ଭାରତରେ ଭୋଟ ଦେଲେ ଇଟାଲି, ସ୍ୱିଡେନ, ଇଣ୍ଡୋନେସିଆ, ଥାଇଲାଣ୍ଡ ।

284

ନିର୍ବାଚନରେ ନେତାଙ୍କୁ ନେଇ ସର୍ବଦା ଚର୍ଚ୍ଚା ଲାଗି ରହିଥାଏ, କିନ୍ତୁ ମେଘାଳୟରେ ନେତାଙ୍କ ଅପେକ୍ଷା ଭୋଟର ମାନେ ଅଧିକ ଲାଇମ ଲାଇଟରେ ରହିଥାନ୍ତି । ଏହି ଚର୍ଚ୍ଚା ପଛରେ ରହିଛି ଭୋଟରଙ୍କ ନିଆରା ନାଁ । ଯେଉଁ ମାନଙ୍କ ନାଁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ମେଘାଳୟର ଲୋକସଭା ନିର୍ବାଚନରେ ଇଟାଲୀ, ସ୍ୱିଡେନ, ଇଣ୍ଡୋନେସିଆ, ଥାଇଲାଣ୍ଡ, ନାଇଜେରିଆ, ତିବତ୍ତ ନାଁ ଥିବା ଭୋଟର ମାନେ ମତଦାନ କରିଛନ୍ତି । ଏଭଳି ନାଁ ନିଶ୍ଚୟ କିଛି ଲୋକଙ୍କୁ ଅଜବ ଲାଗିବ କିନ୍ତୁ ମେଘାଳୟରେ ବିଭିନ୍ନ ଦେଶର ନାଁ ରଖିଥିବା ଭୋଟର ରହିଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ଏଭଳି ଅଜବ ଗଜବ ନାଁ ଥିବା ଭୋଟର ମାନେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି । ତେବେ ସବୁଠୁ ଅଜବ ନାଁ ରଖିଥିବା ଭୋଟର ଇଣ୍ଡୋ-ବାଂଲାଦେଶ ସୀମାବର୍ତ୍ତୀ ଅଞ୍ଚଳରେ ଦେଖିବାକୁ ମିଳିଥାନ୍ତି । କାରଣ ଏଠାକାର ବାସିନ୍ଦା ମାନେ ବେଶି ପାଠ ପଢୁନଥାନ୍ତି । ତେଣୁ ଯେତେବେଳେ ସେମାନଙ୍କର ଭୋଟର ଆଇଡି ପଞ୍ଜୀକରଣ ହୋଇଥାଏ ସେତେବେଳେ ବିଭିନ୍ନ ଦେଶର ନାଁ ଏମାନେ ଭୋଟର ଆଇଡି କାର୍ଡରେ ପଞ୍ଜୀକରଣ କରିଥାନ୍ତି ।

ସୀମାବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକମାନେ ଇଂରାଜୀ କହିବାକୁ ଶୌକ ରଖୁଥିଲେ ମଧ୍ୟ ତାହାର ଅର୍ଥ ଜାଣନ୍ତି ନାହିଁ । ତେଣୁ ଯେଉଁ ଇଂରାଜୀ ଶବ୍ଦ ଲୋକଙ୍କ ପାଟିକୁ ଆସେ ତାହାକୁ ନିଜର ନାଁ ରଖିଥାନ୍ତି । ଏଠାରେ ଜଣେ ବାପାଙ୍କ ନାଁ ସ୍ୱିଡେନ ରହିଥିବା ବେଳେ ପୁଅ ନାଁ ସ୍ୱେଟର ରହିଛି । ଦେଶର ନାଁ ଛଡା, ଆଗ୍ରିମେଣ୍ଟ, ରିକ୍ୱେଷ୍ଟ, ଲାୟର, ୱାଇରଲେସ, ସ୍ପଟ, ସିମ୍ବଲ, ଇନଚାର୍ଜ, ଇଭିନିଙ୍ଗ, କରେକ୍ସନ ଭଳି ଇଂରାଜୀ ନାଁ ଲୋକମାନଙ୍କର ରହିଛି ।