କନକ ବ୍ୟୁରୋ: ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଂଚଳରେ ମାଛ କେଳେଙ୍କାରୀ । ବନ ବିଭାଗ ଅଧିକାରୀ ଓ ମାଛ ମାଫିଆ ମିଳିମିଶି ଚଳୁ କରି ଦେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ନିଷିଦ୍ଧାଂଚଳରେ ମାଛ ମାରିବା ବେଆଇନ ଘୋଷଣା ହୋଇଥିବା ବେଳେ ବେଧଡକ ଭାବେ ଚାଲିଛି ଶହ ଶହ ମାଛଧରା ଟ୍ରଲର । ଟ୍ରଲର ଛାଡିଦେଲେ ବି ବନ ଅଧିକାରୀ ମାଲାମାଲ ହେଉଛନ୍ତି, ଆଉ ଯଦି ଟ୍ରଲର ଜବତ କରୁଛନ୍ତି ତେବେ ବି ଦିଗୁଣ ଲାଭ ପାଉଛନ୍ତି । ସରକାରୀ ରେକର୍ଡରେ ସିଜର ଲିଷ୍ଟରେ ୨ କୁଇଂଟାଲ ମାଛ ଦେଖା ଯାଉଥିବା ବେଳେ ପ୍ରକୃତରେ ୧୦ ଗୁଣ ମାଛ ଜବତ କରିଥାଏ ବନ ବିଭାଗ । ଆଉ ଏହି ବଳକା ମାଛର ନିଲାମ ଟଙ୍କାରେ ପକେଟ ଗରମ କରିଥାନ୍ତି ଅଧିକାରୀ ।
Advertisment
୨୯ ନଭେମ୍ବର 
ଗହୀରମଥାରୁ ସିଜ୍ ହେଲା ଲକ୍ଷ୍ମୀ ତାରିଣୀ-୩ ଟ୍ରଲର
ଗିରଫ ହେଲେ ୮ ଜଣ ମତ୍ସ୍ୟଜୀବୀ
ନିଷିଦ୍ଧାଂଚଳରେ ମାଛ ମାରିବା ଅଭିଯୋଗରେ ଏହି ଟ୍ରଲରକୁ ସିଜ୍ କରିଥିଲା ବନ ବିଭାଗ । ଟ୍ରଲର ସହ ଟ୍ରଲର ଭିତରେ ଥିବା ସାମଗ୍ରୀକୁ ମଧ୍ୟ ସିଜ୍ କରାଗଲା । ଦେଖନ୍ତୁ ଏହି ସିଜର ଲିଷ୍ଟକୁ । ଏଥିରେ ଦର୍ଶାଯାଇଛି ମାତ୍ର ୨ କୁଂଟାଲ ମାଛ ଜବତ କରାଯାଇଛି ।  ଏପରିକି କୋର୍ଟକୁ ମଧ୍ୟ ୨ କୁଇଂଟାଲ ମାଛ ଜବତ ହୋଇଥିବା ଦର୍ଶାଯାଇଛି । ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଶାସନପେଟାଠାରେ ଥିବା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ରେଂଜ କାର୍ଯ୍ୟାଳୟରେ ପହଁଚିଥିଲା କନକ ନ୍ୟୁଜ୍ । ପ୍ରଥମରୁ ହିଁ ତୋଡ ଦେଖାଇଥିଲେ ତଳିଆ ବନ କର୍ମଚାରୀ । ଜଣାପଡ଼ୁଥିଲା ଯେପରି ବଡ଼ କେଳେଙ୍କାରୀକୁ ଲୁଚାଇବା ପାଇଁ ସମସ୍ତଙ୍କୁ ଆଗରୁ ଦିଆଯାଇଛି ଟ୍ରେନିଂ । ବହୁ କସରତ କରିବା ପରେ ମାଛ ନିଲାମ ପାଇଁ ୬୦ ହଜାର ଟଙ୍କା ଡିପୋଜିଟ୍ କରିବା ପରେ ଟ୍ରଲର ନିକଟରେ ପହଁଚି ପାରିଥିଲେ ଆମ ରିପୋର୍ଟର । ଆଉ ସେଠାରେ ମାଛର ପରିମାଣ ଦେଖି ତାଜୁବ ହୋଇଯାଇଥିଲା । ଶୁଣନ୍ତୁ ମାଛର ପରିମାଣ କେତେ, କ’ଣ କହୁଛନ୍ତି ଟ୍ରଲର ଓ ମାଛ ଜବତ କରିଥିବା ଅଧିକାରୀ ।
ପ୍ରାୟ ୮୨ଟି ଟ୍ରେରେ ରହିଥିବା ୧୬ କୁଂଟାଲରୁ ଅଧିକ ମାଛ ଜବତ କରାଯାଇଛି, ହେଲେ ସିଜର ଲିଷ୍ଟରେ ଦର୍ଶାଯାଇଛି ମାତ୍ର ୨ କୁଂଟାଲ । ଅର୍ଥାତ୍ ବାକି ମାଛ, ବାକି ଟଙ୍କାକୁ ବେଶ ଚତୁରତାର ହରିଲୁଟ କରିବା ପାଇଁ ଜାଲ ବୁଣାଯାଇଛି । ଏହି ଉପାୟରେ ଲକ୍ଷ ଲକ୍ଷ ଟଙ୍କା ହଡପ କରାଯାଉଛି ।
ଗହୀର ମଥାରେ କଇଁଛଙ୍କ ସୁରକ୍ଷା ପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଜବତମାଛକୁ ବିକ୍ରି କରି ସେହି ଟଙ୍କା ରାଜକୋଷକୁ ଯିବା କଥା । ମାତ୍ର ସେହି ଟଙ୍କାର ସିଂହଭାଗରେ ବନବିଭାଗର ଅଧିକାରୀଙ୍କ ପକେଟ ଗରମ ହେଉଛି । ଏହାକୁ ନେଇ ବୁଦ୍ଧିଜୀବୀ ଓ ପରିବେଶବିତ ମାନଙ୍କ ଭିତରେ ଉଦ୍ବେଗ ପ୍ରକାଶ ପାଇଛି । ଅନ୍ୟପଟେ ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।