ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଚତୁର ରାଜନୈତିକ ଗୋଟିଚାଳନା । ପୁରୀ ଜିଲ୍ଲା ବିଜେଡି କଳିର ପୂର୍ଣ୍ଣଛେଦ

493

କନକ ବ୍ୟୁରୋ : ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଚତୁର ରାଜନୈତିକ ଗୋଟି ଚାଳନା । ଦଳ ଭିତରେ ବିଭିନ୍ନ ପକ୍ଷକୁ ସନ୍ତୁଷ୍ଟ କରିବାକୁ ରାଜ୍ୟସଭା ଟିକେଟକୁ ଏକ ପ୍ରମୁଖ ମାଧ୍ୟମ କରିଛନ୍ତି । କଟକ ଓ ପୁରୀ ଜିଲ୍ଲାର ରାଜନୈତିକ ସ୍ଥିତିକୁ ନଜରରେ ରଖି ବଡ଼ ନିଷ୍ପତି ନେଇଛନ୍ତି ନବୀନ । ଯୁବ ବିଜେଡିର ରାଜ୍ୟସଭାପତି ଶୁଭାଶିଷ ଖୁଣ୍ଟିଆଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯାଇଛି । ଏହା କେବଳ ଜିଲ୍ଲା ରାଜନୀତି ନୁହଁ, ରାଜ୍ୟ ରାଜନୀତିରେ ଚର୍ଚ୍ଚା ସୃଷ୍ଟି କରିଛି ।

ପରିକ୍ରମା ପ୍ରକଳ୍ପ, ପୌର ନିର୍ବାଚନର ଦାୟିତ୍ୱ ସୂଚାରୁ ରୂପେ ସମ୍ପାଦନ କରି ବିଧାୟକ ଟିକେଟ୍ ଦୌଡ଼ରେ ସବୁଠୁ ଆଗରେ ଥିଲେ ଶୁଭାଶିଷ । ଏହା ସହ ବିଜେଡିର ବରିଷ୍ଠ ନେତା ତଥା ପୁରୀ ସଦର ପଂଚାୟତ ସମିତି ଅଧ୍ୟକ୍ଷ ଦିବାକର ପାତ୍ର ବି ଟିକେଟ୍ ଦୌଡ଼ରେ ଥିଲେ । କେବଳ ଏହି ଦୁଇ ଜଣ ନୁହନ୍ତି, ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତିଙ୍କ ମୃତ୍ୟୁ ପରେ ତାଙ୍କ ବଡ଼ ପୁଅ ସୁନିଲ ମହାନ୍ତି ବି ଟିକେଟର ଅନ୍ୟତମ ଦାବିଦାର ଥିଲେ । ଏବେ ମୁଖ୍ୟମନ୍ତ୍ରୀ ଶୁଭାଶିଷଙ୍କୁ ରାଜ୍ୟସଭା ପଠାଇବା ସହ ଦିବାକର ପାତ୍ରଙ୍କୁ ଜିଲ୍ଲା ସଭାପତି ଦାୟିତ୍ୱ ଦେଇ ଚତୁର ଗୋଟି ଚାଳନା କରିଛନ୍ତି ।
ସେହିପରି ବାରବାଟୀ-କଟକ ଆସନରୁ ବିଧାନସଭା ନିର୍ବାଚନ ଲଢିବା ପାଇଁ ଏକାଧିକ ଆଶାୟୀ ରହିଛନ୍ତି । ତିନି ଥରର ବିଧାୟକ ଦେବାଶିଷ ସାମନ୍ତରାୟ ସବୁଠୁ ଆଗରେ ଥିବା ବେଳେ ମେୟର ସୁବାସ ସିଂହ, ବିଶ୍ୱଜିତ୍ ମହାନ୍ତି, ଡକ୍ଟର ରଞ୍ଜନ ବିଶ୍ୱାଳ, ଅରିନ୍ଦମ ରାୟ ବି ଟିକେଟ୍ ଆଶାୟୀ ଥିଲେ । ସବୁବେଳେ ସମସ୍ତଙ୍କୁ ଚକମା ଦେବାରେ ଅଭ୍ୟସ୍ତ ନବୀନ ପଟ୍ଟନାୟକ ଏବେ ଦେବାଶିଷଙ୍କୁ ରାଜ୍ୟସଭା ଟିକେଟ୍ ଦେଇ ଆଶାୟୀଙ୍କ ସଂଖ୍ୟା କମାଇ ଦେଇଛନ୍ତି । ଏହା ସହ ବାରବାଟୀ କଟକରୁ ୨୦୦୯ରୁ ଟିକେଟ୍ ପାଇ ଆସୁଥିବା ଦେବାଶିଷଙ୍କ ବଦଳରେ ନୂଆ ମୁହଁ ଠିଆ ହେବେ, ଏକଥା ସ୍ୱଷ୍ଟ ହୋଇଛି ।