ତାଲାବନ୍ଦ ବେଳେ ନୟାଗଡରୁ ଆସିଲା ସମ୍ବେଦନଶୀଳତାର ଚିତ୍ର: କରୋନା କଟକଣା ପାଇଁ ବାପାଙ୍କ ଶେଷ ଦର୍ଶନ ଲାଗି ଆସିପାରିଲାନି ପୁଅ; ଭିଡିଓ କଲରେ ଦେଖିଲେ ଅନ୍ତିମ ସଂସ୍କାର

4,539

କନକ ବ୍ୟୁରୋ: କରୋନାର ମୁକାବିଲା ପାଇଁ ସାରା ଦେଶରେ ଲାଗୁ ହୋଇଛି ତାଲାବନ୍ଦ । ଏହା ଭିତରେ ଏକ ସଂବେଦନଶୀଳ ଚିତ୍ର ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ବିଚଳିତ କରିବ । କରୋନା କଟକଣା ଲାଗୁ ହୋଇଥିବା ସମୟରେ ବାପାଙ୍କର ଘଟିଲା ପରଲୋକ । ହେଲେ ରାଜ୍ୟ ବାହାରେ ଘରୋଇ କମ୍ପାନୀରେ କାମ କରୁଥିବା ପୁଅ କରିପାରିଲାନି ବାପାଙ୍କ ଶେଷ ଦର୍ଶନ । ଆଉ ଭିଡିଓ କନଫରେନ୍ସରେ ଦେଖିଲେ ବାପାଙ୍କୁ । ଦେଖିଲେ ଅନ୍ତିମ ସଂସ୍କାରର ପୁରା କାମକୁ । ଏପରି ଏକ ଚିତ୍ର ଆସିଛି ନୟାଗଡ ଜିଲ୍ଲା ରଣପୁର ଅଂଚଳରୁ ।

ରଣପୁରର ମୟୂରଝୋଲିଆ ଗାଁର ଭଗବାନ ନାୟକ ଆଗରୁ ମଧୁମେହ ଓ ଶ୍ୱାସ ରୋଗରେ ପୀଡିତ ଥିଲେ । ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଆପୋଲୋ ନିଆଯାଇଥିଲା । ସେଠାରୁ ଡାକ୍ତର ଫେରାଇ ଦେଲେ । ତା ପରେ ନିଆଗଲା କିମ୍ସ । ଡାକ୍ତର ଭଗବାନଙ୍କୁ ନଦେଖି କ୍ୟାପିଟାଲ ହସ୍ପିଟାଲକୁ ଫେରାଇଦେଲେ । ଡାକ୍ତରଖାନାରୁ ଡାକ୍ତରଖାନା ଚିିକିତ୍ସା ପାଇଁ ଦୌଡି ଦୌଡି ଶେଷରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା ୬୫ ବର୍ଷୀୟ ଭଗବାନ ନାୟକଙ୍କୁ । ହେଲେ ସେଠାରେ ସେ ଆଖି ବୁଜିଥିଲେ । ପୁଅ ଝିଅ ଏବେ ରାଜ୍ୟ ବାହାରେ ଅଛନ୍ତି । କରୋନା କଟକଣା ସ୍ଥିତି କେତେ କରୁଣ ହୋଇପାରେ ତାହା ଏହି ପରିବାର ଅନୁଭବ କରିଛନ୍ତି ।