ଟିକାକରଣ ଉପରେ କେନ୍ଦ୍ର ସରକାରଙ୍କ ଗୁରୁତ୍ୱ : ଡ଼ିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ଟିକା ଦେବାକୁ ଲକ୍ଷ୍ୟ

ଏପର୍ଯ୍ୟନ୍ତ ୩୮ କୋଟି ଲୋକ ନେଇଛନ୍ତି ଟିକାର ଉଭୟ ଡ଼ୋଜ; ୩୭ କୋଟି ଲୋକଙ୍କୁ ଦିଆଯାଇଛି ଗୋଟିଏ ଡ଼ୋଜ ଟିକା

68

କନକ ବ୍ୟୁରୋ : ଦେଶରେ ଟିକାକରଣ ଉପରେ କେନ୍ଦ୍ର ସରକାରଙ୍କ ଗୁରୁତ୍ୱ । ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ୧୮ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ବ୍ୟକ୍ତିଙ୍କୁ ଅନ୍ତତଃ କୋଭିଡ ଟିକାର ଗୋଟିଏ ଡୋଜ ଦିଆଯିବା ନେଇ ଲକ୍ଷ୍ୟ ରଖିଛନ୍ତି ସରକାର । ନଭେମ୍ବର ପ୍ରଥମ ସପ୍ତାହରେ ଆରମ୍ଭ ହୋଇଥିବା ‘ହର ଘର ଦସ୍ତକ’ ଅଭିଯାନ ଆଧାରରେ ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ୧୮ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କୁ ଟିକା ଦିଆଯିବ । ଏପର୍ଯ୍ୟନ୍ତ ଦେଶରେ ୧୧୪ଟି କୋଭିଡ ଡୋଜ ଦିଆଯାଇଛି ।

ଦେଶରେ ପ୍ରଥମ ଥର ପାଇଁ ଦୁଇଟି ଡୋଜ ଟିକା ନେଇଥିବା ବ୍ୟକ୍ତି ସଂଖ୍ୟା ଗୋଟିଏ ଡୋଜ ଟିକା ନେଇଥିବା ସଂଖ୍ୟାକୁ ଟପିଛି । ୩୮କୋଟି ୪୦ଲକ୍ଷ ବ୍ୟକ୍ତି ଦୁଇଟି ଯାକ ଡୋଜ ନେଇଥିବା ବେଳେ ୩୭କୋଟି ୪୦ଲକ୍ଷ ଲୋକ ଟିକାର ଗୋଟିଏ ଡୋଜ ନେଇଛନ୍ତି । ଟିକାକରଣକୁ ବ୍ୟାପକ କରିବା ପାଇଁ ‘ହର ଘର ଦସ୍ତକ’ ଅଭିଯାନରେ ଟିକାକରଣ କରାଯିବ । ଗୋଟିଏ ଡୋଜ ଟିକା ନେବା ପରେ ଦ୍ୱିତୀୟ ଡୋଜ ଟିକା ନେଇନଥିବା ବ୍ୟକ୍ତିଙ୍କୁ ଏହି ଅଭିଯାନ ଆଧାରରେ ସାମିଲ କରାଯାଇ ଦ୍ୱିତୀୟ ଟିକା ଦିଆଯିବ ।

ସେହିପରି ୧୮ବର୍ଷରୁ ଉର୍ଦ୍ଧ୍ୱ ଯିଏ ଟିକା ନେଇନଥିବା ତାଙ୍କୁ ମଧ୍ୟ ଡିସେମ୍ବର ପ୍ରଥମ ସୁଦ୍ଧା ଅନ୍ତତଃ ଗୋଟିଏ ଡୋଜ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି । ଏବେ ସୁଦ୍ଧା ଦେଶରେ ୧୮ବର୍ଷରୁ ଉର୍ଦ୍ଧ୍ୱ ୮୦ପ୍ରତିଶତ ବ୍ୟକ୍ତି ପ୍ରଥମ ଡୋଜ ଟିକା ନେଇସାରିଥିବା ବେଳେ ୪୦ପ୍ରତିଶତ ବ୍ୟକ୍ତି ଟିକାର ଦୁଇଟି ଡୋଜ ନେଇସାରିଛନ୍ତି । ଡୋର ଟୁ ଡୋର କ୍ୟାମ୍ପେନ ମାଧ୍ୟମରେ ୧୮ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ବ୍ୟକ୍ତିଙ୍କୁ ଟିକା ଦେବା ଉପରେ ଗୁରୁତ୍ୱ ଦିଆଯାଉଛି ।