କନକ ବ୍ୟୁରୋ : ଦିଲ୍ଲୀରେ ସେପ୍ଟେମ୍ବର ୯ ଓ ୧୦ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ଜି-୨୦ ବୈଠକ ପାଇଁ ସଦସ୍ୟତା ଥିବା ଦେଶର ଅତିଥିମାନେ ଦିଲ୍ଲୀରେ ପହଂଚିବା ଆରମ୍ଭ କରିଛନ୍ତି । ବିଶ୍ୱନେତାମାନେ ଦୁଇଦିନ ଧରି ଏହି ସମ୍ମିଳନୀରେ ରାଜନୀତି, ଜଳବାୟୁ ଓ ବହୁ ଦ୍ୱିପାକ୍ଷୀକ ସହଯୋଗ ସମେତ ବିଶ୍ୱସ୍ତରରେ ବିକାଶ ପାଇଁ ଥିବା ଚ୍ୟାଲେଞ୍ଜ ଉପରେ ଆଲୋଚନା କରିବେ । ଏହି କ୍ରମରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୯ ସେପ୍ଟେମ୍ବରକୁ ଜି-୨୦ ନେତାମାନଙ୍କ ପାଇଁ ଏକ ଭୋଜନର ଆୟୋଜନ କରିଛନ୍ତି । ଆସନ୍ତୁ ଜାଣିବା ଏହି ଭୋଜି ପାଇଁ କିଏ ପାଇଛନ୍ତି ନିମନ୍ତ୍ରଣ ଓ କାହାକୁ ଦିଆଯାଇଛି ବାଦ୍ ।

Advertisment

ଏକ ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ରାଷ୍ଟ୍ରପତିଙ୍କ ତରଫରୁ ଆୟୋଜନ କରାଯାଇଥିବା ଏହି ଭୋଜିକୁ ସମସ୍ତ କେନ୍ଦ୍ରମନ୍ତ୍ରୀଙ୍କ ସମେତ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ମିଳିଛି । ଏହା ସହ ଭାରତ ସରକାରଙ୍କର ସମସ୍ତ ସଚିବ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ମଧ୍ୟ ନିମନ୍ତ୍ରଣ ମିଳିଛି ।

କେବଳ ସେତିକି ନୁହେଁ ଦୁଇଜଣ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଓ ଏଚଡି ଦେବେଗୌଡାଙ୍କୁ ବି ଏହି ଭୋଜି ପାଇଁ ନିମନ୍ତ୍ରଣ ମିଳିଛି । ହେଲେ ଦେବେଗୌଡା ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଏହି ଭୋଜିରେ ଯୋଗ ଦେଇପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

ସେପଟେ ରାଜନୈତିକ ଦଳର ନେତାମାନଙ୍କୁ ଏହି ଭୋଜିକୁ ନିମନ୍ତ୍ରଣ କରାଯାଇନାହିଁ । କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ନିମନ୍ତ୍ରଣ ମିଳିନାହିଁ । ହେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏହି ନୈଶ୍ୟ ଭୋଜିରେ ଯୋଗଦେବେ ବୋଲି କହିଛନ୍ତି ।