କନକ ବ୍ୟୁରୋ:  ଏ ଯୁଗରେ ଏମିତି ବି ଅଛନ୍ତି ମଣିଷ, ଯିଏ ନିଜ ପାଇଁ ନୁହଁ ବରଂ ଅନ୍ୟ ପାଇଁ ଜିଅଁନ୍ତି ଜୀବନ । ମହାମାରୀ ଭିତରେ ବି ମରିଯାଇନି ଗଗନ ସାରଙ୍କ ମଣିଷପଣିଆ । ସଂକଟ କାଳରେ ସାହି ବସ୍ତି ବୁଲି ଅସହାୟଙ୍କୁ କରୁଛନ୍ତି ସାହାଯ୍ୟ । ପଚାରିଲେ କୁହନ୍ତି, ଭଗବାନ ମଣିଷ ଗଢିଛନ୍ତି ମଣିଷ ଗଢିବାକୁ

Advertisment

publive-image

ବିଭିନ୍ନ ବସ୍ତିରେ ବୁଲୁଥିବା ମଣିଷମାନଙ୍କ ପାଇଁ ସେ ହେଉଛନ୍ତି ସାକ୍ଷାତ୍ ଭଗବାନ । କିଏ ହସ୍ପିଟାଲ ଯିବ, କାହାର ଚୂଲି ଜଳୁନି, ଘର ଛପର ନାହିଁ, ପିନ୍ଧିବାକୁ ପୋଷାକ ନାହିଁ, ପାଖରେ ଟଙ୍କା ନାହିଁ, କିଏ ପାଠ ପଢିପାରୁନି, କେଉଁଠି ଶବ ପଡିଛି ଉଠି ପାରୁନି ଭଳି ଖବର ଶୁଣିଲା ମାତ୍ରକେ ସବୁ କାମ ଛାଡି ସେ ପହଂଚିଯାଆନ୍ତି । କାହିଁକି ନା ତାଙ୍କ ପାଇଁ ସବୁ କାମ ପଛ, ସେବା ଆଗ । ଏମିତିକି ସେବା ପାଇଁ ସେ ନିଜ ଜୀବନ, ପରିବାର ତଥା ଚାକିରିକୁ ବି ଭୁଲିଯାଆନ୍ତି । ବସ୍ତିର ସେହି ଲୋକମାନଙ୍କ ଭିତରେ ବଞ୍ଚନ୍ତି ଆଉ ତାଙ୍କର ଖୁସିରେ ଖୁସି ହୁଅନ୍ତି । ଦରମା ମିଳିବା କ୍ଷଣି ଅସହାୟ, ନିରାଶ୍ରୟଙ୍କ ପାଖରେ ପହଞ୍ଚି ଯାଆନ୍ତି । ତେବେ କିଏ ତାଙ୍କୁ ଭଲ କହୁ ବା ମନ୍ଦ । ସାବାସି ଦେଉ କି ସମ୍ମାନ । ତାଙ୍କର କିଛି ଯା’ଆସ ନାହିଁ । ତାଙ୍କ ମୁହଁରେ କେବଳ ଗୋଟିଏ କଥା, ‘ଭଗବାନ ମଣିଷ ଗଢିଛନ୍ତି ମଣିଷ ଗଢିବାକୁ ’ । ଚକେଇଶିଆଣୀରେ ରହୁଥିବା ଏମିତି ଜଣେ ମଣିଷ ହେଲେ ଗଗନ ବିହାରୀ ପାଇଟାଳ ।

ଲୋକଙ୍କ ପାଇଁ ଗଗନ୍ ସାର୍ । ବୟସ ୫୯ ବର୍ଷ । ପିଏମଜି ଜିପିଓରେ କାର୍ଯ୍ୟରତ ଅଛନ୍ତି । ଆଉ ଦିନ କେଇଟା ପରେ ଚାକିରିରୁ ଅବସର ନେବେ । ଏହାପରେ ବି ସେ ତାହା ହିଁ କରିବେ ଯାହା ଦୀର୍ଘ ୩୯ବର୍ଷ ହେଲା ଭୁବନେଶ୍ୱରରେ ପାଦ ଦେବା ଦିନରୁ କରି ଆସୁଛନ୍ତି । ତେବେ ଶବଦାହ ସହ ପୁରୁଣା ଲୁଗା ସଂଗ୍ରହ କରି ନିରାଶ୍ରୟଙ୍କୁ ବାଣ୍ଟିବା ଗଗନ ସାରଙ୍କ ଆଉ ଏକ ମହାନ୍ କାମ । ଯେଉଁଥି ପାଇଁ ସେ ବାଇକଟିଏ ଧରି ସହର ସାରା ଘୂରି ବୁଲନ୍ତି । ଏକଥା ଜାଣିବା ପରେ ଅନେକ ଲୋକ ଲୁଗା ଆଣି ତାଙ୍କ ଘରେ ଦେଇ ଯାଆନ୍ତି । ଆଉ ଏସବୁକୁ ସଫା କରିବା, ଚିରାଫଟା ଥିଲେ ତାକୁ ସିଲେଇ କରିବା, ଆଇରନ ଦେବା ଆଦି କାମରେ ଗଗନ ସାରଙ୍କୁ ସାହାଯ୍ୟ କରନ୍ତି ତାଙ୍କ ପତ୍ନୀ ।

publive-image

ତେବେ ଏସବୁ ପରେ ବି ସେ କେବେ କୌଣସି କାମକୁ ନେଇ ଗର୍ବ କରନ୍ତି ନାହିଁ କି ଶ୍ରେୟ ମଧ୍ୟ ନିଅନ୍ତି ନାହିଁ ବରଂ ଲୋକମାନଙ୍କ ସ୍ନେହ ଆଉ ଭଲପାଇବା ଏବଂ ଇଶ୍ୱରଙ୍କ କୃପାରୁ ସମ୍ଭବ ହୋଇପାରିଛି ବୋଲି ଗଗନ ସାର୍ କୁହନ୍ତି ।