ବିଦେଶକୁ ଗହମ ରପ୍ତାନୀ ଉପରେ ଲାଗିଲା ରୋକ୍ । ସମାଲୋଚନା କଲେ ଜି-୭ ରାଷ୍ଟ୍ର ସମୁହ

1,179

କନକ ବ୍ୟୁରୋ: ଗହମ ରପ୍ତାନୀ ଉପରେ ରୋକ ଲଗାଇଛନ୍ତି କେନ୍ଦ୍ର ସରକାର । ସରକାରଙ୍କ ବିନା ଅନୁମତିରେ ଅନ୍ୟ ଦେଶମାନଙ୍କୁ ଏଣିକି ଗହମ ଦେଶ ବାହାରକୁ ପଠାଯାଇ ପାରିବନି । ଅର୍ନ୍ତଜାତୀୟ ବଜାରରେ ଦିନକୁ ଦିନ ଗହମର ଅଭାବ ଦେଖାଯିବା ପରେ ମୂଲ୍ୟ ବି ଆକାଶଛୁଆଁ ହୋଇଛି । ଏଭଳି ସ୍ଥିତିକୁ ନଜରରେ ରଖି ସରକାର ଅସ୍ଥାୟୀ କଟକଣା ଲଗାଇଛନ୍ତି ।

ତେବେ ମେ ୧୩ ପୂର୍ବରୁ ଗହମ ରପ୍ତାନୀ ପାଇଁ ଯେଉଁ ଅର୍ଡର ରହିଛି, ସେଥିରେ ଏହି କଟକଣା ଲାଗିବ ନାହିଁ । ରୁଷ-ୟୁକ୍ରେନ ମଧ୍ୟରେ ଚାଲଥିବା ଯୁଦ୍ଧର ପ୍ରଭାବ ଅର୍ନ୍ତଜାତୀୟ ବଜାରରେ ଉପରେ ପଡୁଛି । ବିଶ୍ୱ ବଜାରକୁ ଉଭୟ ରୁଷ ଓ ୟୁକ୍ରେନ ଗହମର ଏକ ବଡ ପ୍ରତିଶତ ଯୋଗାଉଥିବାବେଳେ ଏବେ ତାହା ବନ୍ଦ ରହିଛି । ଏପଟେ ଭାରତରେ ପ୍ରବଳ ଗ୍ରୀଷ୍ମ ପ୍ରଭାବ ଯୋଗୁଁ ଗହମ ଫସଲ ଉପରେ ପ୍ରଭାବ ପକାଇଛି । ଦରବୃଦ୍ଧି ନିୟନ୍ତ୍ରଣ ଓ ଖାଦ୍ୟ ସୁରକ୍ଷା ଯୋଜନାରେ ଗହମ ଯୋଗାଣକୁ ଦୃଷ୍ଟିରେ ରଖି ଏବେ ରପ୍ତାନୀ ଉପରେ ରୋକ ଲଗାଇଛନ୍ତି କେନ୍ଦ୍ର ସରକାର ।

ଭାରତର ଏପରି ନିଷ୍ପତିର ସମାଲୋଚନା କରିଛନ୍ତି ଜି-୭ ରାଷ୍ଟ୍ର ସମୁହ । ବିଶେଷ କରି ରୁଷ-ୟ୍ରୁକ୍ରେନ ଯୁଦ୍ଧ ଯୋଗୁଁ ବିଶ୍ୱରେ ଗହମ ଅଭାବ ଦେଖା ଦେଇଥିବା ବେଳେ ଭାରତର ଏପରି ନିଷ୍ପତି ଆହୁରି ଅଡୁଆ ପରିସ୍ଥିତି ସୃଷ୍ଟି କରିବ ବୋଲି କୁହାଯାଇଛି । ଜି-୭ ରାଷ୍ଟ୍ରର କୃଷିମନ୍ତ୍ରୀଙ୍କ ବୈଠକରେ ଏହି ନିଷ୍ପତି ଉପରେ ଭାରତ ପୁନର୍ବିଚାର କରୁ ବୋଲି ମତ ପ୍ରକାଶ ପାଇଛି । ଆସନ୍ତା ମାସରେ ଥିବା ଜି-୭ ବୈଠକରେ ଏହା ଉପରେ ଆଲୋଚନା କରିବାକୁ ମତ ପାଇଛି । ଏହି ବୈଠକରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରାଯାଇଛି ।