କନକ ବ୍ୟୁରୋ : ନିକଟରେ ଶେଷ ହୋଇଥିବା ଜି-୭ ଶିଖର ସମ୍ମିଳନୀରେ ସଦସ୍ୟ ରାଷ୍ଟ୍ରଗୁଡିକ ଋଷ ଉପରେ ଅଧିକ କଠୋର କଟକଣା ଘୋଷଣା କରିଛନ୍ତି । ଋଷକୁ ଆର୍ଥିକ କ୍ଷେତ୍ରରେ ଦୂର୍ବଳ କରିବାକୁ ଜି-୭ ଦେଶଗୁଡିକୁ ଋଷ ଜାହାଜ, ବିମାନ ଏବଂ ହୀରା ଆମଦାନୀ ଉପରେ କଟକଣା ଲଗାଇଛନ୍ତି । ଏସବୁକୁ ନେଇ ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଏହି କଟକଣା ଯୋଗୁଁ ଭାରତୀ ହୀରା ଶିଳ୍ପରେ କାମ କରୁଥିବା ୧୦ ଲକ୍ଷ କର୍ମଚାରୀ ଚାକିରି ହରାଇପାରନ୍ତି । କାରଣ ପୃଥିବୀର ପ୍ରାୟ ୯୦ ପ୍ରତିଶତ ହୀରା ଭାରତରେ କଟିଂ ଓ ପଲିସ୍ ହୋଇଥାଏ । ଭାରତ ଆମଦାନୀ କରୁଥିବା ହୀରା ମଧ୍ୟରୁ ଋଷରୁ ସର୍ବାଧିକ ଆମଦାନୀ ହୋଇଥାଏ ।

Advertisment

ଭାରତ ଋଷର ଆଲରୋସାରୁ ହୀରା ଆମଦାନୀ କରିଥାଏ । ପୃଥିବୀର ମୋଟ ହୀରାର ପ୍ରାୟ ୩୦ ପ୍ରତିଶତ ଆଲରୋସାରେ ଉତ୍ପାଦନ ହୋଇଥାଏ । ଭାରତୀୟ ହୀରା କମ୍ପାନୀଗୁଡିକ କଟିଂ ଓ ପଲିସ୍ କରି ଜି-୭ ରାଷ୍ଟ୍ରଗୁଡିକୁ ରପ୍ତାନୀ କରିଥାନ୍ତି । ଜି-୭ ଦେଶଗୁଡିକ ଋଷିଆ ହୀରା ଉପରେ ପ୍ରତିବନ୍ଧକ ଲଗାଇବାକୁ ଘୋଷଣା କରିବା ପରେ ରତ୍ନ ଓ ଗହଣା ପରିଷଦର ଅଧ୍ୟକ୍ଷ ବିପୁଲ ଶାହା କହିଛନ୍ତି କି, ଯଦି ଋଷ ଉପରେ ଏହି କଟକଣା ଜାରି ରୁହେ ତେବେ ଭାରତର ୧୦ ଲକ୍ଷ ଲୋକ ରୋଜଗାର ହରାଇପାରନ୍ତି ।

କହିରଖୁ କି, ଚାହିଦା ହ୍ରାସ ଏବଂ ବିଶ୍ୱ ଅର୍ଥନୀତିର ମାନ୍ଦାବସ୍ଥା ସହ ସଂଘର୍ଷ କରୁଥିବା ସୁରତର ହୀରା ଶ୍ରମିକମାନଙ୍କ ପାଇଁ ଋଷ ହୀରା ଉପରେ ପ୍ରତିବନ୍ଧକ ବଡ ଝଟକା ବୋଲି ବିବେଚନା କରାଯାଉଛି । ଏହି କଟକଣା କାରଣରୁ ରଫ୍ ହୀରା ଯୋଗାଣ ପ୍ରଭାବିତ ହେବାରେ ଲାଗିଛି । ଯାହାର ପ୍ରଭାବ ହୀରା ବ୍ୟବସାୟୀଙ୍କ କାମ ଉପରେ ପଡିଛି । ବିପୁଲ ଶାହା କହିଛନ୍ତି କି, ବର୍ତ୍ତମାନ ଚାହିଦା କମ ଥିବାରୁ ଶିଳ୍ପ କମ୍ ଯୋଗାଣରେ ପରିଚାଳନା କରିବାକୁ ସକ୍ଷମ ଅଛି । ହେଲେ ଯେତେବେଳେ ଚାହିଦା ବଢିବ ସେତେବେଳେ ସମସ୍ୟା ଦେଖାଦେବ ବୋଲି ସେ କହିଛନ୍ତି ।

ଋଷକୁ ଅର୍ଥନୈତିକ ଭାବେ ଦୁର୍ବଳ କରିବା ପାଇଁ ପାଶ୍ଚାତ୍ୟ ଦେଶଗୁଡିକ ୟୁକ୍ରେନ ଯୁଦ୍ଧ ଆରମ୍ଭରୁ ଋଷ ଉପରେ ଆର୍ଥିକ କଟକଣା ଲଗାଇ ଆସୁଛନ୍ତି । ଏହି ପ୍ରତିବନ୍ଧକ କାରଣରୁ ଋଷର ରାଜସ୍ୱ ପ୍ରାୟ ୫୦ ପ୍ରତିଶତ ହ୍ରାସ ପାଇଛି । ଏକ ରିପୋର୍ଟ ମୁତାବକ ୨୦୨୧ ମସିହାରେ କେବଳ ହୀରା ରପ୍ତାନୀରୁ ଋଷ ପ୍ରାୟ ୪ ବିଲିୟନ ଡଲାର ଆୟ କରିଛି ।

ଜାପାନର ହିରୋସୀମା ଠାରେ ଜି-୭ ଶିଖର ସମ୍ମିଳନୀ ଶେଷ ହେବା ପରେ ଏକ ମିଳିତ ବିବୃତିରେ କୁହାଯାଇଛି କି, ଋଷର ରାଜସ୍ୱ ହ୍ରାସ କରିବା ପାଇଁ ଆମେ ଋଷରେ ଖନନ କିମ୍ବା ଉତ୍ପାଦିତ ହୀରାର ବାଣିଜ୍ୟ ଏବଂ ବ୍ୟବହାରକୁ ସୀମିତ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରୁଛୁ । ଆମେରିକା, ବ୍ରିଟେନ, କାନାଡା, ନ୍ୟୁଜିଲାଣ୍ଡ ଏବଂ ବାହାମାସ ୨୦୨୨ ମସିହା ଏପ୍ରିଲ ମାସରେ ଋଷର ହୀରାଖଣି ମାଲିକ ଆଲରୋସା ସହ ବାଣିଜ୍ୟ ଉପରେ ପ୍ରତିବନ୍ଧକ ଲଗାଇଥିଲେ ।