କନକ ବ୍ୟୁରୋ: ଦିଲ୍ଲୀରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅତିଥିଙ୍କ ସୁରକ୍ଷା ସହ ସେମାନଙ୍କ ରହିବା ସେମାନଙ୍କ ଖାଦ୍ୟପାନୀୟ, ଟ୍ରାଫିକ ସମସ୍ୟା, ସାଜସଜ୍ଜା ଶେଷ ହୋଇସାରିଛି । ଜି-୨୦ ନେତାଙ୍କ ଶିଖର ସମ୍ମିଳନୀ ପାଇଁ ୧୯ ଦେଶ ଛଡା ଅନ୍ୟ ଅନ୍ତରାଷ୍ଟ୍ରୀୟ ସଂଗଠନ ଏବଂ ୟୁରୋପୀୟ ସଂଘର ରାଷ୍ଟ୍ରଧ୍ୟକ୍ଷ ଦିଲ୍ଲୀ ଆସୁଛନ୍ତି । ତେବେ ଅତିଥିଙ୍କ ସୁବିଧା ହିସାବରେ ଦିଲ୍ଲୀରେ ପ୍ରସ୍ତୁତି କରାଯାଉଛି । ଅଲଗା ଅଲଗା ଦେଶରୁ ଆସୁଥିବା ନେତାଙ୍କ କାରକେଡରେ କେତେ ସଂଖ୍ୟାରେ ଗାଡି ରହିବ ଏହାକୁ ନେଇ ବଡ ପ୍ରଶ୍ନ ଉଠିଛି । ସୁରକ୍ଷା ଏଜେନ୍ସି ମଧ୍ୟ ଏହାକୁ ନେଇ ଅକଲରେ ପଡିଛି ।

Advertisment

ସୂଚନା ଅନୁସାରେ, ଜି-୨୦ ସମ୍ମିଳନୀକୁ ଆସୁଥିବା ଦେଶ ନିଜର ନିଜର ନେତାଙ୍କ କାରକେଡର ସୂଚନା ଭାରତ ସରକାରଙ୍କୁ ପ୍ରଦାନ କରିଛନ୍ତି । ବିଶେଷ ସୁତ୍ରରୁ ମିଳିଥିବା ଖବର ଅନୁସାରେ ଆମେରିକା ଏବଂ ଚୀନ ସହିତ ଅନ୍ୟ କିଛି ଦେଶ ଭାରତର ବୈଦେଶିକ ମନ୍ତ୍ରାଳୟକୁ ସୂଚନା ଦେଇଛି ଯେ ନିଜ ଦେଶରୁ ସେମାନେ କିଛି ଗାଡି ନିଜ ସହ ଆଣିବେ । ଏହି ସୂଚନା ଦିଲ୍ଲୀ ପୁଲିସକୁ ଦିଆଯିବା ପରେ ଏହାକୁ ନେଇ ବଡ ବୈଠକ ବସିଥିଲା । ଆମେରିକା ପାଖାପାଖି ୭୫-୮୦ କାର ଭାରତକୁ ଆଣିବାକୁ ଚାହୁଁଛି । ସେହିଭଳି ଚୀନ ୪୬ ଗାଡି ଭାରତକୁ ଆଣିବାକୁ ଚାହୁଁଛି । ଅନ୍ୟ କିଛି ଦେଶ ଯେପରି ୟୁଏଇ, ଫ୍ରାନ୍ସ, ତୁର୍କୀ ସହ ୟୁରୋପୀୟ ସଂଘ ମଧ୍ୟ ନିଜ ନେତାଙ୍କ ପାଇଁ ଗାଡି ଆଣିବାକୁ ଯାଉଥିବା ସୂଚନା ମିଳିଛି ।

ଏହି ପ୍ରସଙ୍ଗରେ ଏକ ବୈଠକ ପରେ ମିଳିଥିବା ସୂଚନା ଅନୁସାରେ ଆମେରିକା ୬୦, ଚୀନ ୨୫ ଗାଡି ଭାରତକୁ ଆଣିବ ଯାହା ସମ୍ମିଳନୀ ଶେଷ ହେବା ପରେ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିବ । କିଛି ଅନ୍ୟ ଦେଶକୁ କୁହାଯାଇଛି ଯେ ଭାରତ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଗାଡିର ଉପଯୋଗ କରିବେ । ଜି-୨୦ ସମ୍ମିଳନୀରେ ୧୯ ସଦସ୍ୟ ଦେଶ ସହ ୯ ଦେଶ ଅତିଥି ଭାବେ ସାମିଲ ହେବେ । ଏହି ସମସ୍ତ ଦେଶ ପାଇଁ ପାଖାପାଖି ୩୨ଟି କାରକେଡ୍ ଦିଲ୍ଲୀର ରାସ୍ତାରେ ଦୌଡିବେ ।