କନକ ବ୍ୟୁରୋ : ବନ୍ୟା ପରେ ପୁଣି ଛିଡା ହେଉଛି କେରଳ । ସହାୟତାର ହାତ ବଢ଼ାଇଛନ୍ତି ସବୁ ବର୍ଗର ଲୋକ । ଏପରିକି ସହାୟତା ପାଇଁ ସୁପ୍ରିମକୋର୍ଟ ବିଚାରପତି ଏକ ସଂଗୀତ ଭିତିକ କାର୍ଯ୍ୟକ୍ରମରେ ଗୀତ ଗାଇ ଅର୍ଥ ସଂଗ୍ରହ କରିଛନ୍ତି । ଅନ୍ୟପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବିଦେଶ ଗସ୍ତରୁ ଫେରି ସିଧାସଳଖ କେରଳ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
କେରଳ ବନ୍ୟାରେ ପ୍ରଭାବିତଙ୍କୁ ଅର୍ଥ ସଂଗ୍ରହ ପାଇଁ ମଂଚ ଉପରେ ଗୀତ ଗାଇଛନ୍ତି ସୁପ୍ରିମକୋର୍ଟର ବିଚାରପତି କୁରିୟନ ଜୋସେଫ୍ । ଗାୟକ ମୋହିତ୍ ଚୌହାନଙ୍କ ସହ ଗୀତାରର ତାଳେ ତାଳେ ହମ ହୋଙ୍ଗେ କାମୟାବ ଏକ ଦିନ ଗୀତ ଗାଇଛନ୍ତି ଜଷ୍ଟିସ୍ ଜୋସେଫ୍ । କେରଳ ବନ୍ୟା ପ୍ରଭାବିତଙ୍କୁ ରିଲିଫ୍ ସହାୟତା ଯୋଗାଇବା ପାଇଁ ସାମ୍ବାଦିକଙ୍କ ଦ୍ୱାରା ଆୟୋଜିତ ଏକ ସଂଗୀତ ଭିତିକ କାର୍ଯ୍ୟକ୍ରମରେ ଗୀତ ଗାଇଛନ୍ତି ଜୋସେଫ୍ । ଯାହା ଭାରତ ଇତିହାସରେ ପ୍ରଥମ ବୋଲି କୁହାଯାଉଛି ।
କେରଳର ବନ୍ୟା ପ୍ରଭାବିତଙ୍କୁ ସବୁବର୍ଗର ଲୋକ ସହାୟତାର ହାତ ବଢ଼ାଇଛନ୍ତି । ୧୪ଦିନ ଭିତରେ କେରଳକୁ ୭୧୩କୋଟି ୯୨ଲକ୍ଷ ଟଙ୍କାର ସହାୟତା ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ବିପର୍ଯ୍ୟୟ ପରିଚାଳନା ପାଣ୍ଠିକୁ ପ୍ରାୟ ୩ଲକ୍ଷ ୯୧ହଜାର ଲୋକ ୭୧୩କୋଟି ୯୨ଲକ୍ଷ ଟଙ୍କା ଜମା କରିଛନ୍ତି । ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ୧୩୨କୋଟି ୭୨ଲକ୍ଷ ଟଙ୍କା, ପେଟିଏମ ଓ ବିଭିନ୍ନ ଅନଲାଇନ ମାଧ୍ୟମରେ ୪୩କୋଟି ଟଙ୍କା ଆସିଛି । ସେହିପରି ମୁଖ୍ୟମନ୍ତ୍ରୀଙ୍କ ବିପର୍ଯ୍ୟୟ ପରିଚାଳନା ପାଣ୍ଠିର ଷ୍ଟେଟ ବ୍ୟାଙ୍କ ଖାତାରେ ଜମା ହୋଇଛି ପ୍ରାୟ ୫୧୮କୋଟି ୨୪ଲକ୍ଷ ଟଙ୍କା । କେବଳ ସୋମବାର ଦିନ ୫କୋଟି ୬୦ଲକ୍ଷ ଟଙ୍କା ଜମା ହୋଇଛି । ଚେକ୍, ଡ୍ରାଫ୍ଟ ଓ ନଗଦ ବାବଦରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ୨୦କୋଟି ଟଙ୍କାର ବନ୍ୟା ସହାୟତା ମିଳିଛି । କେରଳର ପୁନରୁଦ୍ଧାର ପାଇଁ ଏହି ଅର୍ଥରାଶି ଜରୁରି ବୋଲି କହିଛନ୍ତି ଅର୍ଥନୀତିଜ୍ଞ ।
ସେପଟେ କେରଳ ବନ୍ୟା ପରେ ପ୍ରଭାବିତଙ୍କୁ ଭେଟିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ବିଭିନ୍ନ ରିଲିଫ କ୍ୟାମ୍ପ ଯାଇ ବନ୍ୟା ପୀଡିତଙ୍କ ସହ ଅ।।ଲୋଚନା କରି ସେମାନଙ୍କ ସମସ୍ୟା ସଂପର୍କରେ ପଚାରି ବୁଝିଛନ୍ତି । ଏହା ସହ କେରଳ ବନ୍ୟାର ସୁପର ହିରୋ ସାଜିଥିବା ମତ୍ସ୍ୟଜୀବିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ପ୍ରଶଂସା କରି କହିଛନ୍ତି ୩ହଜାର ମତ୍ସ୍ୟଜୀବି ୭୦ହଜାର ଲୋକଙ୍କ ଜୀବନ ବଂଚାଇବାରେ ସକ୍ଷମ ହୋଇ ପାରିଛନ୍ତି । ଯାହା ଏକ ଉଦାହରଣ । କେରଳ ବନ୍ୟା ପ୍ରଭାବିତଙ୍କ ପୁନରୁଦ୍ଧାର ପାଇଁ ଯେଉଁଭଳି ଭାବେ ସବୁବର୍ଗ ସହାୟତାର ହାତ ବଢ଼ାଇଛନ୍ତି ଏହା ପୁଣି ଥରେ ଏକତାକୁ ପ୍ରଦର୍ଶିତ କରିଛି ।