ନଭେମ୍ବରରେ କେମିତି ଚାଲିବ ସରକାରୀ କାର୍ଯ୍ୟାଳୟ? ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଜାରି: ୫୦% କର୍ମଚାରୀରେ ଚାଲିବ ଟ୍ୱିନସିଟିରେ ଥିବା ଅଫିସ; କେଉଁ କର୍ମଚାରୀ ଅଫିସ ଆସିବେ, ନିଷ୍ପତି ନେବେ ବିଭାଗୀୟ ମୁଖ୍ୟ

144

କନକ ବ୍ୟୁରୋ: ନଭେମ୍ବର ମାସରେ କେମିତି ଚାଲିବ ସରକାରୀ କାର୍ଯ୍ୟାଳୟ, ଏ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର । ଭୁବନେଶ୍ୱର ଓ କଟକରେ ଥିବା ଅଫିସଗୁଡିକ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ । କେଉଁ କର୍ମଚାରୀ ଅଫିସ ଆସିବେ, ସେ ନିଷ୍ପତି ନେବେ ବିଭାଗୀୟ ମୁଖ୍ୟ । ତେବେ ଅଫିସ କାମ ଯେପରି ପ୍ରଭାବିତ ନହେବ, ଏଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି । ଯେଉଁମାନେ ଅଫିସ ଆସିବେ ନାହିଁ, ଘରୁ ଅଫିସ କାର୍ଯ୍ୟ କରିବେ । ସମସ୍ତେ ଫୋନରେ ଉପଲବ୍ଧ ହେବେ ଏବଂ ଜରୁରୀ ଆବଶ୍ୟକତା ପଡ଼ିଲେ ଅଳ୍ପ ସମୟ ମଧ୍ୟରେ ଅଫିସ କାର୍ଯ୍ୟରେ ଯୋଗଦେବେ ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରାଜ୍ୟରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ଶନିବାର ଦିନ ବନ୍ଦ ରହିବ । ଅନ୍ୟପଟେ ସ୍ୱତନ୍ତ୍ର ରିଲିଫ କମିସନର ଓ ଓସଡମା କାର୍ଯ୍ୟାଳୟ ସହ ପୁଲିସ, ଅଗ୍ନିଶମ, ସ୍ୱାସ୍ଥ୍ୟ, ପୌର ସେବା ଭଳି ଅତ୍ୟାବଶ୍ୟକ ସେବା ଯୋଗାଉଥିବା କାର୍ଯ୍ୟାଳୟ ପୂରା କର୍ମଚାରୀକୁ ନେଇ କାର୍ଯ୍ୟ କରିବେ । ଅଫିସଗୁଡିକରେ କୋଭିଡ୍ କଟକଣା କଡାକଡ଼ି କାର୍ଯ୍ୟକାରୀ କରାଯିବ । କୌଣସି କର୍ମଚାରୀ କରୋନା ଆକ୍ରାନ୍ତ ହେଲେ ସରକାରୀ ପ୍ରୋଟୋକଲ ଅନୁଯାୟୀ ପଦକ୍ଷେପ ନେବେ ବିଭାଗୀୟ ଅଧିକାରୀ ।