କନକ ବ୍ୟୁରୋ: ରୋଗଶଯ୍ୟାରେ ଘରର ରୋଜଗାରିଆ ବ୍ୟକ୍ତି । ଆର୍ଥିକ ଅବସ୍ଥା ଶୋଚନୀୟ । ଔଷଧ କିଣିବାକୁ ପଇସାଟିଏ ନଥିବା ବେଳେ, ପରିବାର ଲୋକେ ଚଳିବା ପାଇଁ ନାନା ଅସୁବିଧା ଭୋଗୁଛନ୍ତି । କିଛି ସହାୟତା ମିଳିଲେ ସ୍ୱାମୀଙ୍କ ଉପଯୁକ୍ତ ଚିକିତ୍ସା କରାଇପାରନ୍ତେ ବୋଲି ସରକାରଙ୍କୁ ନିବେଦନ କରିଛନ୍ତି ପତ୍ନୀ ।

Advertisment

କେନ୍ଦୁଝର ଜିଲା ହାଟଡିହି ବ୍ଲକର ଡଅଁର ଗାଁର ଗଗନ ବିହାରୀ ଦେଓ । ଗଗନ ଡ୍ରାଇଭର ଭାବେ କାର୍ୟ୍ୟ କରି ପରିବାର ଚଳାଉଥିଲେ । ଝିଅ ଦଶମରେ ପଢୁଥିବା ବେଳେ ପୁଅ ସପ୍ତମରେ ପଢୁଛି । ସୁଖେଦୁଃଖେ ପାଂଚ ପ୍ରାଣୀ କୁଟୁମ୍ବ ଚଳୁଥିଲେ । କିନ୍ତୁ ତାହା ଦଇବ ସହିଲା ନାହିଁ । ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଗଗନ ବିହାରୀ କର୍କଟ ରୋଗରେ ଆକ୍ରାନ୍ତ ହେବା ପରେ ତାଙ୍କ ଆକାଶରେ ଘୋଟି ଆସିଛି ଘନ ଅନ୍ଧାର ।

୮୦ ବର୍ଷିୟ ଶାଶୁ ବାର୍ଦ୍ଧକ୍ୟ ଜନିତ ଯନ୍ତ୍ରଣା ଭୋଗୁଥିବା ବେଳେ ସ୍ୱାମୀ କର୍କଟ ରୋଗରେ ପୀଡିତ । ଏଭଳି ଅବସ୍ଥାରେ ସ୍ୱାମୀଙ୍କ ଔଷଧ ଓ ପିଲାଙ୍କ ପେଟକୁ ଦାନା ଯୋଗାଡ଼ କରିବା ଚିନ୍ତାରେ ପତ୍ନୀ ମମତା । ଯଦି ପ୍ରଶାସନ କିମ୍ବା କୌଣସି ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହଯୋଗର ହାତ ବଢ଼ାନ୍ତେ ତେବେ ସ୍ଵାମୀଙ୍କ ଉତମ ଚିକିତ୍ସା ହୋଇପାରନ୍ତା ବୋଲି କାନ୍ଦିକାନ୍ଦି କହିଛନ୍ତି ମମତା । କର୍କଟ ରୋଗର ଚିକିତ୍ସା ଖୁବ୍ ବ୍ୟୟ ବହୁଳ । ଅଭାବି ପରିବାରର ସଦସ୍ୟ ଯଦି ଏ ରୋଗରେ ପଡିଲେ ଚିକିତ୍ସା ଯୋଗାଇବା କାଠିଗର ପାଠ ।