କନକ ବ୍ୟୁରୋ : ଭାରତମଣ୍ଡପମରେ ପହୁଁଛନ୍ତି ବିଭିନ୍ନ ଦେଶର ରାଷ୍ଟ୍ରନେତା । ସେମାନଙ୍କୁ ଭବ୍ୟ ସ୍ୱାଗତ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଅତଥିଙ୍କୁ ପାଛୋଟି ନେଇଛନ୍ତି ପ୍ରଧାନମନ୍ତ୍ରୀ । କାହା ସହ କରମର୍ଦ୍ଦନ କରି ତ ପୁଣି କାହାକୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି । ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ, ଜାପାନ ପ୍ର୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ସହ ଅନେକ ଦେଶର ରାଷ୍ଟ୍ରନେତାଙ୍କ ସହ ଔପଚାରିକ ବୈଠକ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ । ମିଳିଥିବା ସୂଚନା ଅନୁସାରେ ଉଭୟ ବ୍ରିଟେନ ଓ ଭାରତ ମଧ୍ୟରେ ବାଣିଜ୍ୟିକ ସର୍ମ୍ପକକୁ ସୁଦୃଢ କରିବା ଓ ପରସ୍ପର ନିବେଶକୁ ପ୍ରୋତ୍ସାହିତ କରିବା ଦିଗରେ ଆଲୋଚନା କରିଛନ୍ତି । ପୂର୍ବରୁ ପରସ୍ପର ସହଯୋଗୀ ଭାବେ ରହିଆସିଥିବା ବ୍ରିଟେନ ଏକ ସମୃଦ୍ଧ ତଥା ଦୀର୍ଘସ୍ଥାୟୀ ବିଶ୍ୱର ନିର୍ମାଣ ଦିଗରେ କାର୍ଯ୍ୟ ଜାରି ରଖିବେ ବୋଲି ଉଭୟ ନେତା କହିଛନ୍ତି ।

Advertisment

ବିଶ୍ୱରେ ବିଶ୍ୱାସର ସଙ୍କଟ କଥା କହି ଜି-୨୦ରୁ ସବକା ସାଥ ସବକା ବିକାଶର ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ ମୋଦୀ । ଦିଲ୍ଲୀରେ ଦିବ୍ୟ ଦରବାରରେ ଜି-୨୦ ଶିଖର ସମ୍ମିଳନୀ ଆରମ୍ଭ ହୋଇଛି । କାର୍ଯ୍ୟକ୍ରମକୁ ପ୍ରଥମ ଦିନରେ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । ସମ୍ବୋଧନରେ ଜି-୨୦ ସମ୍ମିଳନୀ ଫଳପ୍ରଦ ହେବ ବୋଲି ବିଶ୍ୱାସ ରହିଛି । ମୋଦୀ କହିଥିଲେ ମହାମାରୀ କେରୋନା ପରେ ବିଶ୍ୱରେ ବିଶ୍ୱାସର ଅଭାବ ଦେଖାଦେଇଛି । ୟୁକ୍ରେନ ଯୁଦ୍ଧ ପାଇଁ ଏହା ଅଧିକ ଘାତକ ସାଜିଛି । ଯଦି କରୋନାକୁ ହରାଇ ପାରିଲେ ତେବେ ଆପୋଷ ବୁଝାମଣାରେ ବିଶ୍ୱ ସଙ୍କଟକୁ ମଧ୍ୟ ଦୂରେଇ ପାରିବା ।

ଜି-୨୦ ସମ୍ମିଳନୀ ପାଇଁ ଦିଲ୍ଲୀର ଭାରତ ମଣ୍ଡପମରେ ଜମିଛି ବିଶ୍ୱନେତାଙ୍କ ଗହଳି । ବିଭିନ୍ନ ପ୍ରସଙ୍ଗ ଉପରେ ଏକାଠି ହୋଇ ଆଲୋଚନାରେ ଭାଗ ନେଉଛନ୍ତି, ଆମେରିକା, ବ୍ରିଟେନ୍, ଜାପାନ, ଅଷ୍ଟ୍ରେଲିଆ, ଜର୍ମାନୀ ଭଳି ଦେଶର ରାଷ୍ଟ୍ରମୁଖ୍ୟ । ଏହାରି ଭିତରେ ସୋସିଆଲ ମିଡିଆରେ ଚର୍ଚ୍ଚା ସାଉଁଟିଛି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସେଲଫି । ବାଇଡେନ୍ ଓ ଶେଖ୍ ହସିନାଙ୍କ ସହ ବାଂଲାଦେଶର ହାଇ କମିସନ୍ ମଧ୍ୟ ଏହି ସେଲଫିରେ ନଜର ଆସିଛନ୍ତି । ଉଭୟ ରାଷ୍ଟ୍ର ମୁଖ୍ୟ ଏହି ସେଲ୍ଫିରେ ବେଶ୍ ଖୁସି ନଜର ଆସିଛନ୍ତି । ବାଇଡେନ୍ ଓ ଶେଖ୍ ହସିନାଙ୍କ ଆକର୍ଷଣୀୟ ହସ ପାଇଁ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।