରୁ ଇସ୍ତଫା ଦେଇଛି ବୋଲି ସେ କହିଛନ୍ତି । ଏହାସହ ସେ ରାଜ୍ୟ ବିଜେପି ଉପରେ ଏକ ବଡ ଆରୋପ ଲଗାଇଛନ୍ତି । ସେ କହିଛନ୍ତି କି ମହାରାଷ୍ଟ୍ରରେ ଯେଉଁ ବିଜେପି ନେତା ମାନେ ସର୍ବଦା ସଂଗଠନକୁ ମଜଭୂତ କରିବାକୁ ଚାହିଁଛନ୍ତି ସେମାନଙ୍କୁ ଦଳ ପକ୍ଷରୁ ଉପେକ୍ଷା କରାଯାଇଛି । ଅନ୍ୟପଟେ ଗାଇକୱାଡଙ୍କ ଇସ୍ତଫା ଉପରେ କୌଣସି ମନ୍ତବ୍ୟ ଦେବାକୁ ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ପାଟିଲ ମନା କରିଛନ୍ତି ।