କନକ ବ୍ୟୁରୋ : ଜି-୭ ରାଷ୍ଟ୍ରଗୋଷ୍ଠୀ ଏବେ ଚୀନର ଆଧିପତ୍ୟକୁ ରୋକିବା ପାଇଁ ନୂଆ ରଣନୀତିରେ କାମ କରିବାକୁ ପ୍ରସ୍ତୁତ ହୋଇଛନ୍ତି। ଚୀନର ବିଶାଳ ଭିତ୍ତିଭୂମି ଯୋଜନା ବେଲ୍ଟ ଆଣ୍ଡ୍ ରୋଡ୍ ଇନିସିଏଟିଭ୍ (ବିଆର୍ଆଇ)ର ଜବାବରେ ବିଶ୍ବସ୍ତରରେ ଏକ ବିଶାଳ ଭିତ୍ତିଭୂମି ବିକାଶ ଯୋଜନା ଆରମ୍ଭ କରିବା ପାଇଁ ଆଜି ବ୍ରିଟେନର କାରବିସ୍ ବେ’ରେ ଅନୁଷ୍ଠିତ ଜି-୭ ସମ୍ମିଳନୀରେ ସହମତି ପ୍ରକାଶ ପାଇଛି। ଚୀନର ବିଆରଆଇଠାରୁ ଏହି ଯୋଜନା ଅଧିକ ବ୍ୟାପକ ଓ ବିଶାଳ ହେବ ଏବଂ ଏଥିରେ ଗରିବ ଓ ବିକାଶଶୀଳ ରାଷ୍ଟ୍ରମାନେ ଅଧିକ ଉପକୃତ ହୋଇପାରିବେ ବୋଲି କୁହାଯାଇଛି ।
ଗତ ୪୦ ବର୍ଷ ମଧ୍ୟରେ ଚୀନ୍ ନିଜର ସାମରିକ ଶକ୍ତି ଏବଂ ସୁଦୃଢ଼ ଅର୍ଥ ବ୍ୟବସ୍ଥା ବଳରେ ବିଶ୍ବର ବିଭିନ୍ନ କ୍ଷେତ୍ରରେ ନିଜର ଆଧିପତ୍ୟ ବିସ୍ତାର ସହ ଏକଚାଟିଆ କାରବାରକୁ ଗୁରୁତ୍ବ ଦେଇ ଆସିଛି। ବିଆରଆଇ ଯୋଜନା ଚୀନର ନିଜସ୍ୱ ସ୍ୱାର୍ଥସର୍ବସ୍ୱ ଯୋଜନା ଥିବାରୁ ଏହାର ଉଚିତ ମୁକାବିଲା ପାଇଁ ଜି-୭ ରାଷ୍ଟ୍ରମାନେ ଏକଜୁଟ୍ ହୋଇଛନ୍ତି। ଏବେ ଚୀନର ମୁକାବିଲା ପାଇଁ ଅଣ୍ଟା ଭିଡ଼ିଥିବା ଆମେରିକା ଜି-୭ର ସଦସ୍ୟ ରାଷ୍ଟ୍ରମାନଙ୍କୁ ଏ ଦିଗରେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛି। ଅନ୍ତର୍ଜାତୀୟ ରାଜନୈତିକ ମଂଚ ଜି-୭ରେ ଫ୍ରାନ୍ସ, ଜର୍ମାନୀ, ଇଟାଲି, ଜାପାନ, ବ୍ରିଟେନ୍, ଆମେରିକା ଏବଂ କାନାଡ଼ା ସଦସ୍ୟ ଅଛନ୍ତି।