କାଲିଥିଲା ହାଫ୍ ଆଜି ଫୁଲ୍ ଛାଡଖାଇ । ପାଟିର ଅରୁଚି ଛଡାଇବାକୁ ଆଜି ମାଛ, ମାଂସ ମାର୍କେଟରେ ଜମିବ ଭିଡ

ବୁଧବାର ଥିବାରୁ ଭଲ ବେପାର ଆଶାରେ ଆମିଷ ବ୍ୟବସାୟୀ

225

କନକ ବ୍ୟୁରୋ: କାଲିଥିଲା ହାଫ୍, ଆଜି ଫୁଲ ଛାଡଖାଇ । ମାସେ ହେଲା ପାଟିରେ ଆମିଷ ବାଜିନଥିଲା । ଲୋକେ ଛାଡଖାଇକୁ ଅନାଇ ରହିଥିଲେ । ହେଲେ ଅବାରରେ ଅର୍ଥାତ ମଙ୍ଗଳବାର ଛାଡଖାଇ ପଡିବାରୁ ଅନେକ ଆମିଷ ଖାଇପାରି ନାହାନ୍ତି । ଆଉ ବୁଧବାରକୁ ଅପେକ୍ଷା କରି ରହିଛନ୍ତି । କାର୍ତିକ ପାଇଁ ମାସେ ହେଲା ଆମିଷଠାରୁ ମୁହଁ ଫେରାଇ ନେଇଥିବା ରାଜ୍ୟବାସୀ ଆଜି ଆମିଷ ବଜାରରେ ଭିଡ ଲଗାଇବେ । ବିଶେଷ କରି ମଟନ୍ ଦୋକାନରେ ଭିଡ ଜମିବ । ଚିକେନ ଓ ମାଛ ବ୍ୟବସାୟ ମଧ୍ୟ ଭଲ ରହିବ । ସେହି ଆଶାରେ ବ୍ୟବସାୟୀ ବି ପୂର୍ବରୁ ପ୍ରସ୍ତୁତି କରିସାରିଛନ୍ତି ।

କେବଳ ରାଜଧାନୀ ଭୁବନେଶ୍ୱରରେ ୨ଶହଟି ପଞ୍ଜିକୃତ ମଟନ୍ ଦୋକାନ ଥିବାବେଳେ ବିଭିନ୍ନ ସ୍ଥାନରେ ଆଉ ୧୦୦ଟି ଦୋକାନ ରହିଛି । ଏସବୁ ଦୋକାନରେ ଆଜି ମଟନ କିଲୋପିଛା ଦର ୬୫୦ରୁ ୭ଶହ ଟଙ୍କା ରହିପାରେ । ଗତକାଲି ମଙ୍ଗଳବାର ହେଲେ ବି ଲୋକେ ମାଛ କିଣି ଖାଇଛନ୍ତି । ଏବଂ ବୁଧବାର ବେପାର ଆହୁରି ଭଲହେବ । ଦୁଇଦିନରେ ରାଜଧାନୀରେ ପ୍ରାୟ ୭୦ ଟନ୍ ମାଛ ବିକ୍ରି ହେବା ଆଶା । ଭୁବନେଶ୍ୱର ବଜାରରେ ରୋହି କିଲୋ ଦେଢଶହ ଓ ଭାକୁର ୨ଶହ ଟଙ୍କା ରହିପାରେ ।

ଛାଡଖାଇ ଦୁଇଦିନରେ ୧୧ଶହରୁ ୧୨ଶହ କୁଇଂଟାଲ ଚିକେନ ବିକ୍ରିହେବ ବୋଲି ବେପାରୀଙ୍କ ଆଶା । ଖୁଚୁରା ବଜାରରେ ଚିକେନର କିଲୋପିଛା ଦର ୨୦୦ ଟଙ୍କା ଛୁଇଁବା ଆଶା । ଭୁବନେଶ୍ୱର ସହରରେ ଛୋଟବଡ ପ୍ରାୟ ୫ ହଜାର ଚିକେନ୍ କାଉଂଟର ରହିଛି । ତେବେ କରୋନା କାଳରେ ଯେଭଳି ମାଛ, ମାଂସ ବଜାରରେ ଅଧିକ ଗହଳି ନହୁଏ ଓ ସାମାଜିକ ଦୂରତା ବଜାୟ ରହେ ସେଥିପାଇଁ ପୋଲିସ ପ୍ରଶାସନ ମଧ୍ୟ ସଜାଗ ରହିଛି ।