ଗହୀରମଥାରେ ଗୋଳମାଳିଆ ଗଣିତ: ଅଧିକାରୀ କହୁଛନ୍ତି ଗୋଟିଏ ତଥ୍ୟ, ସରକାରୀ ଖାତା କହୁଛି ଆଉ ଗୋଟିଏ ତଥ୍ୟ । ସରକାରଙ୍କୁ ଜଣାଉଛନ୍ତି କମ୍ ହେଲେ କାହିଁକି? 

287
କନକ ବ୍ୟୁରୋ: ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥାର ନିଷିଦ୍ଧାଂଚଳରେ ବେଆଇନ ଭାବେ ମାଛ ମାରୁଥିବା ଟ୍ରଲର ଏବେ ବିଭାଗୀୟ ବନ ଅଧିକାରୀଙ୍କ ପାଇଁ ସୁନା ଅଣ୍ଡାଦିଆ କୁକୁଡା ସଦୃଶ୍ୟ ହୋଇଛି । ଅଭୟାରଣ୍ୟ ଅଂଚଳରେ ଶହଶହ ଟ୍ରଲର ବେଧଡକ ଭାବେ ମାଛ ମାରୁଥିବା ବେଳେ ବନବିଭାଗର ନିରବତାକୁ ନେଇ ପ୍ରଶ୍ନ ଉଠିଛି । ଗତକାଲି ଗହିରମଥାରେ ଲକ୍ଷ୍ମୀ ତାରିଣୀ-୩ ନାମକ ଏକ ଟ୍ରଲର ଜବତ ହୋଇଛି । ବିଭାଗୀୟ ଅଧିକାରୀଙ୍କ ସୂଚନା ମୁତାବକ ସେହି ଟ୍ରଲରରୁ ପ୍ରାୟ ୧୬ କୁଇଂଟାଲ ୪୦ କେଜି ମାଛ ଜବତ ହୋଇଛି । କିନ୍ତୁ ସରକାରୀରେ ରେକର୍ଡ ଓ ସିଜର ଲିଷ୍ଟରେ ୨ କୁଇଂଟାଲ ମାଛ ଦର୍ଶାଯାଇଛି । ଏହି ଦୁଇଟି ଭିନ୍ନ ତଥ୍ୟକୁ ନେଇ ଅନେକ ପ୍ରଶ୍ନ ଉଠିଛି । କେଉଁଟା ସତ ତାହା ଜାଣିବା ପାଇଁ ଗ୍ରାଉଣ୍ଡ ଜିରୋରେ ଅନୁସନ୍ଧାନ କରିଛି କନକ ନ୍ୟୁଜ ।
ଦୁର୍ନୀତିର ଅମରାବତି ସାଜିଛି ବିରଳ ଅଲିଭରିଡଲେ କଇଁଛଙ୍କ ଏନ୍ତୁଡିଶାଳ ଭାବେ ପରିଚିତ ଓଡିଶାର ପ୍ରଥମ ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥା । ଅଲିଭରିଡଲେଙ୍କ ସୁରକ୍ଷା ପାଇଁ ଉପକୂଳରେ ମାଛ ମରା ଉପରେ କଟକଣା ଲାଗିଛି । କିନ୍ତୁ ମାଛ ମାଫିଆ ଓ ବନବିଭାଗ ଅଧିକାରୀଙ୍କ ଭିତିରି ବୁଝାମଣା ଯୋଗୁଁ ଟ୍ରଲରେ ମାଛ ଧରା ଜାରି ରହିଛି ।
ଗହିରିମଥାର ମାଦଳି ମାଉଥ ନିକଟରୁ ଲକ୍ଷ୍ମୀ ତାରିଣୀ-୩ ନାମକ ବୋଟ୍ ଜବତ କରି ୮ଜଣ ମତ୍ସ୍ୟଜୀବୀଙ୍କୁ କରି କୋର୍ଟ ଚାଲାଣ କରିଛି ବନବିଭାଗ । ବୋଟରୁ ୨ କୁଇଂଟାଲ ମାଛ ସିଜ ହୋଇଥିବା କୋର୍ଟଙ୍କୁ ଜଣାଇଛନ୍ତି ବନ ଅଧିକାରୀ । କିନ୍ତୁ ସେହି ବୋଟରେ ୨ କ୍ୱିଂଟାଲରୁ ଅଧିକ ମାଛ ଥିବା ଅଭିଯୋଗ ହୋଇଛି । ଏହାର ସତ ଜାଣିବା ପାଇଁ ଗହୀରମଥା ରେଂଜ ଅଫିସରେ ପହଂଚି ଥିଲେ ଆମ ପ୍ରତିନିଧି, ହେଲେ ଅଫିସ ଭିତରକୁ ଯିବାକୁ ଅନୁମତି ମିଳିନଥିଲା । ପରେ ମାଛର ନିଲାମ ଧରିବେ କହି ଆମ ପ୍ରତିନିଧି ଫରେଷ୍ଟର ପ୍ରଫୁଲ୍ଲ ମାଝିଙ୍କ ନିକଟରେ ୬୦ ହଜାର ଟଙ୍କା ଡିପୋଜିଟ କରି ଭିତରକୁ ଯାଇଥିଲେ । ଆଉ ଭିତରେ ଟ୍ରଲର ସିଜ୍ କରିଥିବା କର୍ମଚାରୀ ଯାହା କହିଲେ, ତାହା ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।
ସୋମବାର ଦିନ ଲକ୍ଷ୍ମୀ ତାରିଣୀ-୩ ମାଛ ଧରା ବୋଟ୍ରୁ ୮୨ଟି ଟ୍ରେରେ ମାଛ ଜବତ ହୋଇଛି । ପ୍ରତି ଟ୍ରେରେ ପ୍ରାୟ ୨୦ କିଲୋଗ୍ରାମର ମାଛ ରହିଛି । ସେହି ହିସାବରେ ପ୍ରାୟ ୧୬ କ୍ୱିଂଟାଲ ୪୦ କିଲୋଗ୍ରାମ ମାଛ ଜବତ କରିଛି ବନବିଭାଗ । ଯାହାର ଆନୁମାନିକ ମୂଲ୍ୟ ୩ ଲକ୍ଷରୁ ଅଧିକ । କିନ୍ତୁ ସରକାରୀ ରେକର୍ଡରେ ୨ କ୍ୱିଂଟାଲ ଦର୍ଶାଯାଇଛି । ଯଦି ୧୬ କ୍ୱିଂଟାଲରୁ ଅଧିକ ମାଛ ଜବତ ହୋଇଛି, ତେବେ ସରକାରୀ ରେକର୍ଡରେ କିଏ ଓ କାହିଁକି ୨ କ୍ୱିଂଟାଲ ଲେଖିଲେ? ଅବଶିଷ୍ଟ ମାଛ ନିଲାମ ଟଙ୍କା କାହା ପକେଟକୁ ଗଲା? ଅନ୍ୟପଟେ ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜନଗର ବନଖଣ୍ଡ ଅଧିକାରୀ କହିଛନ୍ତି ।
ଅଲଭିରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଜବତ ମାଛର ବିକ୍ରି ଟଙ୍କା ରାଜକୋଷକୁ ଯିବା କଥା । ହେଲେ ଏଠାରେ ବେଆଇନ୍ ବୋଟ୍ ଜବତ କରି ମାଛ ବିକି ଟଙ୍କା କିଏ ନେଉଛି, ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି ।