ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ : ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଞ୍ଚମହାଭୂତରେ ବିଲୀନ ହେଲା ପ୍ରଣବ ଦା’ଙ୍କ ପାର୍ଥୀବ ଶରୀର; ପିପିଇ କିଟ୍ ପିନ୍ଧି ବାପାଙ୍କ ଶେଷକ୍ରିୟା ସମ୍ପନ୍ନ କଲେ ପୁଅ ଅଭିିଜିତ ମୁଖାର୍ଜୀ

247

କନକ ବ୍ୟୁରୋ : ପରଲୋକ ଗତ ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପାର୍ଥିବ ଶରୀର ଆଜି ପଂଚ ମହାଭୂତରେ ବିଲୀନ ହେଲେ । ଦିଲ୍ଲୀର ଲୋଧୀ ରୋଡରେ ଅନୁଷ୍ଠିତ ହେଲା ଅନ୍ତିମ ସଂସ୍କାର । ପିପିଇ କିଟ୍ ପିନ୍ଧି ପ୍ରଣବ ଦାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଛନ୍ତି ସମସ୍ତେ । ପୁଅ ଅଭିଜିତ୍ ମୁଖାର୍ଜୀ ମଧ୍ୟ ପିପିଇ କିଟ୍ ପିନ୍ଧି ଅନ୍ତିମ ସଂସ୍କାରର ସମସ୍ତ ରୀତିନୀତି ସଂପନ୍ନ କରିଛନ୍ତି । ଦିଲ୍ଲୀର ୧୦ ଜନପଥ ନିକଟ ରାଜାଜୀ ମାର୍ଗ ରେ ଥିବା ତାଙ୍କର ବାସଭବନରେ ପ୍ରଣବ ଦାଙ୍କ ଅନ୍ତିମ ଦର୍ଶନ କରିଥିଲେ ବହୁ ଗଣମାନ୍ୟ ବ୍ୟକ୍ତି । ପ୍ରଣବ ଦାଙ୍କର କରୋନା ପଜିଟିଭ୍ ଆସିଥିବାରୁ କରୋନା କଟକଣାକୁ ନଜରରେ ରଖି ତାଙ୍କର ବାସଭବନରେ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ସମସ୍ତେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ ୧୦ ଜନପଥରେ ପ୍ରଣବ ଦାଙ୍କ ବାସଭବନରେ ପହଁଚି ଶେଷ ଦର୍ଶନ କରଥିଲେ ।

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ସିଡିଏସ ବିପିନ୍ ରାୱତ, ସ୍ଥଳ ସେନା ମୁଖ୍ୟ , ଜଳସେନା ମୁଖ୍ୟ , ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ, କଂଗ୍ରେସ ନେତା ରାହୁଲ ଗାନ୍ଧି, ବିତ ମନ୍ତ୍ରୀ ନିର୍ମଳା ସୀତାରମଣ , ଆରଏସଏସ ମୁଖ୍ୟ ମୋହନ ଭଗବତ୍, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପ୍ରମୁଖ ଶେଷ ଶ୍ରଦ୍ଧାଂଜଳି ଅର୍ପଣ କରିଛନ୍ତି ।

ଲୋକସଭା ବାଚସ୍ପତି ଓମ୍ ବିର୍ଲା ଓ ବିଭିନ୍ନ ରଜନୈତିକ ଦଳର ପ୍ରମୁଖ ବ୍ୟକ୍ତିତ୍ୱ ପ୍ରଣବ ଦାଙ୍କୁ ଅନ୍ତିମ ଦର୍ଶନ କରି ପ୍ରଣବ ଦାଙ୍କୁ ଜଣାଇଛନ୍ତି ଶେଷ ବିଦାୟ । ଗତକାଲି ୮୪ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିଲା । ପ୍ରଣବଙ୍କ ବିୟୋଗରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା ହୋଇଛି ।