ପୁଣି ପାକିସ୍ତାନକୁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ଧମକ । କହିଲେ ଆତଙ୍କବାଦ ବନ୍ଦ ନକଲେ ଦିଆଯିବନି ପାଣି ।

164

କନକ ବ୍ୟୁରୋ : ପୁଣି ପାକିସ୍ତାନକୁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ଧମକ । ଗଡକରୀ କହିଛନ୍ତି, ପାକିସ୍ତାନ ଯଦି ଆତଙ୍କବାଦକୁ ବନ୍ଦ ନକରେ ତେବେ ଭାରତ ବାଧ୍ୟ ହୋଇ ପାଣି ବନ୍ଦ କରିଦେବ । ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ଭାରତ ଏବେ ସିନ୍ଧୁ ଜଳବଣ୍ଟନ ଚୁକ୍ତିର ଅଧ୍ୟୟନ କରୁଛି । ବିଶେଷକରି ଭାରତର ସଂପୂର୍ଣ୍ଣ ଅଧିକାର ଥିବା ୩ଟି ନଦୀର ପ୍ରକଳ୍ପ ରିପୋର୍ଟକୁ ଅଧ୍ୟୟନ କରାଯାଉଛି । କିଛି ଦିନ ତଳେ ମଧ୍ୟ ଗଡକରୀ ଏପରି ମନ୍ତବ୍ୟ ଦେଇଥିବାରୁ ପାକିସ୍ତାନ ତାହାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା । ୧୯୬୦ର ସିନ୍ଧୁ ଜଳବଣ୍ଟନ ଚୁକ୍ତିକୁ ଭାରତ ସମ୍ମାନ ଜଣାଉ ବୋଲି ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ।

ସୂଚନାଯୋଗ୍ୟ ଯେ ହିମାଳୟରୁ ବାହାରି ଥିବା ୬ଟି ନଦୀ ଭାରତ ବାଟଦେଇ ପାକିସ୍ତାନକୁ ଯାଉଛନ୍ତି ସେଗୁଡ଼ିକ ହେଲେ ସିନ୍ଧୁ, ରବି, ଚେନାବ,ଝେଲମ, ସତଲେଜ ଓ ବ୍ୟାସ । ୧୯୬୦ର ସିନ୍ଧୁ ନଦୀ ଜଳବଣ୍ଟନ ଚୁକ୍ତି ଅନୁସାରେ ବ୍ୟାସ, ସତଲେଜ ଓ ରବି ଭାରତ ନିୟନ୍ତ୍ରଣରେ ରହିଥିବାବେଳେ ଅନ୍ୟ ତିନୋଟି ନଦୀ ପାକିସ୍ତାନ ନିୟନ୍ତ୍ରଣରେ ଅଛି । କିନ୍ତୁ ଏହି ସମସ୍ତ ୬ଟି ଯାକ ନଦୀ ଭାରତ ଦେଇ ପାକିସ୍ତାନକୁ ବୋହୁଥିବାରୁ, ଏହାକୁ ଅଟକାଇବାରେ ଭାରତ ସମର୍ଥ ।