କନକ ବ୍ୟୁରୋ : କରୋନା କଟକଣାକୁ ନେଇ ପୁଣି କଠୋର ହୋଇଛନ୍ତି ପଞ୍ଜାବ ସରକାର । ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ଘୋଷଣା କରିଛନ୍ତି କି ବାହାର ରାଜ୍ୟରୁ ପଞ୍ଜାବକୁ ଆସୁଥିବା ଲୋକମାନଙ୍କ ପାଇଁ ଟିକାର ଉଭୟ ଡୋଜ କିମ୍ବା ଆରଟିପିସିଆର ଟେଷ୍ଟ ରିପୋର୍ଟ ଅନିବାର୍ଯ୍ୟ । ଶନିବାର ଦିନ ଏହି ନିର୍ଦ୍ଦେଶନାମା ଘୋଷଣା କରିବା ସହ ହିମାଚଳପ୍ରଦେଶ ଓ ଜମ୍ମୁରୁ ଆସୁଥିବା ଲୋକମାନଙ୍କ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Advertisment

ଶିକ୍ଷାନୁଷ୍ଠାନରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି କି କରୋନାର ଉଭୟ ଡୋଜ ଟିକା ନେଇଥିବା କିମ୍ବା ଏବେ କରୋନାରୁ ସୁସ୍ଥ ହୋଇଥିବା ଟିଚିଙ୍ଗ ଓ ନନ୍ ଟିଚିଙ୍ଗ ଷ୍ଟାଫ୍ ମାନେ କେବଳ ଶିକ୍ଷାନୁଷ୍ଠାନକୁ ଆସିପାରିବେ । ନଚେତ ପିଲାମାନଙ୍କ ପାଇଁ ଅନଲାଇନ ଶିକ୍ଷାର ବିକଳ୍ପ ବ୍ୟବସ୍ଥା ଉପଲବ୍ଧ ହେବ ।

ଅନ୍ୟପଟେ ଟିଚିଙ୍ଗ ଓ ନନ୍ ଟିଚିଙ୍ଗ ଷ୍ଟାଫ ମାନଙ୍କ ପାଇଁ ଟିକାକରଣ ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର କ୍ୟାମ୍ପ କରାଯାଇ ସେମାନଙ୍କୁ ପ୍ରଥମ କିମ୍ବା ଦ୍ୱିତୀୟ ଡୋଜ ଟିକା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

କ୍ୟାପଟେନ୍ ଅମରିନ୍ଦରସିଂଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକ ପରେ ଏଭଳି ନିର୍ଦ୍ଦେଶ ଜାରି କରାଯାଇଛି । ଏହାସହ ଦୈନିକ ଶିକ୍ଷାନୁଷ୍ଠାନରୁ ସର୍ବନିମ୍ନ ୧୦ ହଜାର ନମୁନା ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।