କନକ ବ୍ୟୁରୋ : ଦିଲ୍ଲୀର ପ୍ରଗତୀ ମଇଦାନରେ ଜି-୨୦ ସମ୍ମିଳନୀ ଚାଲିଛି । ସମ୍ମିଳନୀର ପ୍ରଥମ ଦିନରେ ନୂଆ ଦିଲ୍ଲୀ ତରଫରୁ ମିଳିତ ଘୋଷଣାପତ୍ରକୁ ମଞ୍ଜୁର ପ୍ରଦାନ କରାଯାଇଛି । ବୈଠକର ଦ୍ୱିତୀୟ ପାଳିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା ଘୋଷଣା କରିବା ସହ ଜି-୨୦ ଶେରପା, ମନ୍ତ୍ରୀ ଓ ସମସ୍ତ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Advertisment

ପ୍ରଧାନମନ୍ତ୍ରୀ କହିଛନ୍ତି କି, ଏକ ଖୁସି ଖବର ହେଉଛି ଆମ ଟିମର କଠିନ ପରିଶ୍ରମ ଏବଂ ଆପଣମାନଙ୍କ ସମର୍ଥନରେ ଜି-୨୦ ନେତା ଶିଖର ସମ୍ମିଳନୀ ଘୋଷଣା ଉପରେ ଏକ ରାଜିନାମା ହୋଇଛି । ମୁଁ ପ୍ରସ୍ତାବ ଦେଉଛି ଯେ ନେତା ଘୋଷଣାନାମାକୁ ମଧ୍ୟ ଗ୍ରହଣ କରିବା ଉଚିତ୍ । ମୁଁ ମଧ୍ୟ ଏହି ଘୋଷଣା ନାମାକୁ ଗ୍ରହଣ କରିବାକୁ ଘୋଷଣା କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଘୋଷଣାପତ୍ରକୁ ମଞ୍ଜୁରୀ ମଳିବା ପରେ ଜି-୨୦ ଶେରପା ଅମିତାଭ କାନ୍ତ କହିଛନ୍ତି କି, ନୂଆ ଦିଲ୍ଲୀ ଜି-୨୦ ଘୋଷଣାନାମାରେ ଦୃଢ, ସ୍ଥାୟୀ, ସନ୍ତୁଳିତ ଏବଂ ଅନ୍ତର୍ଭୁକ୍ତ ଅଭିବୃଦ୍ଧି ଏସଡିଜିରେ ଅଗ୍ରଗତିକୁ ତ୍ୱରାନ୍ୱିତ କରିବା, ସ୍ଥାୟୀ ଭବିଷ୍ୟତ ପାଇଁ ସବୁଜ ବିକାଶ ଚୁକ୍ତି, ଏକବିଂଶ ଶତାବ୍ଦୀ ପାଇଁ ବହୁପକ୍ଷୀୟ ଅନୁଷ୍ଠାନ ଏବଂ ବହୁପକ୍ଷବାଦର ପୁନରୁଦ୍ଧାର ଉପରେ ଗୁରୁତ୍ୱ ଦିଆଯାଇଛି ।

ଏହି କ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆମେ ଏକ ବିଶ୍ୱ ଜୈବ ଇନ୍ଧନ ମେଣ୍ଟ ସୃଷ୍ଟି କରୁଛୁ ଏବଂ ଭାରତ ଆପଣମାନଙ୍କୁ ଏହି ପଦକ୍ଷେପରେ ଯୋଗଦେବାକୁ ନିମନ୍ତ୍ରଣ କରୁଛି । ପେଟ୍ରୋଲରେ ଇଥାନଲ ମିଶ୍ରଣକୁ ୨୦ ପ୍ରତିଶତକୁ ନେବା ପାଇଁ ଭାରତ ଏକ ବିଶ୍ୱସ୍ତରୀୟ ପଦକ୍ଷେପ ନେବାକୁ ପ୍ରସ୍ତାବ ଦେଇଛି ।

ଏହାସହ ପରିବେଶ ଓ ଜଳବାୟୁ ପର୍ଯ୍ୟବେକ୍ଷଣ ପାଇଁ ଭାରତ ଜି-୨୦ ଉପଗ୍ରହ ଅଭିଯାନ ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଛି । ମୁଁ ପ୍ରସ୍ତାବ ଦେଉଛି ଯେ ଜି-୨୦ ଦେଶଗୁଡିକ ‘ଗ୍ରୀନ କ୍ରେଡିଟ ଇନିସିଏଟିଭ୍’ ଉପରେ କାମ ଆରମ୍ଭ କରନ୍ତୁ । ବିକଶିତ ଦେଶମାନେ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ ।