କନକ ବ୍ୟୁରୋ: ଗାଢ଼କଣାରେ ଅଳିଆ ଗଦା ଓ ଦୁର୍ଗନ୍ଧକୁ ନେଇ ଅସ୍ତବ୍ୟସ୍ତ ଅଂଚଳବାସୀ । ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦାବି ବଢ଼ିବାରେ ଲାଗିଛି । ଅନ୍ୟପଟେ ଏହି ପ୍ରସଙ୍ଗରେ ତେଜିବାରେ ଲାଗିଛି ରାଜନୀତି । ବିଜେପି ସତ୍ୟାଗ୍ରହ ଚଳାଇଥିବାବେଳେ, କଟାକ୍ଷ କରିଛନ୍ତି ଭୁବନେଶ୍ୱର ମହାନଗର ନିିଗମ ମେୟର ।
ଗାଢ଼କଣ ଡମ୍ପିଂୟାର୍ଡର ଅଳିଆ ଆବର୍ଜନାର ଦୁର୍ଗନ୍ଧରେ ଅତିଷ୍ଟ ହେଲେଣି ରାଜଧାନୀବାସୀ । ଗାଢ଼କଣ ଅସ୍ଥାୟୀ ଡମ୍ପିଂୟାର୍ଡ କାରଣରୁ ଅଧା ରାଜଧାନୀବାସୀଙ୍କ ବଂଚିବା ଏବେ ମୁସ୍କିଲ ହୋଇପଡିଲାଣି । ଏହାକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ୁଥିବାବେଳେ ତେଜିଛି ରାଜନୀତି । ଗୋଟେ ପଟେ ଅଳିଆ ଶୀଘ୍ର ଉଠେଇବାକୁ ଦାବି କରି ଦୀର୍ଘ ୨୧ଦିନ ସତ୍ୟାଗ୍ରହରେ ବସିଛନ୍ତି ବିଜେପି ନେତା । ଅନ୍ୟପଟେ ଏହାକୁ ଶସ୍ତା ରାଜନୀତି କହି, ସମାଲୋଚନା କରିଛନ୍ତିି ଭୁବନେଶ୍ୱର ମେୟର ସୁଲୋଚନା ଦାସ ।
ବିଏମସି ଅଂଚଳରେ ପ୍ରତିଦିନ ପ୍ରାୟ ହଜାରେ ମେଟ୍ରିକ ଟନ୍ ଅଳିଆ ବାହାରୁଛି । ସେ ଅଳିଆକୁ ନେଇ କୁଆଡେ ଯିବ ବୋଲି, ବିଏମସି ପକ୍ଷରୁ କୁହାଯାଉଛି । କିନ୍ତୁ ଅଳିଆକୁ ଉଠାଇବା ପାଇଁ ଦାବି ବଢ଼ିବା ପରେ, ୨ଟି ଟେରେସା ମେସିନ ଲଗାଯାଇ ଅଳିଆ ସଫା ପାଇଁ ଚେଷ୍ଟା କରୁଛି ବିଏମସି । ହେଲେ, ଦୀର୍ଘ ଦିନ ଧରି ଦୁର୍ଗନ୍ଧରେ ଅତିଷ୍ଠ ସ୍ଥାନୀୟ ବାସିନ୍ଦା ତୁରନ୍ତ ସମାଧାନ ପାଇଁ ଦାବି କରିଛନ୍ତି ।